ବିଏମ୍‌ସି ଅଦୂରଦର୍ଶିତାର କୁପରିଣାମ ଭୋଗୁଛନ୍ତି ପଥରବନ୍ଧ ବସ୍ତିବାସିନ୍ଦା, ଘର ଆଗରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ଜଳ

Advertisment

ଚିନ୍ତା ବଢ଼ାଇଛି କଠିନ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଚିନ୍ତା ବଢ଼ାଇଛି କଠିନ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ବିଏମ୍‌ସି ଅଦୂରଦର୍ଶିତାର କୁପରିଣାମ ଭୋଗୁଛନ୍ତି ପଥରବନ୍ଧ ବସ୍ତିବାସିନ୍ଦା, ଘର ଆଗରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ଜଳ

ଭୁବନେଶ୍ବର: ବିଏମ୍‌ସିର ଅଦୂରଦର୍ଶିତା ଓ ତରବରିଆ ନିଷ୍ପତ୍ତି ଯୋଗୁଁ ପଥରବନ୍ଧ ବସ୍ତିବାସିନ୍ଦାଙ୍କ ଜୀବନ ଏବେ ଦୁର୍ବିଷହ ହୋଇପଡ଼ିଛି। ବସ୍ତିରେ ରହୁଥିବା ପାଖାପାଖି ୨ଶହ ପରିବାର ଅତି ଅସ୍ବାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ‌ରେ ଜୀବନଯାପନ କରୁଛନ୍ତି। ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ଜଳ ଢେଉ ଖେଳୁଛି। ଦୁର୍ଗନ୍ଧ‌‌ରେ ନାକ ଫାଟି ପଡ଼ୁଥିଲେ ହେଁ ପାଖରେ ସମ୍ବଳ ନଥିବାରୁ ସେମାନେ ଜାଗା ଛାଡ଼ି ଅନ୍ୟତ୍ର ଯାଇ ପାରୁନାହାନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ବସ୍ତିବାସିନ୍ଦା ବଡ଼ ବଡ଼ ବାବୁଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥା ଶୁଣୁନାହାନ୍ତି। ଫଳରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଶୀଘ୍ର ଏହାର ସ୍ଥାୟୀ ସମାଧାନ କରା ନ ଗ‌ଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ, ପରିବେଶ ସୁରକ୍ଷା, ପ୍ରଦୂଷଣମୁକ୍ତ ତଥା ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ଜରୁରୀ ‘କଠିନ ବର୍ଜ୍ୟ ସଂଗ୍ରହ’ ବ୍ୟବସ୍ଥା ପଥରବନ୍ଧ ବସ୍ତିବାସିନ୍ଦାଙ୍କୁ ଭାରି ପଡ଼ିଛି। ବିଏମ୍‌ସିର ତରବରିଆ ଓ ଅଦୂରଦର୍ଶୀ ନିଷ୍ପତ୍ତିର ପରିଣାମ ଏବେ ବସ୍ତିର ପ୍ରାୟ ୨ଶହରୁ ଊର୍ଧ୍ବ ପରିବାର ଭୋଗୁଛନ୍ତି। ୨ ମାସ ତଳେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡ୍ରେନ୍‌ ସବୁରୁ କଠିନ ବର୍ଜ୍ୟ ସଂଗ୍ରହ କରିବା ପାଇଁ ଜାତୀୟ ସବୁଜ ପ୍ରାଧିକରଣଙ୍କ ନିର୍ଦ୍ଦେଶ ଆଧାର‌ରେ ସହରରେ ଡ୍ରେନ୍‌ ଅତିକ୍ରମ କରୁଥିବା ସମସ୍ତ ପଏଣ୍ଟ୍‌ରେ ବିଏମ୍‌ସି ପକ୍ଷରୁ ଜାଲି ପକାଗଲା। ଜାଲି ମଧ୍ୟ ଦେଇ ବର୍ଜ୍ୟଜଳ ନିଷ୍କାସିତ ହୋଇଯିବ ଓ କଠିନ ବର୍ଜ୍ୟ ଜାଲିରେ ଅଟକି ଯିବାର ବ୍ୟବସ୍ଥା ରହିଲା। ନଦୀଜଳକୁ ପ୍ରଦୂଷଣରୁ ରୋକିବା ଏହାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା। କିନ୍ତୁ ଆଗପଛ ବିଚାର ନ କରି ନିଜ କାମ ସାରିବା ନ୍ୟାୟରେ ବିଏମ୍‌ସିର ଅଧିକାରୀମାନେ ତରବରିଆ ଭାବେ ପଥରବନ୍ଧ ବସ୍ତି ନିକଟରେ କଠିନ ବର୍ଜ୍ୟ ସଂଗ୍ରହ ନିମନ୍ତେ ୪ ନମ୍ବର ପ୍ରାକୃତିକ ଡ୍ରେନ୍‌‌ରେ ଜାଲି ପକାଇ ଦେଲେ।

ସାଲିଆସାହି, ପଥରବନ୍ଧ ବସ୍ତି ଆଦି ଦେଇ ଏହି ପ୍ରାକୃତିକ ଡ୍ରେନ୍‌ ଗଙ୍ଗୁଆ ନାଳରେ ପଡ଼େ। ଏଣୁ ଗଙ୍ଗୁଆ ନାଳକୁ କଠିନ ବର୍ଜ୍ୟମୁକ୍ତ କରିବାକୁ ଏଠାରେ ଜାଲି ପକାଯାଇଥିଲା। ଜାଲି ପଡ଼ିବାର କିଛି ଦିନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ସଫେଇ ହେଲା। ବର୍ଜଜଳ ସହ ଭାସି ଆସୁଥିବା ଜରି, ଥର୍ମୋକୁଲ୍‌, ପ୍ଲାଷ୍ଟିକ୍‌ ଆଦି ବିଭିନ୍ନ କଠିନ ବର୍ଜ୍ୟବସ୍ତୁକୁ ଜାଲିରୁ କଢ଼ାଗଲା। କିନ୍ତୁ ଦିନ କେଇଟା ପରେ ବିଏମ୍‌ସି କର୍ତୃପକ୍ଷ ସବୁ ଭୁଲିଗଲେ। ନା ଡ୍ରେନ୍‌ ନିୟମିତ ବ୍ୟବଧାନରେ ସଫା ହେଲା, ନା ସେଠାରୁ କଠିନ ବର୍ଜ୍ୟ ସଂଗୃହୀତ ହେଲା। ଫଳରେ ଜଳ ନିଷ୍କାସନରେ ଅସୁବିଧା ହେତୁ ସେଠାରେ ପାଣି ଜମି ରହିଲା। ଏବେ ଏହା ଅଞ୍ଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜନବସତିଠାରୁ ଦୂ‌ରରେ ଯଦି ଏହି ଜାଲି ବସାଯାଇ ଥା’ନ୍ତା ତେବେ ଏଭଳି ସମସ୍ୟା ହୋଇନଥା’ନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।

ସେମାନଙ୍କ ଅଭିଯୋଗ ହେଲା, ପ୍ରାୟ ଦୁଇ ମାସ ତଳେ ବିଏମ୍‌ସି ଆସି ଏଠାରେ ଜାଲି ପକାଇଥିଲା। କିଛି ଦିନ ଏଠାରେ ଭଲ ଭାବେ ସଫା ହେଲା, କଠିନ ବର୍ଜ୍ୟ ବି ଉଠିଲା। ତା’ ପରେ ସେମାନେ ଭୁଲିଗଲେ। ଫଳରେ ଏଠାରେ ଏବେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ଜମି ରହୁଛି। ଅନ୍ୟପଟେ ମଶା ବଂଶବୃଦ୍ଧି ଓ ପୂତିଗନ୍ଧମୟ ପରିବେଶ ଯୋଗୁଁ ବସ୍ତିବାସିନ୍ଦା ଅତିଷ୍ଠ ହୋଇପଡ଼ିଲେଣି। ପିଲା, ଛୁଆ ନେଇ ରହୁଥିବା ବସ୍ତିର ପ୍ରାୟ ୨୦୦ ପରିବାର ଦେଢ଼ ମାସ ହେଲା ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ସେମାନଙ୍କ କଥା ଶୁଣୁନାହାନ୍ତି। ଅଭିଯୋଗ କଲେ ଦୁଇ ଦିନ ପରେ ସଫା ହୋଇଯାଏ। ତା’ ପରେ ଯାହାକୁ ସେୟା। ତେଣୁ ଏହି ସ୍ଥାନକୁ ନିୟମିତ ସଫା‌ କରାଯିବା ତଥା ସ୍ଥାୟୀ ସାମାଧାନର ବାଟ ନେଇ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe