କୁଆଖାଇ ଡେଥ୍‌ ଜୋନ୍‌ : ୫ ବର୍ଷରେ ଗଲାଣି ୩୬ ଜୀବନ

ଆସୁଛି ହୋଲି, ହଜିଗଲାଣି ସତର୍କ ସୂଚନା

କୁଆଖାଇ ଡେଥ୍‌ ଜୋନ୍‌ : ୫ ବର୍ଷରେ ଗଲାଣି ୩୬ ଜୀବନ

ଭୁବନେଶ୍ବର : ୨୦୧୮ ଜୁଲାଇ ମାସ ୨୧ ତାରିଖ। କୁଆଖାଇ ନଦୀରେ ବୁଡ଼ି ସୁମିତ୍ରା ଦାସ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲା। ଠିକ୍‌ ଏହାର ୪ ଦିନ ପରେ ୟୁନିଟ-୯ ସରକାରୀ ବିଦ୍ୟାଳୟର ଦୁଇ ଛାତ୍ର ସାପିକ ଦିଗାଲ ଓ ଜଗମୋହନ ସାହୁ ନାମକ ଦୁଇ ନବମ ଶ୍ରେଣୀ ଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଆଉ ୩ ଜଣ ଛାତ୍ର ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତି ଯାଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା। କୁଆଖାଇ ନଦୀର ଯେଉଁ ସବୁ ସ୍ଥାନ ବିପଜ୍ଜନକ ସେଠାରେ ସତର୍କ ସୂଚନା ଲଗାଇବାକୁ ଡିସିପି ଅନୁପ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗତକାଲି କୁଆଖାଇ ନଦୀର ବଙ୍କୁଆଳ ଘାଟ ଗଣ୍ଡରେ ବୁଡ଼ି ମନୀନ୍ଦ୍ର ଖଟୁଆ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଲା। ମାତ୍ର ୭ ମାସ ମଧ୍ୟରେ କୁଆଖାଇରେ ବୁଡ଼ି ୪ ଜଣଙ୍କ ଜୀବନ ଗଲାଣି। କିନ୍ତୁ ଏଯାଏ କମିସନରେଟ ପୁଲିସ ପକ୍ଷରୁ କୁଆଖାଇ ନଦୀରେ ସତର୍କ ସୂଚନା ଲାଗି ପାରିଲା ନାହିଁ। ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କ ସୂଚନା ଲଗାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ କମିସନରେଟ ପୁଲିସ ନା ଅଗ୍ନିଶମ ବିଭାଗ କେହି ବି ଏ ଦିଗରେ ଉଦ୍ୟମ କରୁନାହାନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡ଼ି ପଡ଼ୁଛି।

ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ଏବେ ଡେଥ୍‌ଜୋନ୍‌ରେ ପରିଣତ ହୋଇ ଗଲାଣି। କିଏ ନଦୀରେ ବୁଡ଼ି ପ୍ରାଣ ହରାଉଛି ତ କିଏ ଆତ୍ମହତ୍ୟା କରିବାକୁ ନଦୀକୁ ଲମ୍ଫ ଦେଉଛନ୍ତି। ହିସାବ କହୁଛି ଗତ ୫ ବର୍ଷ ମଧ୍ୟ‌ରେ କୁଆଖାଇରେ ବୁଡ଼ି ପାଖାପାଖି ୩୬ ଜଣଙ୍କ ମୃତ୍ୟୁ ଘଟିଲାଣି। ବିଶେଷକରି ଗ୍ରୀଷ୍ମ ଓ ବର୍ଷା ଋତୁ ଏବଂ ହୋଲିବେଳେ ଏଭଳି ଅଘଟଣ ଆଶଙ୍କା ବଢ଼ି ଯାଇଥାଏ।

ଅନ୍ୟପକ୍ଷରେ ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, କୁଆଖାଇ ନଦୀର କିଛି ସ୍ଥାନ ଅତ୍ୟନ୍ତ ଅଗଭୀର। କେତେକ ସ୍ଥାନରେ ବାଲି ଧସେଇବା ଯୋଗୁ ଏଭଳି ଅଘଟଣ ଘଟିଥାଏ। ଏହା ଛଡ଼ା ଏହି ନଦୀରୁ ଲଗାତାର ବାଲି ଉଠାଣ ହେଉଛି। ଫଳରେ ନଦୀର କିଛି ନିର୍ଦିଷ୍ଟ ସ୍ଥାନରେ ଗର୍ତ ସୃଷ୍ଟି ହୋଇଥାଏ। ବର୍ଷା ହେଲେ ବା ବନ୍ୟା ଆସିଲେ ସେହି ସ୍ଥାନରେ ପାଣି ଜମି ଯାଇଥାଏ। ଅଜଣା ଲୋକ ଗାଧୋଇବା ବେଳେ ସେଠାରେ ବୁଡ଼ି ଯାଇଥାଏ। କିଛି ଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ କୁଆଖାଇର କେତେକ ନିର୍ଦିଷ୍ଟ ସ୍ଥାନରେ ନ ଗା‌ଧୋଇବାକୁ ସତର୍କ ସୂଚନା ବୋର୍ଡ ଲଗାଯାଇଥିଲା। ଏବେ ସେହି ବୋର୍ଡ ହଜି ଗଲାଣି। ସେହିପରି ଅନେକ ସମୟରେ ନଦୀକୁ ଡେଇଁ କିଛି ଲୋକ ଆତ୍ମହତ୍ୟା କରିଥିବା ଉଦାହରଣ ରହିଛି। ୩ ବର୍ଷ ତଳେ ଜଣେ କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀଙ୍କ ପତ୍ନୀ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ସବୁ ସ୍ଥାନରେ ସତର୍କ ସୂଚନା ଲଗାଇବା ସମ୍ଭବ ନୁହେଁ। ତେବେ ହୋଲି ପୂର୍ବରୁ କମିସନରେଟ୍‌ ପୁଲିସ ପକ୍ଷରୁ ନିଶ୍ଚିତ ଭାବେ ସତର୍କ ସୂଚନା ବୋ‌ର୍ଡ ଲଗାଯିବ।

କେତୋଟି ପ୍ରମୁଖ ଘଟଣା

ମାର୍ଚ ୧୯, ୨୦୧୭: ହୋଲି ଖେଳି ସାରି ଗାଧୋଇ ଯାଇଥିବା ଲିଟୁ ସେନାପତୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୩ ଜଣ ବନ୍ଧୁଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।
ଜୁଲାଇ ୧୨, ୨୦୧୭: ମାନସ କୁମାର ମହାଳିକ ନାମକ ଜଣେ ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ
ସେପ୍ଟମ୍ବର ୩, ୨୦୧୭ : ସୁକାନ୍ତ ବେହେରା ନାମକ ଜଣେ ଯୁବକ ମାଛ ଧରୁଥିବାବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ।
ମାର୍ଚ ୧୧, ୨୦୧୮: ବରିମୁଣ୍ତ ନିକଟରେ କୁଆଖାଇ ନଦୀରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ। ଏଯାଏ ଯୁବକଙ୍କ ପରିଚୟ ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe