ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଟିକସ ଆଦାୟ କଲେ କିନ୍ନର : ୨ଜଣଙ୍କଠାରୁ ୬୬ ହଜାର ଟଙ୍କା

Advertisment
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଟିକସ ଆଦାୟ କଲେ କିନ୍ନର : ୨ଜଣଙ୍କଠାରୁ ୬୬ ହଜାର ଟଙ୍କା

ଭୁବନେଶ୍ବର : କିନ୍ନରମାନେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବକେୟା ହୋଲ୍ଡିଂ ଟିକସ ଆଦାୟ ଆରମ୍ଭ କରିଛନ୍ତି। ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌ଏଚ୍‌ଜି ଗୋଷ୍ଠୀକୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି।

ବିଏମ୍‌ସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏହାର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଲେ, ବକେୟା ହୋଲ୍ଡିଂ ଟିକସ ଆଦାୟ କରିବା ପାଇଁ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାଦ୍ୱାରା ସାମାଜିକ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ କରାଯାଇପାରିବ। ଏହା ସହ ବିଏମ୍‌ସିର ବକେୟା ଟିକସ ଆଦାୟକୁ ବଢ଼ାଇବା ଦିଗରେ ମହାନଗର ନିଗମର ବିକାଶକୁ ତ୍ୱରାନ୍ୱିତ କରାଯାଇପାରିବ। ଏହି ଅବସରରେ ଟି.ଜି. ସ୍ୱୀକୃତି ଗ୍ରୁପ୍‌ର ୟୁନିଫର୍ମଧାରୀ ଦଶ ଜଣ ସଦସ୍ୟାଙ୍କୁ ପରିଚୟପତ୍ର ପିନ୍ଧାଇଥିଲେ କମିସନର ପ୍ରେମ ଚନ୍ଦ୍ର ଚୌଧରୀ, ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଅବନିକାନ୍ତ ପଟ୍ଟନାୟକ ଏବଂ ଉପକମିସନର ଶ୍ରୀମନ୍ତ ମିଶ୍ର।

ଏହାପରେ ସମ୍ପୃକ୍ତ ଗ୍ରୁପ୍ ନିଜ ନିଜର ନାରା ବା ‌ସ୍ଲୋଗାନ୍ “ଟ୍ୟାକ୍ସ ଦିଜିଏ ଦୁଆ ଲିଜିଏ” କହିଥିଲେ। ଟି.ଜି. ସ୍ୱୀକୃତି ଗ୍ରୁପର ସଭାପତି ମେଘନା ସାହୁ କହିଛନ୍ତି, ଆଜିର ଦୁନିଆରେ କିନ୍ନରମାନଙ୍କୁ ଅନେକ କ୍ଷେତ୍ରରେ ହତାଦର କରାଯିବା ଏବଂ ସେମାନଙ୍କୁ ଉପଯୁକ୍ତ ରୋଜଗାର ପନ୍ଥା ମିଳୁନାହିଁ। ତେବେ ବିଏମ୍‌ସି ପକ୍ଷରୁ ଏପରି ସୁଯୋଗ କିନ୍ନରମାନଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବାରେ ସହାୟକ ହୋଇପାରିବ। କିନ୍ନର ଗୋଷ୍ଠୀର ସମସ୍ତ ସଦସ୍ୟା ବିଏମ୍‌ସିର ଆଭିମୁଖ୍ୟ ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ଏହା ପରେ ସେମାନେ ସ୍ଥାନୀୟ ସହିଦନଗରକୁ ଯାଇ ବକେୟା ଥିବା ଚାରି ମାଲିକଙ୍କୁ ଭେଟିଥିଲେ। ଦୁଇ ମାଲିକଙ୍କଠାରୁ ବକେୟା ରାଶି ୬୬ ହଜାର ୨୬୪ ଟଙ୍କା ଆଦାୟ କରିଥିଲେ। ବିଏମ୍‌ସିର ବକେୟା ରାଶି ଆଜି ଦିନରେ ୧୧ କୋଟିରୁ ଅଧିକ ରହିଛି। ତେବେ ଏହାକୁ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି କିନ୍ନର। ବୁଝାମଣାପତ୍ର ଅନୁଯାୟୀ ଅଧିକରୁ ଅଧିକ ଆଦାୟ କରିପାରିଲେ ନିର୍ଦ୍ଧାରିତ ସ୍ଲାବ୍ ଅନୁସାରେ ଏହି ଗ୍ରୁପକୁ ଅଧିକ ପ୍ରୋତ୍ସାହନ ରାଶି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe