Advertisment

କଳିଙ୍ଗ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର : ୧୩ କିଲୋ ଶିଶୁର କିଡ୍‌ନି ପ୍ରତିରୋପଣ

Advertisment
କଳିଙ୍ଗ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର : ୧୩ କିଲୋ ଶିଶୁର କିଡ୍‌ନି ପ୍ରତିରୋପଣ

ଭୁବନେଶ୍ୱର : କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କର ଅନ୍ୟ ଏକ ରୂପ। ସେହି କଥା ଏକପ୍ରକାର ପ୍ରମାଣିତ ହୋଇଛି ଗତ ଫେବ୍ରୁଆରି ମାସରେ କଳିଙ୍ଗ ହସ୍‌ପିଟାଲରେ ହୋଇଥିବା ଏକ ବିରଳ ଅସ୍ତ୍ରୋପଚାର କ୍ଷେତ୍ରରେ। ମାତ୍ର ତେର କିଲୋ ଓଜନ ଥାଇ ଏକ ଶିଶୁର କିଡ୍‌ନି ପ୍ରତିରୋପଣ କରି କଳିଙ୍ଗ ହସ୍‌ପିଟାଲର ଡାକ୍ତରମାନେ ନୂଆ କୀର୍ତିମାନ ସୃଷ୍ଟି କରିଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଏତେ ଛୋଟ ଓ କମ୍‌ ଓଜନ ବିଶିଷ୍ଟ ଶିଶୁର ସଫଳ କିଡ୍‌ନି ପ୍ରତିରୋପଣ କରାଯାଇଥିବାରୁ ଭବିଷ୍ୟତରେ ଏଭଳି ବିରଳ ପ୍ରତିରୋପଣ କରାଯାଇପାରିବ ବୋଲି କିଡ୍‌ନି ପ୍ରତିରୋପଣ ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।

ଖୋର୍ଧା ଜିଲ୍ଲାର କୁହୁଡ଼ି ଗ୍ରାମର ଏକ ଗରିବ ଚାଷୀ ଦମ୍ପତିଙ୍କ ପୁଅର ଦୁଇଟିଯାକ କିଡ୍‌ନି ଖରାପ ହୋଇଯାଇଥିଲା। ୭ବର୍ଷ ବୟସ୍କ ଏହି ଶିଶୁଟିର ଓଜନ ମାତ୍ର ୧୩ କିଲୋ ଥିବାରୁ କିଡ୍‌ନି ପ୍ରତିରୋପଣ ପାଇଁ ବହୁ ମେଡିକାଲ ମନା କରିଦେଇଥିଲେ। ଶେଷରେ କଟକ ଶିଶୁଭବନର କିଡ୍‌ନି ବିଶେଷଜ୍ଞ ଡାକ୍ତର ସୁବଳ ପ୍ରଧାନଙ୍କ ପରାମର୍ଶକ୍ରମେ ଓ ସ୍ୱାମୀ ଆଦ୍ୟାନନ୍ଦ ସରସ୍ୱତୀଙ୍କ ଆର୍ଥିକ ସହାୟତାରେ ଶିଶୁଟିକୁ ନେଇ ତା’ର ବାପାମାଆ କଳିଙ୍ଗ ହସ୍‌ପିଟାଲକୁ ଆସିଥିଲେ। ପରେ କିଡ୍‌ନି ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଓ ଡାକ୍ତର ସାଇ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଶିଶୁଟିର କିଡ୍‌ନି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାରରେ ଡାକ୍ତର ଶିବବ୍ରତ ପଟ୍ଟନାୟକ, ଡାକ୍ତର ସୁବଳ ପ୍ରଧାନ, ଡାକ୍ତର ରମ୍ୟରଞ୍ଜନ ବେହେରା, ଡାକ୍ତର ବଦ୍ରି ନାରାୟଣ ବିଶ୍ୱାଳ, ଡାକ୍ତର କ୍ରିଷ୍ଣା ପ୍ରଧାନ ଓ ଡାକ୍ତର ଅନେ୍ଵଷା ସ୍ୱାଇଁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସଫଳ ଅସ୍ତ୍ରୋପଚାରର ୧୦ ଦିନ ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲା। କଳିଙ୍ଗ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ଅପରେସନ ପାଇଁ ଆର୍ଥିକ ସହାୟତା ସମେତ ଅନ୍ୟାନ୍ୟ ସୁବ୍ୟବସ୍ଥା ଯୋଗେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe