ଭୁବନେଶ୍ୱର : ପରିବେଶ ପ୍ରଦୂଷଣ ରୋକିବା, ମହିଳାଙ୍କ ସୁରକ୍ଷା ଓ ଶିଶୁଙ୍କ ନିରାପତ୍ତା ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନେପାଳରୁ ବାହାରିଥିବା ‘ସାଇକେଲ୍ ଯାତ୍ରା’ ଭୁବନେଶ୍ୱରରେ ପହଞ୍ଚିଛି। ବୌଦ୍ଧ ଧର୍ମଗୁରୁ ଜି ଡ୍ରୁପ୍କାଙ୍କ ନେତୃତ୍ୱରେ ଶତାଧିକ ବୌଦ୍ଧ ସନ୍ନ୍ୟାସିନୀ ଏହି ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଆଜି ସଚିବାଳୟରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସାଇକେଲ୍ ଯାତ୍ରା ରାଜ୍ୟରେ ଥିବା ବୌଦ୍ଧ ଐତିହ୍ୟସ୍ଥଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ବୌଦ୍ଧ ପର୍ଯ୍ୟଟନର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାଓ୍ଵଲେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ସାଇକେଲ୍ରେ ଯାତ୍ରାରେ ସାମିଲ୍ ହୋଇଥିବା ବୌଦ୍ଧ ସନ୍ନ୍ୟାସିନୀମାନଙ୍କୁ ‘କୁଙ୍ଗ୍ ଫୁ ନନ୍’ କୁହାଯାଉଛି। ଶାନ୍ତିର ବାର୍ତ୍ତା ଦେଉଥିବା ଏହି ନନ୍ମାନେ ଆଧୁନିକ କୁଙ୍ଗ୍ ଫୁର ପ୍ରଚାର ଓ ପ୍ରସାର ସହ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ଏମାନେ କୁଙ୍ଗ୍ ଫୁ ଶିକ୍ଷା ଲାଭ କରି ଝିଅମାନଙ୍କୁ ଆତ୍ମରକ୍ଷା କରିବାର ସରଳ ଉପାୟ ଉପଲବ୍ଧ କରାଉଛନ୍ତି। ତିନି ମାସ ଧରି ସେମାନଙ୍କର ଏହି ସାଇକେଲ୍ ଯାତ୍ରା ଚାଲିବ।
Follow Us