Dignited
ଭୁବନେଶ୍ବର : ଅଣଓଡ଼ିଆ ଲୁଟେରାଙ୍କ ପାଇଁ ଆତଙ୍କିତ ହେଲେଣି ରାଜଧାନୀବାସୀ। କେତେବେଳେ ସୁନା ଦୋକାନକୁ ଗ୍ୟାସ୍ କଟର୍ରେ କାଟି ଲୁଟ୍ କରୁଛନ୍ତି ତ ଆଉ କେତେବେଳେ ଔଷଧ ଦୋକାନକୁ ଗ୍ରାହକ ସାଜି ଆସି ନଗଦ ଟଙ୍କା ଲୁଟିନେଉଛନ୍ତି। ତେବେ ଏହାରି ଭିତରେ ଆଜି ଔଷଧ ଦୋକାନକୁ ଲୁଟୁଥିବା ବେଙ୍ଗଲି ଲୁଟେରା ଧରାପଡ଼ିଥିବା ବେଳେ ପୁଣି ଆଉ ଏକ ଅଣଓଡ଼ିଆ ଗ୍ୟାଙ୍ଗ୍ ସେମାନଙ୍କ ଲୁଟ୍ତରାଜ ଜାରି ରଖିଛନ୍ତି। ମାତ୍ର ୨୪ଦିନରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ଲାପଟପ୍ ଲୁଟ୍ ହୋଇଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଲୁଟ୍ ମଧ୍ୟରେ ୩ଟି ମେଡିକାଲ୍ କଲେଜ ହଷ୍ଟେଲ୍ରୁ ପ୍ରାୟ ୬ରୁ ଅଧିକ ଲାପଟପ୍ ଚୋରି ହୋଇଥିବା ଅଭିଯୋଗ କରାଯାଇଛି। ଆଉ ଏହି ଲୁଟ୍ ଲାପଟପ୍ଗୁଡ଼ିକ ସବୁ ବେଙ୍ଗାଲୁରୁ ଚାଲାଣ ହେଉଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ଗତ ୪ ତାରିଖ କିମ୍ସ ମେଡିକାଲ କଲେଜ ହଷ୍ଟେଲ୍ର ଇ ବ୍ଲକ ପିଜି-୨ ବୟଜ୍ ହଷ୍ଟେଲ୍ରେ ପଶି ଜଣେ ଦୁର୍ବୃତ୍ତ ୩ ଲାପଟପ୍ ଲୁଟିନେଇଥିଲା। ପ୍ରଥମେ ୧୧୮ନଂ ରୁମ୍ରେ ରହୁଥିବା ପଂଜାବର ସୌରଭଙ୍କ ଲାପଟପ୍ ଲୁଟିନେଇଥିଲା। ଏହା ପରେ ପାଖ ରୁମ୍ ନଂ ୧୨୨ ଓ ୧୨୪ରେ ପଶି ଲାପଟପ୍ ଚୋରି କରିଥିଲା। ଏହିଭଳି ୩ଟି ଲାପଟପ୍ ଲୁଟିବା ପରେ ଦୁର୍ବୃତ୍ତ ଚମ୍ପଟ୍ ମାରିଥିଲା। ଏନେଇ ସୌରଭ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଯାବତ ଲୁଟେରାଙ୍କ ଟେର୍ସ ପାଇନାହିଁ। ସେହିଭଳି ସମାନ ଢଙ୍ଗରେ ହାଇଟେକ୍ ମେଡିକାଲ ହଷ୍ଟେଲ୍ରୁ ମଧ୍ୟ ଗତ କିଛିଦିନ ତଳେ ଜଣେ ଦୁର୍ବୃତ୍ତ ଲାପଟପ୍ ଚୋରି କରିଥିବା ଜଣାପଡ଼ିଛି। ଦ୍ବିତୀୟ ମହଲାରେ ଥିବା ବୟଜ୍ ହଷ୍ଟେଲ୍ରେ ପଶି ୨ଟି ଲାପଟପ୍ ଚୋରି କରିଥିବା ବେଳେ ଗତ ୨୧ ତାରିଖ ଖଣ୍ଡଗିରି ଥାନାରେ ମଧ୍ୟ ସମାନ ଅଭିଯୋଗ ହୋଇଛି। ଏମ୍ସ ପିଜି ହଷ୍ଟେଲ୍ର ୧୦୮ନଂ ରୁମ୍ରେ ପଶି ଲୁଟେରା ପ୍ରିୟଙ୍କା ମୁଖାର୍ଜୀଙ୍କ ଲାପଟପ୍ ଚୋର କରିଥିବା ବେଳେ ୨୪ତାରିଖରେ ୩ନଂ ପିଜି ହଷ୍ଟେଲରେ ପଶି ଅଜୟଙ୍କ ଲାପଟପ୍ ଚୋରି କରିଥିଲେ। ଏନେଇ ଅଜୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।
ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଡାକ୍ତରୀ ହଷ୍ଟେଲ୍ରୁ ଲୁଟ୍ ଲାପଟପ୍ ସବୁ ବେଙ୍ଗାଲୁରୁ ଚାଲାଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହଷ୍ଟେଲ୍ରେ ପଶି ଲୁଟ୍ କରୁଥିବା ଦୁର୍ବୃତ୍ତ ସହିତ ଆହୁରି କିଛି ଲୁଟେରା ସାମିଲ୍ ହୋଇଛନ୍ତି। ହଷ୍ଟେଲ୍ର ପଛପଟେ ପାଇପ୍ ଦେଇ ଚଢ଼ିବା ପରେ ବାଲ୍କୋନି ନ ହେଲେ ଛାତ ଡେଇଁ ରୁମ୍କୁ ପଶୁଛନ୍ତି। ଏହା ପରେ କେବଳ ଲାପଟପ୍ ଚୋରି କରିବା ପରେ ତଳେ ବାଇକ୍ ଧରି ଜଗିଥିବା ଦୁର୍ବୃତ୍ତ ସହ ଫେରାର୍ ହେଉଛନ୍ତି। ଏହି ଅଣଓଡ଼ିଆ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିବା ପାଇଁ ସ୍ପେସାଲ୍ ସ୍କ୍ବାଡ୍କୁ ନେଇ ଏକ ଟିମ୍ ଗଠନ ହୋଇଛି। ଖୁବ୍ଶୀଘ୍ର ବେଙ୍ଗାଲୁରୁ ଯାଇ ଚୋରି ଲାପଟପ୍ର ଛାନଭିନ୍ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
Follow Us