ପକ୍କା ରାସ୍ତା ଅପେକ୍ଷାରେ କୁବେରପୁରୀ: ଟିକସ ଦେଉଛନ୍ତି, ସରକାର ଶୁଣୁନାହାନ୍ତି

Advertisment

କାଦୁଅ, ଧୂଳି ଓ ଖାଲଖମା ରାସ୍ତା ଯୋଗୁ ବ୍ୟବସାୟୀ ନାକେଦମ୍‌ ହେଉଥିଲେ ବି କାହା ଆଖିରେ ପଡ଼ୁନି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଆଇଗିଣିଆ କୁବେରପୁରୀରେ। ପ୍ରତିଦିନ ଓଡ଼ିଶାର ରୋ‌ଷେଇ ଘରକୁ ଆଳୁ.....

କାଦୁଅ, ଧୂଳି ଓ ଖାଲଖମା ରାସ୍ତା ଯୋଗୁ ବ୍ୟବସାୟୀ ନାକେଦମ୍‌ ହେଉଥିଲେ ବି କାହା ଆଖିରେ ପଡ଼ୁନି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଆଇଗିଣିଆ କୁବେରପୁରୀରେ। ପ୍ରତିଦିନ ଓଡ଼ିଶାର ରୋ‌ଷେଇ ଘରକୁ ଆଳୁ.....

fddfcvcv

ଖଣ୍ଡଗିରି: କାଦୁଅ, ଧୂଳି ଓ ଖାଲଖମା ରାସ୍ତା ଯୋଗୁ ବ୍ୟବସାୟୀ ନାକେଦମ୍‌ ହେଉଥିଲେ ବି କାହା ଆଖିରେ ପଡ଼ୁନି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଆଇଗିଣିଆ କୁବେରପୁରୀରେ। ପ୍ରତିଦିନ ଓଡ଼ିଶାର ରୋ‌ଷେଇ ଘରକୁ ଆଳୁ, ପିଆଜ, ଅଦା, ରସୁଣ ଯୋଗାଉଥିବା ଏହି କୁବେରପୁରୀରେ ସବୁଥାଇ ବି ଶ୍ରୀହୀନ ପାଲଟିଛି। ଆଳୁଦର ବଢ଼ିଲେ ଏଠାକୁ ଯୋଗାଣ ମନ୍ତ୍ରୀ, ମେୟର ଓ ବଡ଼ବାବୁଙ୍କ ଗାଡ଼ି ଗଡ଼ୁଛି। ତଥାପି କୁବେରପୁରୀ ଉନ୍ନତୀକରଣ ଦିଗରେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ପରିସ୍ଥିତି ଏପରି ହୋଇଛି ଯେ ବାହାର ରାଜ୍ୟରୁ ମାଲ୍‌ ଆଣି ଆସୁଥିବା ଟ୍ରକ୍‌ର ଡ୍ରାଇଭର୍‌ମାନେ ଏଠାକୁ ଆଉଥରେ ଆସିବାକୁ ଅମଙ୍ଗ ହେଉଛନ୍ତି।

ସୂଚନାଯୋଗ୍ୟ, ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଦେଢ଼ଶହରୁ ଅଧିକ ଟ୍ରକ୍‌ ଏହା ଭିତରକୁ ଯା’ଆସ କରେ। ସେହିପରି ଖୁଚୁରା ବେପାରୀଙ୍କର ମଧ୍ୟ ଭିଡ଼ ଜମିଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏଠାରୁ ପରିବା ଯୋଗାଣ ହେଉଛି। ଦିନେ ଦୁଇଦିନ ଯୋଗାଣ ବନ୍ଦ ହେଲେ ରାଜ୍ୟରେ ଆଳୁ ଓ ପିଆଜ ସଙ୍କଟ ଦେଖାଦିଏ। ତେବେ ଏତେ ସଂଖ୍ୟକ ଗାଡ଼ି ଆସୁଥିଲେ ମଧ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉନାହିଁ। ତେବେ ଖାଲଖମା ରାସ୍ତା ଯୋଗୁ ଏଠାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଶ୍ରୀକ୍ଷେତ୍ରବିହାର, ରଶ୍ମି ଆପାର୍ଟମେଣ୍ଟ, ମହାଦେବବିହାର ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାସ୍ତାରେ ଗାଡ଼ି ଜାମ୍‌ ହୋଇ ରହୁଛି। ଟ୍ରକ୍‌ ଯିବା ସମୟରେ ଏତେ ପରିମାଣର ଧୂଳି ଉଡ଼ୁଛି ଯେ ନିଶ୍ବାସପ୍ରଶ୍ବାସ ନେବା ବି ଅସମ୍ଭବ ହୋଇପଡୁଛି। ସେହିପରି ବର୍ଷା ଦିନେ କୁବେରପୁରୀର ଅବ୍ୟବସ୍ଥା ସମ୍ପର୍କରେ ସମସ୍ତେ ଅବଗତ। କାଦୁଅ ପଚପଚ ରାସ୍ତାରେ ଗାଡ଼ି ଫସିରୁହେ। ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ କମ୍‌ମୂଲ୍ୟରେ ଏଠାରୁ ପରିବା କିଣି ନିଜ ଅଞ୍ଚଳରେ ବ୍ୟବସାୟ କରନ୍ତି। ଏହା ବାବଦରେ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କଠାରୁ ଟିକସ ସଂଗ୍ରହ କରାଯାଏ। ମାତ୍ର ଏହି ବଜାରର ଉନ୍ନତି କଥା ଯେମିତି ଭୁଲି ଯାଇଛନ୍ତି ସରକାର। ଏପରିକି ସମସ୍ୟାକୁ ନେଇ ସେମାନେ ବିଡିଏ ଏବଂ ବିଏମ୍‌ସିକୁ ବ୍ୟବସାୟୀ ସଂଘ ବାରମ୍ବାର ଦାବିପତ୍ର ଦେଇଥିଲେ ମଧ୍ୟ ଫଳ ଶୂନ।

