ଗଛରୁ ପଡ଼ି ଶ୍ରମିକ ମୃତ୍ୟୁ ମାମଲା : ଶବ ରଖି ଗୃହମାଲିକଙ୍କ ଦୁଆରେ ଧାରଣା

Advertisment
ଗଛରୁ ପଡ଼ି ଶ୍ରମିକ ମୃତ୍ୟୁ ମାମଲା : ଶବ ରଖି ଗୃହମାଲିକଙ୍କ ଦୁଆରେ ଧାରଣା

ଖଣ୍ଡଗିରି : ଯାଁଳାରେ ଗଛରୁ ପଡ଼ି ମୃତ୍ୟୁବରଣ କରିଥିବା ଶ୍ରମିକ କାବୁଲି ରାଉତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବି କରି ଗୁରୁବାର ପରିବାର ଓ ଗ୍ରାମବାସୀମାନେ ଗୃହମାଲିକଙ୍କ ଦୁଆରେ ମୃତଦେହ ରଖି ଧାରଣା ଦେଇଥିଲେ। ପରେ ଜଟଣୀ ଥାନା ପୁଲିସ ଉପସ୍ଥିତିରେ ଗୃହମାଲିକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨.୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ। ଏଥିସହିତ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ଫାଣ୍ଠିରୁ ୧୦ ହଜାର ଟଙ୍କା ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଗତକାଲି କାବୁଲି ଓଗାଳପଡ଼ ମୌଜାସ୍ଥିତ ଅଶୋକ ଦାସଙ୍କ ବାଡ଼ିରେ ଗଛ କାଟିବାକୁ ଚଢ଼ିଥିବାବେଳେ ହଠାତ୍‌ ଖସି ପଡ଼ିଥିଲେ। ଫଳରେ ବାଡ଼ିରେ ବଗିଚା ପାଇଁ ପୋତା ଯାଇଥିବା ଲୁହା ଆଙ୍ଗଲ୍‌ ଉପରେ ସେ ପଡ଼ିଥିଲେ ଓ ତାଙ୍କ ପେଟରେ ଲୁହା ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କାବୁଲି ପଡ଼ିଗଲା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ନିଆଯାଇ ନଥିଲା। ଗୃହମାଲିକ ଅଶୋକଙ୍କ ଅବହେଳାରୁ କାବୁଲିଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଆଜି ଶବ ବ୍ୟବଚ୍ଛେଦ କରି ଆଣିବା ପରେ ଯାଁଳା ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଅଶୋକଙ୍କ ଘର ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ। ପୂର୍ବରୁ ସୂଚନା ପାଇ ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲା ଓ ଲୋକଙ୍କୁ ବୁଝାଶୁଝା କରିଥିଲା। ମାତ୍ର କ୍ଷତିପୂରଣ ନ ଦେଲେ ଗ୍ରାମବାସୀମାନେ ଧାରଣାରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ। ପରେ ଅଶୋକ କାବୁଲିଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା ଦେବେ ବୋଲି ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe