Lake Neutral Project: ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ୧୫ କୋଟି ଖର୍ଚ୍ଚ କରି ଭୁଲିଗଲେ

ପ୍ରାକୃତିକ ନାଳ କଡ଼ରେ ପ୍ରାକୃତିକ ପରିବେଶ ଭିତରେ ଜନସାଧାରଣ ବିଚରଣ କରିବେ। ୧୦ ନମ୍ବର ପ୍ରାକୃତିକ ନାଳକୁ ହ୍ରଦର ରୂପ ଦିଆଯିବ। ନାଳ ଦୁଇପାର୍ଶ୍ବରେ ବ୍ୟାପକ ସୌନ୍ଦର୍ଯ୍ୟୀକରଣ...

Untitled-1

ଭୁବନେଶ୍ବର: ପ୍ରାକୃତିକ ନାଳ କଡ଼ରେ ପ୍ରାକୃତିକ ପରିବେଶ ଭିତରେ ଜନସାଧାରଣ ବିଚରଣ କରିବେ। ୧୦ ନମ୍ବର ପ୍ରାକୃତିକ ନାଳକୁ ହ୍ରଦର ରୂପ ଦିଆଯିବ। ନାଳ ଦୁଇପାର୍ଶ୍ବରେ ବ୍ୟାପକ ସୌନ୍ଦର୍ଯ୍ୟୀକରଣ କରାଯିବ। ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ଜରିଆରେ ଏସବୁର ବିକାଶ କରାଯିବ। ଯେଉଁମାନେ ବିଚରଣ ପାଇଁ ଆସିବେ, ସେମାନେ ଗାଡ଼ି ପାର୍କିଂରେ ଯେଭଳି ଅସୁବିଧା ଭୋଗିବେନି, ସେଥିପାଇଁ ବଡ଼ ପାର୍କିଂର ବି ଯୋଜନା ହେଲା। ଏଥିପାଇଁ ବଡ଼ କୋଠା ନିର୍ମାଣ ହେଲା। କିନ୍ତୁ ଏହି ପ୍ରକଳ୍ପ ତ ଆରମ୍ଭ ହୋଇ ପାରିଲାନି, ସେପଟେ ପ୍ରକଳ୍ପ ପାଇଁ ନିର୍ମାଣ ହୋଇଥିବା ପାର୍କିଂ କୋଠା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଭୁଲିଯାଇଛନ୍ତି। ପରିଣାମ ସ୍ବରୂପ ଏହା ଏବେ ନିଶାଡ଼ିଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏଇଠୁ ଅସାମାଜିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେଉଛି।

୨୦୧୭ ମସିହାରେ ରାଜ୍ୟ ସରକାର ଭୁବନେଶ୍ବର ସ୍ମାର୍ଟ ସିଟି ଜରିଆରେ ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ଜରିଆରେ ୧୦ ନମ୍ବର ପ୍ରାକୃତିକ ନାଳ ସଂଲଗ୍ନ ପ୍ରାୟ ୩୮ ଏକର ଅଞ୍ଚଳର ବିକାଶର ନକ୍ସା ଆଙ୍କିଥିଲେ। ପ୍ରାୟ ୩ କିଲୋମିଟର ବ୍ୟାପ୍ତ ୧୦ ନମ୍ବର ନାଳର ଦୁଇପାର୍ଶ୍ବକୁ ସୌନ୍ଦର୍ଯ୍ୟୀକରଣ କରି ଜନସାଧାରଣଙ୍କ ବିଚରଣର ଏକ ପ୍ରାକୃତିକ ଭିତ୍ତିଭୂମି ତିଆରି ହୋଇଥାନ୍ତା। ଚଳପ୍ରଚଳ ପାଇଁ ଓସାରିଆ ରାସ୍ତା ସାଙ୍ଗକୁ ଚଉଡ଼ା ମେଡିଆନ୍, ଫୁଟ୍‌ପାଥ୍, ଅବସର ବିନୋଦନ ସ୍ଥାନ, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଥାନ୍ତା। ଯେଉଁମାନେ ବିଚରଣ ପାଇଁ ଆସିଥାନ୍ତେ, ସେମାନଙ୍କ ପାଇଁ ପାର୍କିଂର ବି ବିସ୍ତୃତ ଜାଗା ଚିହ୍ନଟ ହେଲା। ଯେଉଁଠି ଉଭୟ କାର, ବାଇକ୍ ପାର୍କିଂ ହେବାର ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନା ଲେକ୍ ଜୋନ୍-୩ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। କୋଲ୍‌କାତାର ଏକ ଠିକାସଂସ୍ଥାକୁ ଏହି କାମର ଟେଣ୍ଡର ଦିଆଯାଇଥିଲା। ୬ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପାର୍କିଂ ଓ ଅନ୍ୟାନ୍ୟ ପ୍ରାରମ୍ଭିକ କାର୍ଯ୍ୟ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ବି ମଞ୍ଜୁର ହେଲା। ସେହି ଅନୁସାରେ ପ୍ରଥମ ପଦକ୍ଷେପ ସ୍ବରୂପ ପାର୍କିଂ କାମ ଆରମ୍ଭ ହୋଇଥିଲା। ସତ୍ୟନଗର ଶ୍ମଶାନକୁ ଲାଗି ସତ୍ୟକାଳୀ ବସ୍ତି ଅଞ୍ଚଳରେ ପାର୍କିଂ ନିର୍ମାଣ ହେଲା। ଏହି ପ୍ରକଳ୍ପ ପାଇଁ ସତ୍ୟକାଳୀ ବସ୍ତି ଲୋକଙ୍କୁ ଉଚ୍ଛେଦ କରାଗଲା। ପାର୍କିଂ ପାଇଁ ବିରାଟ କଂକ୍ରିଟ୍‌ଘର ନିର୍ମାଣ ହେଲା। ଉଭୟ ଭୂତଳ ଓ ଛାତ ଉପରେ ପାର୍କିଂ ବ୍ୟବସ୍ଥାର ଯୋଜନା ହେଲା। ହାଇମାଷ୍ଟ ଲାଇଟ୍‌ଲଗାଇବାର ଭିତ୍ତି ପଡ଼ିଲା। କିନ୍ତୁ କୋଠା ନିର୍ମାଣରେ କୋଟି କୋଟି ଖର୍ଚ୍ଚ କରିବା ପରେ ସରକାର ଏହାକୁ ଆଡ଼ ଆଖିରେ ଅନାଉନାହାନ୍ତି। ଏହି ଅର୍ଦ୍ଧନିର୍ମିତ କୋଠା ବର୍ଷ ବର୍ଷ ଧରି ସେହିଭଳି ପଡ଼ି ରହିବା ପରେ ଏହା ନିଶାଡ଼ିଙ୍କ ଆଡ଼ା ପାଲଟିଗଲାଣି। ସ୍ଥାନଟି ଅନ୍ଧାରୁଆ ଓ ନିଛାଟିଆ ରହୁଥିବାରୁ ନିଶାଡ଼ିଙ୍କୁ ବେଶ୍ ସୁହାଉଛି।  ଦିନଦିପହରେ ବି ନିଶାଡ଼ିମାନେ ଏଠାରେ ମଦ୍ୟପାନ ସାଙ୍ଗକୁ ବ୍ରାଉନ୍‌ସୁଗାର, ନିଶା ଇଞ୍ଜେକ୍ସନ୍ ବି ନେଉଛନ୍ତି। ଏଠାରେ ନିଶା ସେବନ ଇଞ୍ଜେକ୍ସନ୍, ଧଳା ପେପର ଖୋଳ ଗଦା ହୋଇଗଲାଣି। ଜବରଦଖଲକାରୀମାନେ ବି ଏହାକୁ ନିଜ କବ୍‌ଜାକୁ ନେବା ଆରମ୍ଭ କଲେଣି। କିଛି ପରିବାର ଏହା ତଳେ ଆଶ୍ରୟ ନେଲେଣି।

ବୋଝ ଉପରେ ନଳିତା ବିଡ଼ା ସାଜିଛି, ଜନପଥର ବାଉଁଶ। ଜନପଥରୁ ଗ୍ରିଲ୍ ଲଗାଇବା ପାଇଁ ଟେଣ୍ଡର ନେଇଥିବା ଠିକାଦାର ମେଡିଆନ୍‌ରୁ ବାଉଁଶ ବାଡ଼ା ସବୁ ଖୋଲିବା ପରେ ଏହି କୋଠା ଉପରେ ଏବଂ ଏହାର ପ୍ରବେଶପଥରେ ପାହାଡ଼ ଉଚ୍ଚରେ ଗଦାଇ ରଖିଛି। ଏହା ପଛରେ ଲୁଚିବାକୁ ନିଶାଡ଼ିମାନଙ୍କୁ ସହଜ ହେଉଛି। ସେପଟେ କୋଠାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚତୁଃପାର୍ଶ୍ବରେ ବାହାରକୁ ଫୁଲ ଗଛ ଲଗାଇବାର ଯୋଜନା ଥିଲା। ଏଥିପାଇଁ ସଂପୂର୍ଣ୍ଣ ଛାତର ଚତୁଃପାର୍ଶ୍ବ‌ରେ ଫୁଲ କୁଣ୍ଡ କରାଯାଇଛି। କିନ୍ତୁ ଏହି କୁଣ୍ଡରେ ଏବେ ଦୁଇ ଫୁଟରୁ ଅଧିକ ଉଚ୍ଚରେ ପାଣି ଜମା ହୋଇ ରହିଛି। ଯେଉଁଥିରେ ପଡ଼ିଥିବା ଶୋଇବା ପଟି, କପଡ଼ା ଓ ଅନ୍ୟନ୍ୟ ଆସବାବପତ୍ର ପଚିଶଢ଼ି ଦୁର୍ଗନ୍ଧ ହେଲାଣି। ଏହା ଡେଙ୍ଗୁକୁ ବଢ଼ାଉଥିବା ଏଡିସ୍ ମଶାଙ୍କ ଲାର୍ଭାର ଜନ୍ମସ୍ଥଳୀ ପାଲଟିଛି। ଭୁବନେଶ୍ବର ସ୍ମାର୍ଟ ସିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଲେକ୍‌ଜୋନ୍‌୩ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ପୂର୍ବର ବିକାଶ ନକ୍ସା ବଦଳିଥିବାରୁ ନୂଆ ନକ୍ସା ଅନୁସାରେ ଏହାର ବିକାଶ କରାଯିବ। ବିଡିଏ ସିଟି ସେଣ୍ଟର (ନିକୋ ପାର୍କ) ସହ ୧୦ ନମ୍ବର ନାଳକୁ ଏକକାଳୀନ ବିକାଶ କରିବା ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe