ଯୁକ୍ତ୨ କଳାରେ ମେଧାବୀ ଅଭାବ : ନାମକରା କଲେଜ ନାଁ ନାହିଁ, ଜଣେ ବି ଛାତ୍ରଛାତ୍ରୀ ୯୦% ଟପିଲେନି

ଯୁକ୍ତ୨ କଳାରେ ମେଧାବୀ ଅଭାବ : ନାମକରା କଲେଜ ନାଁ ନାହିଁ, ଜଣେ ବି ଛାତ୍ରଛାତ୍ରୀ ୯୦% ଟପିଲେନି

ଭୁବ‌ନେଶ୍ୱର : ବିଜ୍ଞାନ ଓ ବାଣିଜ୍ୟ ପରି ଯୁକ୍ତ୨ କଳାରେ ଭୁବନେଶ୍ବରର ନାମକରା କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସହରର ଜଣେ ବି ହେଲେ ଛାତ୍ରଛାତ୍ରୀ ୯୦% ଡେଇଁ ନାହାନ୍ତି। ଦିନେ ମାଳମାଳ ମେଧାବୀ ସୃଷ୍ଟି କରି ମଣିଷ ତିଆରି କାରଖାନାରେ ପରିଣତ ହୋଇଥିବା ବିଜେବି ଜୁନିଅର କଲେଜରେ ଏବେ ମେଧାବୀଙ୍କ ଅଭାବ ଦେଖାଦେଇଛି। କେବଳ ବିଜେବି ନୁହେଁ, ସହରରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ କଲେଜରେ ମେଧାବୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ହାତଗଣତି ଅଳ୍ପ କିଛି ଛାତ୍ରଛାତ୍ରୀ ୮୦% ମାର୍କ ରଖିବାକୁ ସମର୍ଥ ହୋଇଛନ୍ତି। ମାଟ୍ରିକ୍‌ରେ ‘ଏ-୧’ ଗ୍ରେଡ୍‌ ରଖି ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ କଲେଜ ମାଟି ମାଡ଼ିବା ପରେ କିଭଳି ଖରାପ ପ୍ରଦର୍ଶନ କରୁଛନ୍ତି, ତାହା ଯୁକ୍ତ୨ କଳା ବିଭାଗ ପରୀକ୍ଷା ଫଳରୁ ସ୍ପଷ୍ଟ ଅନୁମେୟ କରାଯାଇପାରେ।

ବଡ଼ କଥା ହେଉଛି, ଲଗାତାର ଦ୍ବିତୀୟ ବର୍ଷ ଲାଗି ଭୁବନେଶ୍ବରରେ ଥିବା କଲେଜଗୁଡ଼ିକ ଏଭଳି ଖରାପ ପ୍ରଦର୍ଶନ କରିଛନ୍ତି। ଯୁକ୍ତ୨ କଳାରେ ନାମଲେଖା ବେଳେ ଅଧିକ କଟ୍‌ ଅଫ୍‌ ମାର୍କ ରହୁଥିବା ବିଜେବି, ରମାଦେବୀ, ରାଜଧାନୀ, ମହର୍ଷି, ଏକାମ୍ର, ଦେବରାୟ, ବିଜୁ ପଟ୍ଟନାୟକ ପରି କଲେଜର ପରୀକ୍ଷାଫଳ ବାରମ୍ବାର ଖରାପ ହେବାରେ ଲାଗିଛି। ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବହୁ ପରିମାଣରେ ହ୍ରାସ ପାଇଥିବା ଗତ ୫ବର୍ଷର ହିସାବକୁ ଦେଖିଲେ ଜଣାପଡ଼େ। ୨୦୧୫ରେ ଭୁବନେଶ୍ବରର ଯେତିକି ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ତଥା ୬୦%ରୁ ଅଧିକ ନମ୍ବର ରଖି ପାସ୍‌ କରୁଥିଲେ, ଏବେ ତାହା ବହୁ ପରିମାଣରେ କମିଛି। ଶିକ୍ଷାବିତ୍‌ଙ୍କ ମତରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି। ଭିତ୍ତିଭୂମି ସୁଦୃଢ଼ ନଥିବା ଦର୍ଶାଇ କଲେଜଗୁଡ଼ିକ ‌ଖସି ଯାଉଛନ୍ତି। ତେବେ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷା ମିଳିବା କଥା, ତାହା ହୋଇପାରୁନାହିଁ। ପିଲାମାନେ କ୍ଲାସ୍‌କୁ ନ ଆସିଲେ, ଆଗଭଳି ଦଣ୍ଡବିଧାନ ହେଉନି। ଯେଉଁଥିପାଇଁ ମାଟ୍ରିକ୍‌ରେ ଭଲ ପ୍ରଦର୍ଶନ କରି ଭୁବନେଶ୍ବରକୁ ଆସିବା ପରେ ପିଲାଙ୍କ ମନ ବଦଳି ଯାଉଛି। ପାଠପଢ଼ା ଅପେକ୍ଷା ସେମାନେ ସିନେମା ହଲ୍‌, ପାର୍କ, ସପିଂ ମଲ୍‌ରେ ଅଧିକ ସମୟ କାଟୁଛନ୍ତି। ଅଭିଭାବକଙ୍କ କଟକଣା ନ ଥିବାରୁ କ୍ଲାସ ସରିବା ପରେ ସେମାନେ ଇଚ୍ଛା ଅନୁଯାୟୀ କାମ କରୁଛନ୍ତି। ଆକଟ କରିବାକୁ କେହି ନାହାନ୍ତି। ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେଉ ନଥିବାରୁ ଏଭଳି ରେଜଲ୍ଟ ହେଉଛି। ଏବେ ସମୟ ଆସିଛି ଅବିଭାବକ ଓ ଅଧ୍ୟାପକ, ଅଧ୍ୟାପିକାମାନେ ପିଲାଙ୍କ ଉପରେ ନଜର ରଖିବା ଆବଶ୍ୟକ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଭୁବନେଶ୍ବରର ସରକାରୀ କଲେଜଗୁଡ଼ିକ କାହିଁକି ଭଲ ଫଳ କରିପାରୁ ନାହାନ୍ତି, ସେନେଇ ସମୀକ୍ଷା କରାଯିବ। କଳାରେ ମେଧାବୀଙ୍କ ସଂଖ୍ୟା କାହିଁକି କମିଲା, ସେନେଇ ଆଜି ଆଲୋଚନା ହୋଇଛି। ଏନେଇ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe