ପୁଣି କୁଇନ୍‌ ବେଶରେ କିନ୍ନର

ପୁଣି କୁଇନ୍‌ ବେଶରେ କିନ୍ନର

ଚନ୍ଦ୍ରଶେଖରପୁର : ବିଳମ୍ବିତ ରାତିରେ ସହର ଭିତରେ କୌଣସି କିନ୍ନର ଯେମିତି ଆଡ଼ା ନ ଜମାଇ ପାରିବେ ସେଥିପାଇଁ ହୋଇଥିଲା ନିଷ୍ପତ୍ତି। ଏହି ନିଷ୍ପତ୍ତି ସ୍ୱୟଂ ଡିସିପି ନେଇଥିଲେ। କିଛି ଦିନ ଠିକ୍‌ଠାକ୍‌ ଚାଲିଲା। ମାତ୍ର ବର୍ତ୍ତମାନ ସ୍ଥିତି ପୂର୍ବଭଳି ହୋଇଯାଇଛି। ସଞ୍ଜ ନଇଁଲା ମାତ୍ରେ ବିଭିନ୍ନ କିନ୍ନର ଗୋଷ୍ଠୀ ରାଜଧାନୀର ବିଭିନ୍ନ ପ୍ରମୁଖ ସ୍ଥାନରେ ସେମାନଙ୍କର ଆଡ଼ା ଜମାଉଛନ୍ତି। ସ୍ମାର୍ଟ ସିଟିରେ କୁଇନ୍‌ ବେଶରେ କିନ୍ନରମାନେ ପୁଣିଥରେ ସେମାନଙ୍କର ଉତ୍ପାତ ଆରମ୍ଭ କରିଛନ୍ତି। ସବୁଦେଖି ପୁଲିସ ନିରବଦ୍ରଷ୍ଟା ସାଜିଛି।

ଜୟଦେବ ବିହାର ନିକଟସ୍ଥ ଏକ ପ୍ରମୁଖ ହୋଟେଲ ପାଖ ଅନ୍ଧାରୁଆ ଗଳି ହେଉ ଅଥବା ଓମଫେଡ୍‍ ଛକ ରାସ୍ତା, ବିଳମ୍ବିତ ରାତିରେ ସବୁଠି କିନ୍ନରଙ୍କ ଉପସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ରାତି ୧୦ଟା ପରେ କିଛି କିନ୍ନର ବାହାରି ପଡ଼ୁଛନ୍ତି ଗ୍ରାହକ ସନ୍ଧାନରେ। ସାଧାରଣ ଲୋକଙ୍କୁ ଅଟକାଇ ଟଙ୍କା ଆଦାୟ କରିବା ସହ ଟଙ୍କା ଦେବାକୁ ମନାକରୁଥିବା ବ୍ୟକ୍ତିଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ଏପରିକି ବେଳେବେଳେ ମାଡ଼ ମାରିବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଜୟଦେବ ବିହାର ନନ୍ଦନକାନନ ମୁଖ୍ୟ ରାସ୍ତାରେ ଛିଡ଼ାହୋଇ ହାତ ଠାରି ଗ୍ରାହକମାନଙ୍କୁ ଡାକିବାକୁ ମଧ୍ୟ ପଛଉନାହାନ୍ତି ଏମାନେ। ଅନେକ ଏହି କାରଣରୁ ଲୁଟ୍‌ର ଶିକାର ମଧ୍ୟ ହେଉଛନ୍ତି। ଏ ବିଷୟରେ ସବୁ ଜାଣି ମଧ୍ୟ ପୁଲିସ୍‌ ଚୁପ୍‌ ବସିଛି। ପାଟ୍ରୋଲିଂ ଅଭାବ ଓ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅତୀତରେ ଏହି କାରଣରୁ ଅନେକ ଆପରାଧିକ କାର୍ଯ୍ୟାକଳାପ ହୋଇଥିବାବେଳେ ଏଥିରେ ଜଡ଼ିତ ଅନେକ କିନ୍ନର ଗିରଫ ହୋଇ ଜେଲ୍‌ ଯିବାର ନଜିର ମଧ୍ୟ ରହିଛି। ଏମାନଙ୍କୁ ଆଳ କରି ଅନେକ ଅସାମାଜିକ ଯୁବକ ତଥା ଦଲାଲ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଏବେ ରାଜଧାନୀର ବିଭିନ୍ନ ସ୍ଥାନରୁ ଏହିମାନେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ କର୍ପୋରେଟ୍‌ କାର୍ଯ୍ୟାଳୟରୁ ମାସିକିଆ ବଟି ମଧ୍ୟ ଆଦାୟ କରୁଛନ୍ତି। ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe