ଯଶୁଆପୁର ଗ୍ରାମରେ ଧୁମ୍‌ଧାମ୍‌ରେ ହେଲା କୁମାରୀ ବିବାହ

Advertisment
ଯଶୁଆପୁର ଗ୍ରାମରେ ଧୁମ୍‌ଧାମ୍‌ରେ ହେଲା କୁମାରୀ ବିବାହ

ବାଲିଅନ୍ତା : କୁମାରପୂର୍ଣ୍ଣିମା ଅବସରରେ ଆଜି ସକାଳୁ ରାତି ପର୍ଯ୍ୟନ୍ତ ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା। ଏନେଇ ଗାଁ ଦାଣ୍ଡରେ ଟେଣ୍ଟ୍‌ ବନ୍ଧାଯିବା ସହ ବରକନ୍ୟା ବାହାଘର ପାଇଁ ବେଦି ସଜା ଯାଇଥିଲା। ଏଥିସହିତ ମାଇକ୍‌, ଡିଜେ ସାଉଣ୍ଡ, ସମ୍ବଲପୁରୀ ବାଜା ଏବଂ ବାଣ ଶବ୍ଦରେ କମ୍ପି ଉଠିଥିଲା ଗାଁ ଦାଣ୍ଡ। ଆଉ ଶଙ୍ଖ ତଥା ପୁରୋହିତର ମନ୍ତ୍ର ଉଚ୍ଚାରଣ ତାଳେ ତାଳ ଗ୍ରାମର ମହିଳା ଏବଂ ଯୁବତୀଙ୍କ ହୁଳହୁଳି ଶବ୍ଦରେ ସଂପନ୍ନ ହୋଇଥିଲା ବର କନ୍ୟା ସାଜିଥିବା ଦୁଇ କୁନି କୁନି ଝିଅଙ୍କର ବୈଦିକ ରୀତିରେ ଯଥାବିଧି ବାହାଘର। ଏହି ବାହାଘରର ଶୁଭ ସମୟ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୭ଟା ୪୫ ମିନିଟ ସମୟରେ ଗ୍ରାମବେଦତୀ ମା’ ଜାଗେଶ୍ୱରୀଙ୍କ ପୀଠରେ ଦିଅଁମଙ୍ଗୁଳା କାର୍ଯ୍ୟ ସହିତ କନ୍ୟା ବର୍ଷାପ୍ରିୟଦର୍ଶିନୀ ବେହେରା ବାଢ଼ୁଅ ପାଣିରେ ଗାଧୋଇ ଥିଲେ ।

ଏଣେ ବରବେଶ ହୋଇ କାରରେ ବସି ବିଜୟଲକ୍ଷ୍ମୀ ପ୍ରଧାନ ସାଙ୍ଗରେ ବରଯାତ୍ରୀ ଧରି କନ୍ୟାଘରେ ପହଞ୍ଚିଥିଲେ । ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ କନ୍ୟାଘର ନିକଟରେ ପହଞ୍ଚିବା ପରେ ବରକୁ କନ୍ୟାପିତା ବାଟବରଣି ବି କରିଥିଲେ। ସେଠାରେ ବରଯାତ୍ରୀମାନଙ୍କୁ ଥଣ୍ଡା ଓ ଚା’ ପାଣି ଦେଇ ସତ୍କାର କରାଯାଇଥିଲା। ସମବେତ କୁମାରୀ ଓ ମହିଳାମାନେ ବେଦିରେ ବରକୁ ବନ୍ଦାପନା କରିଥିବା ବେଳେ କନ୍ୟାମାତା ସୁନାମୁଦି ଦେଇଥିଲେ। କିନ୍ତୁ ରାତିରେ ଗାଁରେ ସମୂହ ଭୋଜନର ବ୍ୟବସ୍ଥା ହୋଇଥିଲା। ତପସ୍ୱିନୀ ପ୍ରଧାନ କନ୍ୟାପିତା ଭାବେ ଅଭିନୟ କରିଥିବା ବେଳେ ବରପିତା ହୋଇଥିଲେ ଦୀପ୍ତିମୟୀ ପ୍ରଧାନ । ସେହିପରି ରଶ୍ମିତା ପ୍ରଧାନ ପୁରୋହିତ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ମୋନାଲିସା ବେହେରା , ସଂଯୁକ୍ତା ପ୍ରଧାନ , ପୁଷ୍ପଲତା ପ୍ରଧାନ, ରିଙ୍କୁ , ସୋନି , ପୂଜା ଏବଂ ବିଶ୍ୱଲିପ୍ସାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe