ଭୁବନେଶ୍ବର: ୱାର୍ଡ ନମ୍ବର ୧୩ରେ ଥିବା ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍ ବେଆଇନ। ଏହି ଭେଣ୍ଡିଂ ଜୋନ୍ ବିଏମ୍ସିରେ ପଞ୍ଜୀକୃତ ହୋଇନାହିଁ। ଅନଧିକୃତ ଭାବରେ ୨୦୦୮ ମସିହାରୁ ୧୫ ବର୍ଷ ଧରି ୪୧ ଜଣ ବ୍ୟବସାୟୀ ଏଠାରେ ବ୍ୟବସାୟ କରୁଛନ୍ତି। ବିଏମ୍ସି ଏଭଳି ଘୋଷଣ କରିଛି। ଯାହା ଫଳରେ ୪୧ ବ୍ୟସାୟୀଙ୍କୁ ବିଦ୍ୟୁତ ସଂଯୋଗ ମିଳୁନି। ଏଣେ କେତେବେଳେ ଉଚ୍ଛେଦ ହୋଇଯିବ ସେ ନେଇ ଚିନ୍ତା ଘାରିଛି। ଅନ୍ୟପଟେ ବ୍ୟବସାୟୀମାନେ ହାଇକୋର୍ଟ ଯିବା ପରେ ସେଠାରେ ସ୍ଥିତାବସ୍ଥା ଜାରି ହୋଇଛି। ଅର୍ଥାତ୍ ଭେଣ୍ଡିଂ ଜୋନ୍ ଯେମିତି ଅଛି ସେମିତି ରହିଛି। ବିଏମ୍ସି ଭାଙ୍ଗି ପାରୁନି କି ସ୍ବୀକୃତି ମଧ୍ୟ ଦେଉ ନାହିଁ। ଟଙ୍କାଟିଏ ରାଜସ୍ବ ମଧ୍ୟ ପାଉ ନାହିଁ। ଏଥିପାଇଁ ଏହି ଭେଣ୍ଡିଂ ଜୋନ୍ରୁ ଲକ୍ଷ ଲକ୍ଷଟଙ୍କା ରାଜସ୍ବ କ୍ଷତି ହେଉଛି। କେବଳ ଏହି ଭେଣ୍ଡିଂ ଜୋନ୍ ନୁହେଁ, ବରଂ ଭୁବନେଶ୍ବରରେ ଏଭଳି ୪୦ ବଜାର ରହିଛି। ଯାହାକୁ ବିଏମ୍ସି ନା ସ୍ବୀକୃତି ଦେଉଛି ନା ଉଚ୍ଛେଦ କରୁଛି। ଦାୟିତ୍ବରେ ରହୁଥିବା ଅଧିକାରୀ ଏହାର ସୁଯୋଗ ନେଇ ହାତ ଚିକ୍କଣ କରୁଛନ୍ତି। ବିଏମ୍ସି ପ୍ରାୟ ୩୦ କୋଟି ଟଙ୍କା ରାଜସ୍ବ ବାବଦକୁ କ୍ଷତି କରୁଥିବା ଏକ ଆକଳନରୁ ଜଣାପଡ଼ିଛି।
ଚନ୍ଦ୍ରଶେଖରପୁର ଓମ୍ଫେଡ୍ ବିବାଦୀୟ ଭେଣ୍ଡିଂ ଜୋନ୍। ୨୦୦୯ ମସିହାରେ ତତ୍କାଳୀନ କମିସନର ତଥା ବର୍ତ୍ତମାନର ଭୁବନେଶ୍ବର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଏଠାରେ ବ୍ୟବସାୟୀମାନଙ୍କୁ ଲୁହା ଷ୍ଟ୍ରକ୍ଚରରେ ଦୋକାନ କରିବାକୁ ସ୍ବୀକୃତି (ଚିଠି ନଂ.୧୭୩୦୪/୬.୭.୨୦୦୯) ଦେଇଥିଲେ। ସେହି ସ୍ବୀକୃତି ମୁତାବକ ଏଠାରେ ୪୧ ଜଣ ବ୍ୟବସାୟୀ ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ଅଧିକାଂଶ ଫଳ ଦୋକାନ ରହିଥିଲା। ପ୍ରାୟ ବର୍ଷେ ପରେ ଅର୍ଥାତ୍ ୨୦୧୦ ମସିହା ମାର୍ଚ୍ଚ ୯ ତାରିଖ ଦିନ ବିଏମ୍ସି ଏହି ସ୍ବୀକୃତିକୁ ବାତିଲ କରିଦେଲା। କେବଳ ଘୋଷଣା କଲା ନାହିଁ, ବରଂ ଉଚ୍ଛେଦ କରିବାକୁ ଧମକ ଦେଲା। ଟ୍ରେଡ୍ ଲାଇସେନ୍ସ ବାତିଲ କରିବା ସହ ଏ ବାବଦକୁ ଆଦାୟ ହେଉଥିବା ମହାସୁଲ ତଥା ଅନ୍ୟାନ୍ୟ ରାଜସ୍ବ ଆଦାୟ କଲା ନାହିଁ। ସବୁଠାରୁ ବଡ଼ କଥା ଥିଲା କି ସ୍ବୀକୃତି ନ ଥିବାରୁ ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଗଲା। ସେବେଠାରୁ ସେମାନେ ଜେନେରେଟର ଜରିଆରେ ବିଜୁଳି ସଂଯୋଗ ନେଉଛନ୍ତି। ଏହି ଜେନେରେଟର ଭଡ଼ା ଘୋଡ଼ା ଛ’ କୁ ଦାନା ନଅ ପରିସ୍ଥିତି ହୋଇଛି।
ଥରେ ସ୍ବୀକୃତି ଦେବା ପରେ ବାତିଲ୍ କରିଦେବାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ୪୧ ବ୍ୟବସାୟୀ ମିଶି ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଆସୋସିଏସନ ଗଠନ କରିବା ସହ ବିଏମ୍ସି କମିସନରଙ୍କ ବାତିଲ୍ ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହେଲେ। ହାଇକୋର୍ଟ ଏହାର ବିଚାର କରିବା ପରେ ସଂଘକୁ ପୁଣି ଥରେ ବିଏମ୍ସି କମିସନରଙ୍କୁ ଆବେଦନ କରିବାକୁ ଆଦେଶ ଦେଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏଠାରେ ସ୍ଥିତାବସ୍ଥା ଜାରି କଲେ। ଯେଉଁ କର୍ତ୍ତୃପକ୍ଷ ବାତିଲ କରିଥିଲେ, ସେ ପୁଣି କେମିତି ସ୍ବୀକୃତି ଦିଅନ୍ତେ? ବିଏମ୍ସି ସେମାନଙ୍କୁ ସ୍ବୀକୃତି ଦେଲା ନାହିଁ। ଏହି ବ୍ୟବସାୟୀମାନେ ସେମିତି ବେଆଇନ ଘୋଷିତ ହେବା ସହ ବ୍ୟବସାୟ କଲେ। ନିକଟ ଅତୀତରେ ଏହି ଭେଣ୍ଡିଂ ଜୋନ୍ ସାମ୍ନାରେ ‘ପ୍ଲେସ୍ ମେକିଂ’ ଯୋଜନାରେ ସୌନ୍ଦର୍ଯ୍ୟୀକରଣ କରାଗଲା। କିନ୍ତୁ ଏହି ବ୍ୟବସାୟୀଙ୍କୁ ସ୍ବୀକୃତି ଦିଆଗଲା ନାହିଁ। ଗତ କର୍ପୋରେସନ ବୈଠକରେ ଏହି ୱାର୍ଡର କର୍ପୋରେଟର ଇତିଶ୍ରୀ ଦାସ ବ୍ୟବସାୟୀମାନଙ୍କର ଏହି ସମସ୍ୟା ଉପସ୍ଥାପନ କରିବା ସହ ସ୍ବୀକୃତି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଏମ୍ସି ସଫା ସଫା ମନା କରିଦେଇଥିବାରୁ ବ୍ୟବସାୟୀମାନେ ଏବେ ପ୍ରମାଦ ଗଣିଛନ୍ତି।
ଏ ନେଇ ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଆସୋସିଏସନ ସଭାପତି ରାଧା ସାହୁ କହିଛନ୍ତି, ଆମକୁ ସ୍ବୀକୃତି ଦେବାରୁ ଆମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଲୁହା ଷ୍ଟ୍ରକ୍ଚର ତିଆରି କଲୁ। ବିଏମ୍ସିର ଭେଣ୍ଡିଂ ଜୋନ୍ ଯେଭଳି ସେଭଳି ଢଙ୍ଗରେ ତିଆରି କରି ବେପାର କଲୁ। କିନ୍ତୁ କ’ଣ ହେଲା କେଜାଣି ହଠାତ୍ କାହିଁକି ବାତିଲ୍ କଲେ? ଆମେ କ’ଣ ଦୋଷ କଲୁ? ବିଏମ୍ସିର ସବୁ ପ୍ରକାର ନିଷ୍ପତ୍ତିରେ ଆମେ ରାଜି ହେବା ସହ ସହଯୋଗ କରିବାକୁ ପ୍ରସ୍ତୁତ ଥିଲୁ। ହେଲେ ୧୫ ବର୍ଷ ହେଇଗଲା କୌଣସି ଅଧିକାରୀ ଏଥିପ୍ରତି ନଜର ଦେଲେ ନାହିଁ। ବିଏମ୍ସିର ହିସାବ ମୁତାବକ, ୬୭ ୱାର୍ଡରେ ୪୨ଟି ସ୍ବୀକୃତିପ୍ରାପ୍ତ ଭେଣ୍ଡିଂ ଜୋନ୍ ରହିଛି। ଏଥିରେ ୧୫୫୮ ବ୍ୟବସାୟୀ ଅଛନ୍ତି। ଏହା ଛଡ଼ା ଛୋଟବଡ଼ ମାର୍କେଟ୍ରୁ ବିଏମ୍ସି ବାର୍ଷିକ ୧୨ରୁ ୧୪ କୋଟି ଟଙ୍କା ରାଜସ୍ବ ଆୟ କରୁଛି। କିନ୍ତୁ ଏଭଳି ବିବାଦୀୟ ଭେଣ୍ଡିଂ ଜୋନ୍ ଓ ବଜାରକୁ ହିସାବକୁ ନେଲେ ଏହି ସଂଖ୍ୟା ଶହେ ଛୁଇଁବ। ସବୁଥିରୁ ଶତ ପ୍ରତିଶତ ରାଜସ୍ବ ଆୟ ହେଲେ ଏହା ୫୦ କୋଟି ହେବ। କିନ୍ତୁ କେତେକ ଅପାରଗ ତଥା ନିଜ ହାତ ଚିକ୍କଣ କରୁଥିବା ଅଧିକାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ।
Follow Us