Photograph: (Getlegal India)
ଖଣ୍ଡଗିରି: ୨୨ ତାରିଖରୁ ଖଣ୍ଡଗିରି ଜାଗମରା ଅଞ୍ଚଳରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅପହର୍ତ୍ତାମାନେ ଯୁବକଙ୍କୁ ମୁଣ୍ଡଜାମିନ ରଖି ୨୦ଲକ୍ଷ ଟଙ୍କା ଦାବି କରିଛନ୍ତି ବୋଲି ଅପହୃତଙ୍କ ସ୍ତ୍ରୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପହୃତ ହେଲେ ଜାଗମରା ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଅଞ୍ଚଳର ହରିଶ୍ଚନ୍ଦ୍ର ସାହୁ(୩୫)। ତାଙ୍କ ସ୍ତ୍ରୀ ଟିକି ସାହୁଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟ୍ୟାକ୍ସି ଚାଳକ ବିଦ୍ୟାଧର ସାହୁଙ୍କ ଅପହରଣ ଓ ଆତ୍ମହତ୍ୟା ଘଟଣାର ତଦନ୍ତ ନ ସରୁଣୁ , ଏହି ଅପହରଣ ମାମଲା କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।
/filters:format(webp)/sambad/media/media_files/2025/09/25/kidnapingdddd-2025-09-25-01-37-07.jpg)
ଅଭିଯୋଗ ମୁତାବକ ହରିଶ୍ଚନ୍ଦ୍ର ସ୍ଥାନୀୟ ଅଞ୍ଚଳର ଏକ କନ୍ଷ୍ଟ୍ରକ୍ସନ କମ୍ପାନିରେ ରୋଷେୟା ଭାବେ କାମ କରନ୍ତି। ଗତ ୨୨ତାରିଖ ରାତିରେ ସାଙ୍ଗମାନଙ୍କ ସହିତ ଭୋଜି ଅଛି କହି ସେ ଘରୁ ବାହାରିଯାଇଥିଲେ। ସେ ରାତିରେ ଘରକୁ ନ ଫେରିବାରୁ ଟିକିଙ୍କର ସନ୍ଦେହ ହୋଇଥିଲା। ସେ ତାଙ୍କ ସାଙ୍ଗଙ୍କୁ ଫୋନ୍ କରିଥିଲେ ଏବଂ ହରି ସେମାନଙ୍କ ପାଖରେ ଅଛି ବୋଲି ସେମାନେ କହିଥିଲେ। ୨୩ ତାରିଖ ଦିନ ମଧ୍ୟ ହରି ଘରକୁ ଫେରି ନଥିଲେ। ଫୋନ୍ ବି ସୁଇଚ୍ ଅଫ୍ ଥିଲା। ତେଣୁ ହରି କାମ କରୁଥିବା କମ୍ପାନିରେ ଟିକି ପହଞ୍ଚିଥିଲେ ଏବଂ କର୍ମଚାରୀମାନଙ୍କୁ ଭେଟି ସ୍ବାମୀଙ୍କ ବିଷୟରେ ପଚାରିଥିଲେ। ସେଠାରୁ କୌଣସି ସହଯୋଗ ନପାଇ ଟିକି, ହରିଙ୍କର ୨ଜଣ ସାଙ୍ଗଙ୍କୁ ଫୋନ୍ କରିଥିଲେ। ସେମାନଙ୍କର ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ଟିକି ଥାନାରେ ଅଭିଯୋଗ କରିଛନ୍ତି। ଡୁମୁଡୁମାରେ ରହୁଥିବା ହରିଙ୍କର ଆଉ ଜଣେ ସାଙ୍ଗଙ୍କ ପାଖକୁ ଟିକି ଯାଇଥିବା ବେଳେ ସେ ତାଙ୍କୁ ଦେଖି ଦୌଡ଼ିପଳାଇଥିଲେ ବୋଲି ସେ କହିଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ହ୍ବାଟ୍ସଆପ୍କୁ ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିବା ଟିକି ଅଭିଯୋଗରେ ଦର୍ଶାଇଛନ୍ତି। ୨୮ ତାରିଖ ସୁଦ୍ଧା ୨୦ଲକ୍ଷ ଟଙ୍କା ନଦେଲେ ହରିଙ୍କୁ ସେମାନେ ମାରିଦେବେ ବୋଲି ମେସେଜ୍ରେ ଉଲ୍ଲେଖ ଥିବା ଅଭିଯୋଗ ହୋଇଛି।
ଟିକିଙ୍କ ଅଭିଯୋଗରେ ଥିବା ସବୁ ମୋବାଇଲ୍ ନମ୍ବରକୁ ପୁଲିସ ଟ୍ରାକ୍ କରିବା ଆରମ୍ଭ କରିଛି। ସେହିଭଳି ୨୨ ତାରିଖ ରାତିରେ ହରି ଯେଉଁ ସାଙ୍ଗମାନଙ୍କ ସହ ଭୋଜି କରିଥିଲେ, ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ମାତ୍ର ହରିଙ୍କ ଠାବ ମିଳିନାହିଁ। ଆକସ୍ମିକ ଭାବେ ହରି ନିଖୋଜ ହେବା ଏବଂ ମୁଣ୍ଡ ଜାମିନ ରଖି ୨୦ ଲକ୍ଷ ଟଙ୍କା ଦାବି କରିବା ଘଟଣା ପଦାକୁ ଆସିବା ପରେ ଉଭୟ ପୁଲିସ ଓ ହରିଙ୍କ ପରିବାର ଚିନ୍ତାରେ ପଡ଼ିଛି।
Follow Us