ବ୍ୟବସାୟୀ ସଂଘ କହିଛି, ରାଜଧାନୀର ଆଳୁ ଓ ପିଆଜ ପାଇକାରୀ ବ୍ୟବସାୟୀଙ୍କ ସୁବିଧା ପାଇଁ ୨୫ଏକର ସ୍ଥାନରେ ୧୯୯୧ ମସିହାରେ ଆଳୁଗଦି ପ୍ରତିଷ୍ଠା ହୋଇଥିଲା। ଏଠାରେ କିଓସ୍କ, ପେଟ୍ରୋଲ୍‌ ପମ୍ପ, ଶୀତଳଭଣ୍ଡାର, ଗ୍ୟାରେଜ୍‌, ଟ୍ରକ୍‌ ପାର୍କିଂ, ଶୌଚାଳୟ, ଗୋଦାମଗୃହ ଆଦି ରହିଛି। ବାର୍ଷିକ ଶହଶହ କୋଟି ଟଙ୍କାର ରାଜସ୍ବ ଆଦାୟ ମଧ୍ୟ ହୋଇଥାଏ। ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କଠାରୁ ୧୦ ରୁ ୨୦ ହଜାର ଓ ଶୀତଳଭଣ୍ଡାର ମାଲିକଙ୍କଠାରୁ ୩୦ରୁ ୪୦ ହଜାର ଟଙ୍କା ଟିକସ ନିଆଯାଏ। ଏତେ ବଡ଼ ବଜାର ହୋଇଥିଲେ ମଧ୍ୟ ଉନ୍ନତମାନର ପକ୍କା ରାସ୍ତାଟିଏ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ସନ୍ଧ୍ୟା ହେଲେ ଏହି ବଜାରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଖୁଲମଖୁଲା ବେଆଇନ ମଦ ବିକ୍ରି ଚାଲୁଛି। ପୁଲିସ ସବୁଜାଣି ବି ନିରବ। ଫାଣ୍ଡି ପ୍ରତିଷ୍ଠା ପାଇଁ ଅନେକ ଦିନରୁ ଦାବି ହୋଇଆସୁଥି‌‌ଲେ ମଧ୍ୟ କେହି ଶୁଣୁ ନାହାନ୍ତି। ସେହିପରି ବଜାରରୁ ବାହାରୁଥିବା ଆର୍ବଜନା ସଫେଇକୁ ଗୁରୁତ୍ବ ଦିଆନଯିବା ଫଳରେ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି।

ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ମିଶ୍ର କହିଛନ୍ତି, ଆଇଗିଣିଆ ପାଇକାରୀ ବିପଣନ କେନ୍ଦ୍ରରେ ସମସ୍ୟାର ଲମ୍ବା ତାଲିକା ରହିଛି। ଆଳୁଦର ବଢ଼ିବା ସମୟରେ ମନ୍ତ୍ରୀ ଆସିଥିଲେ। ଅଧିକା‌ରୀମାନଙ୍କର ଲମ୍ବା ଧାଡ଼ି ମଧ୍ୟ ଲାଗିଥିଲା। ସମସ୍ତଙ୍କୁ ଅଭିଯୋଗ କରି କରି ଥକିଗଲୁଣୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe