କୂଳ ଛୁଇଁଲା କୁଆଖାଇ, ବନ୍ଧ ଉପରେ ଇଟାଭାଟି ବସ୍ତି ବାସିନ୍ଦା

Advertisment
କୂଳ ଛୁଇଁଲା କୁଆଖାଇ, ବନ୍ଧ ଉପରେ ଇଟାଭାଟି ବସ୍ତି ବାସିନ୍ଦା

ଚନ୍ଦ୍ରଶେଖରପୁର: କୁଆଖାଇ ନଦୀ ଜଳସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ଅବସ୍ଥାରେ ବର୍ତମାନ ନଦୀ ପଠାରେ ଝୁମ୍ପୁଡ଼ି ଘର କରି ରହିଥିବା ବସ୍ତିବାସିନ୍ଦା ଘର ଛାଡ଼ି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ପାଖାପାଖି ୪୦ଟି ପରିବାର ସ୍ଥାନୀୟ ଏକ ଇଟାଭାଟିରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଟି ପରିବାର କୁଆଖାଇ ବନ୍ଧ ତଳେ ରହୁଥିଲେ। ଅନ୍ୟ ସାତଟି ପରିବାର ନଦୀ ପଠାରେ ଝୁମ୍ପୁଡ଼ି ଘର କରି ରହୁଥିଲେ। ପଠ‌ାରେ ରହୁଥିବା ଘରେ ପାଣି ପଶିବାରୁ ବସ୍ତିବାସିନ୍ଦା ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ମାତ୍ର ବନ୍ଧରେ ମୁଣ୍ଡଗୁଞ୍ଜିଥିବା ବସ୍ତିବାସିନ୍ଦାଙ୍କୁ ପଲିଥିନ୍ ଆବଶ୍ୟକ ବୋଲି ସେମାନେ ଜଣାଇଛନ୍ତି।

ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁର୍ବଳ ସ୍ଥାନରେ ବାଲିବସ୍ତା ଓ ବନ୍ଧ ମରାମତି ନେଇ ମାଟି ପଥର ପକାଯାଇଛି। ଝିଙ୍ଗଢ଼ିଅ ଠାରୁ ଇଞ୍ଜଣା ପର୍ଯ୍ୟନ୍ତ ଅଞ୍ଚଳ ନଦୀପଠାରୁ ଦୂରେଇ ପାଣି ରହିଥିବା ବେଳେ ମଞ୍ଚେଶ୍ବର ସାଇଫନ୍ ନିକଟରେ ପାଣି କୂଳ ଛୁଇଁଲାଣି। ମଞ୍ଚେଶ୍ବର ଓ ହଂସପାଳ ନିକଟରେ ଅନେକ ସ୍ଥାନରେ ନଦୀପଠାରେ ପାହାଚ ବୁଡ଼ିଯାଇଥିବା ବେଳେ ଲୋକମାନଙ୍କୁ ନଦୀରେ ଶୌଚ କିମ୍ବା ସ୍ନାନ କରିବା ନେଇ ବାରଣ କରାଯାଇଛି। ମଞ୍ଚେଶ୍ବର ଓ ନନ୍ଦନକାନନ ଥାନା ପକ୍ଷରୁ ନଦୀ ପଠାରେ ପାଟ୍ରୋଲିଂ କରାଯାଇ ନଦୀରେ ଗା‌ଧୋଉଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ସ୍ଥାନୀୟ କୃଷକମାନେ ପଠାରେ କରିଥିବା ପନିପରିବା ଚାଷ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe