Telegraph India
ଭୁବନେଶ୍ବର : ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଦେଢ଼ ମାସ ଥିବା ବେଳେ ବିଏମ୍ସି ମାତ୍ର ୨୪କୋଟି ଟଙ୍କା ରାଜସ୍ବ ଆଦାୟ କରିଛି। ୧୫୦ କୋଟି ରାଜସ୍ବ ଆଦାୟର ଟାର୍ଗେଟ୍ ଧରିଥିବା ବିଏମ୍ସି ଏବେ ହୋଲଡିଂ ଟିକସକୁ ଫୋକସ୍ କରିଛି। ଏଥିରେ କିନ୍ନରମାନେ ବିଏମ୍ସି ପାଇଁ ଅମୋଘ ଅସ୍ତ୍ର ପାଲଟିଛନ୍ତି। ୮୦୪ଜଣ ବଡ଼ ଖିଲାପକାରୀଙ୍କ ଉପରେ ୪୩ କୋଟିର ରାଜସ୍ବ ବାକି ଥିବା ବେଳେ ଏସ୍ଏଚ୍ଜି ଟିଜି ସ୍ବୀକୃତିକୁ ୧୬ କୋଟି ହୋଲଡିଂ ଟିକସ ଆଦାୟ କରିବାକୁ ଟାର୍ଗେଟ୍ ଦିଆଯାଇଛି। ୧୦ ଦିନରେ କିନ୍ନରମାନେ ୬୨ଲକ୍ଷ ଆଦାୟ କରିସାରିଲେଣି। ତେଣୁ ବିଏମ୍ସି ଏଥର ଟାର୍ଗେଟ୍ ରାଜସ୍ବ ଆଦାୟ କରିବାକୁ ହେଲେ କିନ୍ନର ହିଁ ପ୍ରମୁଖ ଭୂମିକା ନେବେ।
ବିଏମ୍ସିର ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, କିନ୍ନରମାନେ ଏବେ ଭଲ ରାଜସ୍ବ ଆଦାୟ କରୁଛନ୍ତି। ପୂରା ରାଜଧାନୀରେ ଟିକସ ଆଦାୟ କରିବାକୁ ୧୦ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଛି। ସେମାନେ ୪୦ଲକ୍ଷ ରାଜସ୍ବ ଆଦାୟ କଲେ ଆଦାୟ ଟଙ୍କାର ୧%, ୪୦ରୁ ୬୦ଲକ୍ଷ ଆଦାୟ କଲେ ୧.୫% ଏବଂ ୬୦ ଲକ୍ଷରୁ ଅଧିକ ଟିକସ ଆଦାୟ କଲେ ୨% ଦେବାକୁ କୁହାଯାଇଛି। ଗତବର୍ଷ ଏହି ନିୟମ ଲାଗୁ ହୋଇଥିବା ବେଳେ ବିଏମ୍ସି ପ୍ରାୟ ୩କୋଟି ରାଜସ୍ବ ଆଦାୟ କରିପାରିଥିଲା। ଗତବର୍ଷ ୧୧ କୋଟି ଟାର୍ଗେଟ୍ ଦିଆଯାଇଥିବା ବେଳେ ୩କୋଟି ଆଦାୟ କରିଥିଲେ, ଏଥର ୧୬କୋଟି ଟାର୍ଗେଟ୍ ଦିଆଯାଇଥିବା ବେଳେ ୧୦ଦିନରେ ୬୨ଲକ୍ଷ ଆଦାୟ କରିସାରିଲେଣି। ତେଣୁ ଏଥର ଆମେ ଅଧିକ ହୋଲଡିଂ ଟିକସ ଖିଲାପକାରୀଙ୍କଠାରୁ ରାଜସ୍ବ ଆଦାୟ କରିବୁ ବୋଲି ଆଶା ରଖିଛୁ।
ଦିନକୁ ଯଦି କିନ୍ନରମାନେ ୧୫ରୁ ୨୦ଜଣ ବଡ଼ ଖିଲାପକାରୀଙ୍କଠାରୁ ବକେୟା ଟିକସ ଆଦାୟ କରିବେ, ମାର୍ଚ୍ଚ ୩୧ସୁଦ୍ଧା ୧୬କୋଟି ଆଦାୟ ହୋଇପାରିବ। ହେଲେ ବର୍ତ୍ତମାନ ସୁଦ୍ଧା ଦିନକୁ ୮ରୁ ୧୦ଜଣଙ୍କଠାରୁ ଟିକସ ଆଦାୟ ହେଉଛି। ତେଣୁ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେହିପରି ରାଜଧାନୀର ବିଭିନ୍ନ ଅଞ୍ଚଳରୁ ହୋଲଡିଂ ଟିକସ ଆଦାୟ କରିବାକୁ ୬୨ଟି ସ୍ବୟଂସହାୟିକା ଗୋଷ୍ଠୀକୁ ନିୟୋଜିତ କରାଯାଇଛି। ସେମାନେ ବି ଭଲ ରାଜସ୍ବ ଆଦାୟ କରୁଛନ୍ତି। ଏଥର ଆମେ ଅାଶାନୁରୂପ ରାଜସ୍ବ ଆଦାୟ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
Follow Us