୨୩ ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ପ୍ରସଙ୍ଗ : ମାଲିକାନା ନ ଫେରାଇଲେ ସମୂହ ଆତ୍ମାହୁତି ଚେତାବନୀ

Advertisment

ସରକାରୀ ଅଫିସରଙ୍କ ତ୍ରୁଟି

ସରକାରୀ ଅଫିସରଙ୍କ ତ୍ରୁଟି

ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

Flickr

ପୁରୁଣା ଭୁବନେଶ୍ୱର : ଚକବନ୍ଦୀ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀର ୨୩ଟି ଗାଁର ସାଧାରଣ ଲୋକଙ୍କ ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଛି। ଲୋକଙ୍କୁ ମାଲିକାନା ନ ଫେରାଇଲେ, ରାଜଭବନ ଆଗରେ ସମୂହ ଆତ୍ମାହୁତି ଦିଆଯିବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ଜଟଣୀର ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢ଼ାପଡ଼ା, ଭଁସର, କନ୍ତିଆ, ରଥିପୁର, ଛଣଘର କୁସୁମାଟି, ଜଟଣୀ ଓ ହରିରାଜପୁର ପ୍ରଭୃତି ୨୩ଟି ଗାଁର ଲୋକଙ୍କ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଛି। ୨୦୧୨ ମସିହାରୁ ସରକାରୀ ତ୍ରୁଟି ଯୋଗୁଁ ଏହି ଜମି ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ସେମାନେ ମାଲିକାନା ଜାହିର କରିପାରୁ ନଥିବାରୁ ନିଜ ଜମିକୁ ଅସମୟରେ ବ୍ୟବହାର କରିପାରୁନାହାନ୍ତି। ଫଳ‌ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଝିଅ ବାହାଘର, ପିଲାଙ୍କ ପାଠପଢ଼ା, ଚିକିତ୍ସା ବା ଔଷଧ, ନୂତନ ଘର ନିର୍ମାଣର ଖର୍ଚ୍ଚ ପାଇଁ ସେମାନେ ସେମାନଙ୍କର ସ୍ଥିତିବାନ ସମ୍ପତ୍ତିକୁ ବିକ୍ରି ମଧ୍ୟ କରିପାରୁ ନାହାନ୍ତି। ଏପରିକି ସରକାରୀ ଋଣ, ଆବାସ ବ୍ୟବସ୍ଥା ଏବଂ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ମଧ୍ୟ ପାଇ ପାରୁନାହାନ୍ତି। ଗତ ଫେବ୍ରୁଆରି ୧୧ ତାରିଖରେ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ନିମନ୍ତେ ନିବେଦନ କରିଥିଲେ। ଏଥିସହ ୫ବର୍ଷ ହେଲା ବାରମ୍ବାର ଦାବି ସତ୍ତ୍ବେ ଜଟଣୀରେ ପରିବର୍ତ୍ତିତ ହୋଇଯାଇଥିବା ଜଗନ୍ନାଥ ଜମିକୁ ସେମାନଙ୍କ ଅସଲ ସ୍ବତ୍ବାଧିକାରୀଙ୍କୁ ଫେରାଇ ଦେବା ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ। ଯଦି ଆସନ୍ତା ୬ ମାସ ଭିତରେ ସେମାନଙ୍କର ସମସ୍ୟାର ସମାଧାନ ନହୁଏ, ତେବେ ରାଜଭବନ ସମ୍ମୁଖରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ସମୂହ ଆତ୍ମାହୁତି ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାସ, ତରୁଣ ମିଶ୍ର, ପ୍ରକାଶ ଜେନା, ରସିକଚାନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe