ଚନ୍ଦ୍ରଶେଖରପୁର: ଗତ ଲଘୁଚାପ ଜନିତ ବର୍ଷାଜଳ ନ ଛାଡ଼ୁଣୁ ହୀରାକୁଦ ଗେଟ୍ ଖୋଲା ଯାଇଥିବାରୁ ମହାନଦୀ ସମେତ ସମସ୍ତ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଭୁବନେଶ୍ବର ଉପକଣ୍ଠ ଦେଇ ଯାଇଥିବା କୁଆଖାଇ ନଦୀ ଫୁଲିବାରେ ଲାଗିଛି। ଆଜି ବିଳମ୍ବିତ ରାତିରେ ବନ୍ୟାପାଣି ବଢ଼ି ନଦୀର ଦୁଇପାଖ ବନ୍ଧ ଛୁଇଁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ନାନପୁରଠାରୁ ହଂସପାଳ ପର୍ଯ୍ୟନ୍ତ ସମସ୍ତ ତୁଠ ବୁଡ଼ିଯିବା ସହ ବିଭିନ୍ନ ଦୁର୍ବଳ ବନ୍ଧ ସ୍ଥାନରେ ସ୍ଥାନୀୟ ଲୋକ କଡ଼ା ନଜର ରଖିଛନ୍ତି।
ଆଜି ନଗରୀ କାଠ ପୋଲ ବୁଡ଼ିବା ସହ ନୂଆ ବ୍ରିଜ୍ ସବୁ ବିମ୍ ବୁଡ଼ି ପ୍ରବଳ ସ୍ରୋତରେ ବନ୍ୟାପାଣି ପ୍ରବାହିତ ହୋଇଛି। ସେହିଭଳି ଗଣ୍ଡରପୁରଗଡ଼ା ଓ କଲ୍ୟାଣପୁର ବାଣିଘାଟ ମଧ୍ୟ ଜଳମଗ୍ନ ହୋଇଯାଇଛି। ବରିମୁଣ୍ଡ ଗ୍ରାମ ମାରୁତି ମଣ୍ଡପ ନିକଟକୁ ପାଣି ପହଞ୍ଚିଛି। ଭୁବନେଶ୍ବର ବାଲିଯାତ୍ରା ପଡ଼ିଆର ପାଖାପାଖି ୫୦ ଭାଗ ବନ୍ୟାପାଣିରେ ବୁଡ଼ି ଯାଇଛି। ମଞ୍ଚେଶ୍ବର ସାଇଫନ୍ ନିକଟରେ ଏକ ଘାଇ ସୃଷ୍ଟି ହୋଇ ମାଟି ଅତଡ଼ା ଖସିବା ସହ ନହରକଣ୍ଟା କାଜୁବାଦାମ ପଠା ଜଳମଗ୍ନ ହୋଇଛି। ତେବେ ଶନିବାର ବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ହୋଇଥିବାରୁ ବନ୍ୟାକୁ ଭୟ ନାହିଁ ବୋଲି କିଛି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଆଉ ବର୍ଷା ହେଲେ, ନଦୀକୂଳିଆ ଏହି ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
Follow Us