Times of India
ଚନ୍ଦ୍ରଶେଖରପୁର : ଜଣେ ଇଂଜିନିୟରିଂ ଛାତ୍ରୀଙ୍କୁ ଭଲ ପାଉଥିବା ଦୁଇ ଇଂଜିନିୟରିଂ ଛାତ୍ରଙ୍କ ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଏହି ମହାଭାରତରେ ପୁରୁଣା ପ୍ରେମିକ ଛୁରାମାଡ଼ରେ ରକ୍ତାକ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ପ୍ରିୟରଞ୍ଜନ। ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଅଭିଯୁକ୍ତ ନୂଆ ପ୍ରେମିକକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ମାମଲାର ଛାନ୍ଭିନ୍ ଚଳାଇଛି। ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଲେନ୍ କଲୋନି ନିକଟରେ ଆଜି ଘଟିଥିବା ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଉକ୍ତ ଛାତ୍ରୀ ଓ ପ୍ରିୟରଞ୍ଜନ ଏକ ନିଛାଟିଆ ସ୍ଥାନରେ ଠିଆ ହୋଇ ଗପସପ ହେଉଥିଲେ। ହଠାତ୍ ଅନ୍ୟ ଜଣେ ଯୁବକ ଓ ତାଙ୍କ ସାଙ୍ଗ ଏକ ବାଇକ୍ରେ ଆସି ସେଠାରେ ଅଟକିଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ହଠାତ୍ ବାଇକ୍ରେ ଆସିଥିବା ଯୁବକ ଏକ ଛୁରିରେ ପ୍ରିୟରଞ୍ଜନକୁ ଭୁସି ଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ପ୍ରିୟରଞ୍ଜନ ତଳେ ପଡ଼ିଯାଇଥିଲେ। ଛାତ୍ରୀଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ଲୋକମାନେ ଆସୁଥିବା ଦେଖି ବାଇକ୍ ଯୋଗେ ଛୁରି ମାରିଥିବା ଯୁବକ ଓ ତା ସାଙ୍ଗ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକଙ୍କ ହାବୁଡ଼ରୁ ବର୍ତ୍ତି ପାରିନଥିଲେ। ସେମାନଙ୍କୁ କାବୁ କରିବା ସହ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ଥାନା ପିସିଆର୍ ସେଠାରେ ପହଞ୍ଚି ଆହତ ପ୍ରିୟରଞ୍ଜନକୁ ହସ୍ପିଟାଲ ନେଇଥିଲା ଓ ଲୋକଙ୍କଠାରୁ ଛୁରି ମାରିଥିବା ଅଭିଯୁକ୍ତକୁ ଥାନାକୁ ନେଇଥିଲା।
ବୁଝୁବୁଝୁ ଜଣାପଡ଼ିଥିଲା ଯେ ଛାତ୍ରୀଜଣଙ୍କୁ ପ୍ରିୟରଞ୍ଜନ ଭଲ ପାଉଥିଲେ। ସେମାନେ ଗୋଟିଏ କଲେଜରେ ପଢ଼ୁଥିବାରୁ ପ୍ରେମ ସମ୍ପର୍କ ଥିଲା। ମାତ୍ର କିଛି ଦିନ ପରେ ଛାତ୍ରୀ ଜଣକ ତାଙ୍କୁ ଛାଡ଼ି ସେହି କଲେଜର ଅନ୍ୟ ଜଣେ ଛାତ୍ରକୁ ଭଲ ପାଇବସିଲେ। ଏହା ଜାଣିବା ପରେ ପ୍ରିୟରଞ୍ଜନ ଛାତ୍ରୀଙ୍କଠାରୁ ଦୂରେଇ ଯାଇଥିଲେ। ମାତ୍ର ଗତ କିଛି ଦିନ ହେଲା ଛାତ୍ରୀ ଜଣକ କୌଣସି କାରଣରୁ ପୁଣି ପ୍ରିୟରଞ୍ଜନଙ୍କ ସହ ସମ୍ପର୍କ ଯୋଡ଼ିଥିଲା। ଏହାକୁ ନୂଆ ପ୍ରେମିକ ସହି ପାରୁନଥିଲା। ତେଣୁ ଛାତ୍ରୀ ଓ ପୁରୁଣା ପ୍ରେମିକ ପ୍ରିୟରଞ୍ଜନ ଲୁଚିଛପି ମିଳାମିଶା କରୁଥିଲେ। ତେବେ ସେମାନଙ୍କ ଖବର ରଖୁଥିବା ନୂଆ ପ୍ରେମିକ ଆଜି କୌଣସି ସୂତ୍ରରୁ ସୂଚନା ପାଇଥିଲା ଯେ ସେମାନେ ଏଠାରେ ଏକାଠି ହୋଇଛନ୍ତି। ତେଣୁ ସେ ପ୍ରିୟରଞ୍ଜନ ଉପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇ ଆସିଥିଲା ଓ ଛୁରିରେ ଆକ୍ରମଣ କରିଥିଲା।
  
 Follow Us