ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ: ‘ଆଭରେଜ୍‌ ସେଲ୍‌ ପ୍ରାଇସ୍‌’ରେ କିଣିବା ପରେ ଦେବେ କ୍ଷତିପୂରଣ

ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ: ‘ଆଭରେଜ୍‌ ସେଲ୍‌ ପ୍ରାଇସ୍‌’ରେ କିଣିବା ପରେ ଦେବେ କ୍ଷତିପୂରଣ

BSCL :: Bhubaneswar Smart City Limited

ଭୁବନେଶ୍ବର: ଡ୍ରେନରେ ଭାସି ଯାଇ ଜଣେ ଛାତ୍ରର ମୃତ୍ୟୁ ହେବା ପରେ ଜଳ ନିଷ୍କାସନ ସମସ୍ୟାକୁ ନେଇ କେବଳ ବିଏମ୍‌ସି ନୁହେଁ ବରଂ ସରକାର ତତ୍ପର ହୋଇଛନ୍ତି। ଅନେକ ଦିନ ପୂର୍ବରୁ ପ୍ରସ୍ତୁତ ହୋଇ ଶୀତଳ ଭଣ୍ଡାରରେ ପଡ଼ିଥିବା ନଳା ସମ୍ପ୍ରସାରଣ ଯୋଜନା କ୍ୟାବିନେଟ୍‌ ସ୍ବୀକୃତି ପାଇବା ପରେ ବିଏମ୍‌ସି ସର୍ଭେ କରି ଜମି ଅଧିଗ୍ରହଣ କରିବା ଆରମ୍ଭ କରିଛି। ଯୋଜନାକୁ ଦୁଇ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ଆଖିଦୃଶିଆ ଅଗ୍ରଗତି ହେଉନାହିଁ। କ୍ଷତିପୂରଣ ବିଳମ୍ବକୁ ନେଇ କେଉଁ ଜମି ମାଲିକ ହାଇକୋର୍ଟ ଗଲେଣି ତ’ କେଉଁଠି ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି(ଡିସିଏସି) ଦର ଧାର୍ଯ୍ୟ କରିବାରେ ବିଳମ୍ବ କରୁଥିବାରୁ ପ୍ରବଳ ବିରୋଧ ହେଉଛି। ଫଳରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ପରିସ୍ଥିତି ହୋଇଛି। ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ରାଜଧାନୀ ଜଳ ନିଷ୍କାସନ ସମସ୍ୟାରୁ ମୁକୁଳି ପାରୁନି। ବରଂ ଅଧପନ୍ତରିଆ କାମରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା କାମରେ ଲାଗି ପାରୁନାହିଁ। ଏ ନେଇ ମାନସମନ୍ଥନ ହେବା ପରେ ପ୍ରଥମେ ବେଞ୍ଚ ମାର୍କ ଭାଲ୍ୟୁଏସନ ଆଧାରରେ ‘ଆଭରେଜ୍‌ ସେଲ୍‌ ପ୍ରାଇସ୍‌’ରେ ଜମି କିଣାଯିବ। ପରେ ଧାର୍ଯ୍ୟ ହୋଇଥିବା ଡିସିଏସି ଦର ଯଦି ଏହି ଆଭରେଜ୍‌ ସେଲ୍‌ ପ୍ରାଇସ୍‌ରୁ ଅଧିକ ହେବ ତେବେ ସେହି ଅଧିକ ପରିମାଣ କ୍ଷତିପୂରଣ ସ୍ବରୂପ ଜମି ମାଲିକଙ୍କୁ ତୁରନ୍ତ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହେବା ସହ କର୍ପୋରେସନ ମଧ୍ୟ ସ୍ବୀକୃତି ଦେଇଛି। ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ, ଡିସିଏସି ଧାର୍ଯ୍ୟ କରିବାକୁ ଥିବା ଜମି ଦର କୌଣସି ପରିସ୍ଥିତିରେ ଆଭରେଜ୍‌ ସେଲ୍‌ ପ୍ରାଇସ୍‌ ଠାରୁ କମ୍‌ ହେବ ନାହିଁ।

ନଳା ସମ୍ପ୍ରସାରଣ ପାଇଁ ଘରୋଇ ସ୍ଥିତିବାନ୍ ସ୍ବତ୍ବରେ ଥିବା ଜମି ଗୁଡ଼ିକୁ ‘ରାଇଟ୍‌ ଟୁ ଫେୟାର କମ୍ପେନ୍‌ଜେସନ ଆଣ୍ଡ ଟ୍ରାନ୍‌ସ୍‌ପାରେନ୍ସି ଇନ୍‌ ଲ୍ୟାଣ୍ଡ ଆକ୍ୟୁଜିସନ ରିହାବିଲିଟେସନ ଆଣ୍ଡ ରିସେଟେଲ୍‌ମେଣ୍ଟ ଆକ୍ଟ-୨୦୧୩’ ଆଧାରରେ ସିଧାସଳଖ ଜମି କିଣାଯାଉଛି। ଏହି ନିୟମ ଅନୁଯାୟୀ ଅଧଗ୍ରହଣ ହେବାକୁ ଥିବା ଜମିର ମୂଲ୍ୟ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଡିସିଏସି ସ୍ଥିର କରିଥାଏ। ଏହି ପ୍ରକ୍ରିୟା ସମ୍ପାଦନ ପାଇଁ ଅପେକ୍ଷାକୃତ ଅଧିକ ସମୟ ଲାଗୁଥିବାରୁ ପ୍ରସ୍ତାବିତ ଡ୍ରେନ୍ ନିର୍ମାଣ/ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ପାରୁନାହିଁ। ଯେଉଁ ଘରୋଇ ଜମି ଉପରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସରିଯାଇଛି, ସେହି ଜମି ମାଲିକମାନେ କ୍ଷତିପୂରଣ ପାଇବାରେ ଢେର୍‌ ବିଳମ୍ବ ହେଉଛି। ଏଣୁ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି। ଫଳରେ ପ୍ରକଳ୍ପ ଆହୁରି ବିଳମ୍ବ ହେଉଛି। ଯେଉଁଥିପାଇଁ ବିଏମ୍‌ସି ଏକ ପ୍ରକାର ଫସି ରହିଛି। କ୍ୟାବିନେଟ୍‌ ମଞ୍ଜୁରି ପରେ ବି ଏହି ପ୍ରକଳ୍ପ ଆଗେଇ ପାରୁନାହିଁ। ଏଣୁ ଆଭରେଜ୍‌ ସେଲ୍‌ ପ୍ରାଇସ୍‌ରେ ଜମି କିଣିବାକୁ ନିଷ୍ପତ୍ତ ନିଆଯାଇଛି। ଏଣୁ ଏହି ଅଧିଗ୍ରହଣ ପ୍ରକ୍ରିୟା ତ୍ବରିତ ହେବ ବୋଲି ଆଶା ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୩ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣର ଆବଶ୍ୟକତା ରହିଛି। ଜିଲ୍ଲାସ୍ତରୀୟ କମିଟି ବୈଠକରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ହେବା ପରେ ଦୁଇଟି ପର୍ଯ୍ୟାୟରେ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟ ୧୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଗତ ବର୍ଷ ନଭେମ୍ବର ୧୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅବଧି ଶେଷ ବେଳକୁ ୧୩୬ ଘରୋଇ ପ୍ଲଟ୍‌ରୁ ମାତ୍ର ୧୦ଟି ପ୍ଲଟ୍‌ ଅଧିଗ୍ରହଣ ହୋଇଥିଲା। ଗତ ମାସ ୧୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବରର ବିଭିନ୍ନ ମୌଜାରେ ୧୦୪୮ଟି ଜମି ଅଧିଗ୍ରହଣ କରିବାକୁ ବିଏମ୍‌ସି ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe