ବାରଙ୍ଗ: ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଉଚିତ ପଦକ୍ଷେପ ନେବା ଦରକାର। ପିଲାମାନଙ୍କ ଭବିଷ୍ୟତ ତିଆରି କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରି ହେଲେ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ପାରିବ। ବାରଙ୍ଗ ବେଲଗଛିଆ ପଞ୍ଚାୟତ ନରଣପୁରଠାରେ ଥିବା କେଏମ୍ବିବି ଜୁନିଆର୍ ବିଜ୍ଞାନ କଲେଜର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଏକ କର୍ମଶାଳାରେ ଅଧ୍ୟକ୍ଷତା କରି ଏପରି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଥିଲେ, ଶିକ୍ଷା ତାଙ୍କର ଆଦର୍ଶ। ଶିକ୍ଷାକୁ ବ୍ରତ କରି ସେ ଅନୁଷ୍ଠାନ ଗଢ଼ିଛନ୍ତି। ଅନୁଷ୍ଠାନ ହାତରେ ପିଲାଙ୍କ ଭବିଷ୍ୟତ ଓ ପିଲାଙ୍କ ହାତରେ ଅନୁଷ୍ଠାନର ଭବିଷ୍ୟତ ରହିଛି। କର୍ମଶାଳାରେ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅର୍ଥନୀତିଜ୍ଞ ଅର୍ଦ୍ଧେନ୍ଦୁଶେଖର ଷଡ଼ଙ୍ଗୀ କହିଥିଲେ, ଉତ୍ତମ ବିଦ୍ୟା ଗ୍ରହଣ ନକଲେ ଭବିଷ୍ୟତ କଷ୍ଟକର ହୋଇପଡ଼ିବ। ଉପଯୁକ୍ତ ଭାବେ ସମୟର ସଦୁପଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରଫେସର ନିରଞ୍ଜନ ବାରିକ କହିଲେ, ପରୀକ୍ଷାରେ ରଖିଥିବା ନମ୍ବର ପିଲାମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣର ମାପକାଠି ନୁହେଁ। ପିଲାମାନେ ନିଜ ପସନ୍ଦ ଅନୁଯାୟୀ ମନୋନିବେଶ କରନ୍ତୁ। ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା, ଅନୁଷ୍ଠାନ ଟ୍ରଷ୍ଟର ସମ୍ପାଦକ ସଞ୍ଜୟ କୁମାର ପାତ୍ର, ଡିନ୍ ବିଜୁନି ସୂତାର ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ କେଏମ୍ବିବି ଜୁନିଅର୍ ସାଇନ୍ସ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ। ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us