Kuakhai river: କୁଆଖାଇ ନଦୀପଠା ପାଲଟିଲା ‘ପାଟ୍‌ନା ଘାଟ’: ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଆରାଧନା

କେଲଵା କେ ପାତ୍‌ପର୍ ଉଗଲନ୍ ସୂରଜ ମନ ଝାକେଁ ଉଁକେ, ହୋ କରେଲୁ ଛଟ୍‌ ବରତିଆ ସେ ଝାକେଁ ଉଁକେ’ ସଙ୍ଗୀତରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ। କୁଆଖାଇ ନଦୀ ପଠା ପାଲଟିଥିଲା ‘ପାଟ୍‌ନା ଘାଟ’।

dagdagdacvzcvcv

ଭୁବନେଶ୍ୱର:‘କେଲଵା କେ ପାତ୍‌ପର୍ ଉଗଲନ୍ ସୂରଜ ମନ ଝାକେଁ ଉଁକେ, ହୋ କରେଲୁ ଛଟ୍‌ ବରତିଆ ସେ ଝାକେଁ ଉଁକେ’ ସଙ୍ଗୀତରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ। କୁଆଖାଇ ନଦୀ ପଠା ପାଲଟିଥିଲା ‘ପାଟ୍‌ନା ଘାଟ’। ବାଲୁକାରେ ଛଟି ମା’ଙ୍କ ବେଦି ତିଆରି କରି ଏହାର ଚାରିପଟେ ସୁସଜ୍ଜିତ କଳସ ଓ ଆଖୁ ଡାଳରେ ସଜାଇ ମା’ଙ୍କୁ ଆରାଧନା କରିଥିଲେ ଶହ ଶହ ବ୍ରତଧାରୀ। ଏହା ପରେ ବାଉଁଶ ଟୋକେଇ ଓ କୁଲାରେ ଅଟା, ଗୁଡ଼ ଓ ଘିଅରେ ନିର୍ମିତ ‘ଠେକୁଆ’ ପ୍ରସାଦ ସହିତ ବିଭିନ୍ନ ପ୍ରକାର ଫଳ, ଚାଉଳ ଲଡ଼ୁ ସହିତ ଧୂପ ଦୀପ ନୈବେଦ୍ୟ ଦେଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ନବବଧୂ ପରି ମୁଣ୍ଡରେ ନାଲି ଓଢ଼ଣୀ ସହିତ ନାକ ଯାଏଁ କେଶରିଆ ସିନ୍ଦୁର ପିନ୍ଧି ପୂଜା କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଯିଏ ବି ଦେଖୁଥିଲା ଘଡ଼ିଏ ରହିଯାଉଥିଲା। ଏପରିକି କିଛି ଜଣ ଏହି ଅପୂର୍ବ ଦୃଶ୍ୟକୁ କ୍ୟାମେରାରେ ମଧ୍ୟ ରେକର୍ଡ କରି ରଖୁଥିଲେ। ବିହାରୀମାନଙ୍କ ଗଣପର୍ବ ଛଟ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ। ସହରରେ ବିହାର, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ ଆଦି ଅଞ୍ଚଳର ମୂଳ ନିବାସୀ ଶହ ଶହ ଭକ୍ତ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କୁଆଖାଇ ନଦୀପଠାରେ ସମବେତ ହୋଇ ଆଜି ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜନ କରିଥିଲେ। ଆସନ୍ତାକାଲି ଉଦିତ ସୂର୍ଯ୍ୟଙ୍କୁ ପୁଣି ଥରେ ଅର୍ଘ୍ୟ ଦେଇ ସେମାନେ ବ୍ରତ ଭଙ୍ଗ କରିବେ। 

ଛଟ୍‌ର ପ୍ରଥମ ଦିନକୁ ‘ନାହାଏ ଖାଏ’ ଭାବରେ ପାଳନ କରାଯାଏ। ଯେଉଁଥିରେ ଗାଧୋଇବା ପରେ ଲାଉ ସନ୍ତୁଳା, ଚଣା ଡାଲି, ଘିଅ ଅନ୍ନ ଖାଇବା ପରେ ବ୍ରତ ଆରମ୍ଭ ହୁଏ। ଦ୍ୱିତୀୟ ଦିନରେ ଭକ୍ତମାନେ ଦିନସାରା ଉପବାସ କରି ସନ୍ଧ୍ୟାରେ ଗୁଡ଼, ଚାଉଳ ଓ ଘିଅରେ ପ୍ରସ୍ତୁତ କ୍ଷୀରି ଖାଆନ୍ତି ଯାହାକୁ ‘ଖର୍‌ନା’ ବୋଲି କୁହାଯାଏ। ସେହିପରି ତୃତୀୟ ଦିନ ବ୍ରତଧାରୀମାନେ ଉପବାସ କରି ‘ଠେକୁଆ’ ପ୍ରସାଦ ସହିତ ବିଭିନ୍ନ ପ୍ରକାର ଫଳ, ଚାଉଳ ଲଡ଼ୁ ଆଦି ଦେଇ ସୂର୍ଯ୍ୟଙ୍କୁ ସପରିବାର ପୂଜା କରନ୍ତି। 

କିଟ୍‌ରେ ଛଟ୍‌ ପୂଜା

ଚନ୍ଦ୍ରଶେଖରପୁର: କିଟ୍‍ ବିଶ୍ୱବିଦ୍ୟାଳୟରେ ଭକ୍ତି ଓ ପାରମ୍ପରିକ ଉତ୍ସାହ ସହିତ ସୋମବାର ଉତ୍ତର ଭାରତର ଗଣପର୍ବ ପବିତ୍ର ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିହାର ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଟି ମାତାଙ୍କ ଆରାଧନା କରିଥିଲେ। ପାରମ୍ପରିକ ପୋଷାକ ପିନ୍ଧି ସେମାନେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇ ଛଟି ମାଆ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବା, ଖୁସି, ଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କିଟ୍ ଉପକୁଳପତି ପ୍ରଫେସର ରାଜୁ କେଡି, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ଅଧିକାରୀ, ଅଧ୍ୟାପକ, କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe