ବର୍ଷା ଛାଡ଼ିବା ପରେ ରାସ୍ତାରେ ଆଣ୍ଠୁଏ ପାଣି

Advertisment

ଏବେଠାରୁ ଚିନ୍ତାରେ ମହାଦେବନଗରବାସୀ, କେଶୁରାଠାରୁ ଝାରପଡ଼ା ପର୍ଯ୍ୟନ୍ତ ରାସ୍ତା ବି ଶୋଚନୀୟ

ଏବେଠାରୁ ଚିନ୍ତାରେ ମହାଦେବନଗରବାସୀ, କେଶୁରାଠାରୁ ଝାରପଡ଼ା ପର୍ଯ୍ୟନ୍ତ ରାସ୍ତା ବି ଶୋଚନୀୟ

ବର୍ଷା ଛାଡ଼ିବା ପରେ ରାସ୍ତାରେ ଆଣ୍ଠୁଏ ପାଣି

ଭୁବନେଶ୍ବର: ବର୍ଷା ଆରମ୍ଭ ହେଉ ହେଉ ମହାଦେବନଗରବାସୀଙ୍କ ଚିନ୍ତା ବଢ଼ିଲାଣି। ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି। ଆଉ ଟିକେ ଅଧିକ ଜୋର୍‌ରେ ବର୍ଷା ହେଲେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଘର ଭିତରେ ପାଣି ପଶିବ। ହେଲେ ବାରମ୍ବାର ଅଭିଯୋଗ ପରେ ଜଳ ନିସ୍କାସନ ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ନଗରବାସୀ।
ବିଶେଷ କରି ୩୨ ନମ୍ବର ୱାର୍ଡର ମଙ୍ଗରାଜ ପଏଣ୍ଟଠାରୁ ଡାଳଖାଇ ଛକ ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ଛାଡ଼ିଯିବା ପରେ ବି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ପାଣିଯିବାର କୌଣସି ବିକଳ୍ପ ନଥିବାରୁ ପାଣି ଶୁଖିବା ଯାଏ ରାସ୍ତାରେ ଜମି ରହୁଛି। ଫଳରେ ହଜାର ହଜାର ଲୋକ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସୂଚନା ଅନୁସାରେ ଦେଢ଼ ବର୍ଷ ତଳେ ୱା‌ଟ୍‌କୋ ପକ୍ଷରୁ ଉକ୍ତ ରାସ୍ତାରେ ସ୍ବେରେଜ୍‌ ପାଇପ୍‌ ବିଛା ଯାଇଥିଲା। ସେହି ସମୟରେ ରାସ୍ତାକୁ ପୂର୍ବ ଅପେକ୍ଷା ନିଚା କରାଯାଇଥିଲା। ଏବେ ବର୍ଷା ହେଲେ ଝାରପଡ଼ା ଅଞ୍ଚଳର ସବୁ ବର୍ଷାଜଳ ରାସ୍ତା ଉପରେ ଜମା ହେଉଛି।

ବର୍ତ୍ତମାନ ପାଣି ଜମୁଥିବା ରାସ୍ତା ପୂର୍ବରୁ ସମତୁଲ ଥିବାରୁ ସବୁ ବର୍ଷାଜଳ ଗଙ୍ଗୁଆ ନାଳକୁ ଚାଲିଯାଉଥିଲା। କିନ୍ତୁ ଏବେ ଜଗନ୍ନାଥନଗର ପଟ ରାସ୍ତା ଉଚ୍ଚା ହୋଇଥିବା ବେଳେ ମଙ୍ଗରାଜ୍‌ ପଏଣ୍ଟ ରାସ୍ତା ଉଚ୍ଚା। ତେଣୁ ମଝିରେ ନିଚା‌ ସ୍ଥାନରେ ସବୁ ପାଣି ଜମି ରହୁଛି। ଏହି ରାସ୍ତା ଦେଇ କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ, ବ୍ୟାଙ୍କର୍ସ କଲୋନି ଲୋକ ସହରକୁ ଆସିଥାନ୍ତି। ଏଥିସହ ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳବାସୀ ଏହି ରାସ୍ତା ଦେଇ ପୁରୀ ବାଇପାସ୍‌କୁ ଯାଇଥାନ୍ତି। ସେତେବେଳେ ରାସ୍ତା ଉପରେ ଛୋଟ ଛୋଟ ପାଇପ୍‌ ପକାଯାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ହେଲେ ଏବେ ସେସବୁ ଧୀରେ ଧୀରେ ବନ୍ଦ ହୋଇ ଗଲାଣି। ସେସବୁକୁ ସଫା କରାଯାଉନାହିଁ।

କିଛି ସ୍ଥାନରେ ୱାଟ୍‌କୋ କରିଥିବା ପାଣି ନିଷ୍କାସନ ଜାଲି ଭାଙ୍ଗି ଗଲାଣି। କିଛି ସ୍ଥାନରେ ଜାଲି ଦୁଇ ଫୁଟ ତଳକୁ ଖସି ଯିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ହେଲେ ଏନେଇ ୱାଟ୍‌କୋ ଅଧିକାରୀ ବିଏମ୍‌ସିକୁ ଚିଠି ଲେଖି ଚୁପ୍‌ ବସିଛନ୍ତି। ଅନ୍ୟପଟେ କେଶୁରା ଛକଠାରୁ ଝାରପଡ଼ା ମେଡିକାଲ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ନଷ୍ଟ ହୋଇଗଲାଣି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ପୋଲରୁ ରଡ୍‌ ବାହାରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ରାସ୍ତାରେ ପାଣି ଜମି ରହିବାରୁ ଲୋକମାନେ ଗାଡ଼ି ନେଇ ଯିବାକୁ ଭୟ କରୁଛନ୍ତି। ତେବେ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ମହାଦେବନଗରର ପ୍ରାୟ ଦୁଇ ଶହ ପରିବାର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe