ବିନ୍ଦୁସାଗରରେ ଲେଜର୍ ସୋ’ ଆଲୋକ ଓ ଶବ୍ଦରେ ବର୍ଣ୍ଣନା ହେବ କଳିଙ୍ଗର ଇତିହାସ

Advertisment

ପରୀକ୍ଷାମୂଳକ ଭାବେ ଚାଲୁ କରାଗଲା

ପରୀକ୍ଷାମୂଳକ ଭାବେ ଚାଲୁ କରାଗଲା

ଲେଜର୍ ସୋ’ ଉଦ୍‌ଘାଟନ ୧୮ରେ, ମାର୍କେଟ୍‌ କମ୍ପ୍ଲେକ୍ସ, ଯାତ୍ରୀନିବାସ ବି ଖୋଲିବ

ଭୁବନେଶ୍ବର: ଶିଶୁପାଳଗଡ଼ର ଇତିହାସରୁ ଆରମ୍ଭ କରି ଖଣ୍ଡଗିରି ଓ ଉଦୟଗିରିର ପ୍ରସ୍ତର କଳା, ପ୍ରଭୁ ଲିଙ୍ଗରାଜଙ୍କ ବିଭିନ୍ନ ପର୍ବପର୍ବାଣୀ, ଐତିହ୍ୟ କ୍ଷେତ୍ରର ମାହାତ୍ମ୍ୟକୁ ଆଲୋକ ଓ ଶବ୍ଦ ମାଧ୍ୟମରେ ପର୍ଯ୍ୟଟକଙ୍କ ଆଗରେ ଉପସ୍ଥାପନ କରାଯିବ। ରାଜଧାନୀରେ ସଂଧ୍ୟା ବିତାଉଥିବା ପର୍ଯ୍ୟଟକ ଯେପରି କଳିଙ୍ଗ ଇତିହାସ ସମ୍ପର୍କରେ ଖୁବ୍ କମ୍ ସମୟରେ ଜାଣିପାରିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରରେ ଆରମ୍ଭ ହେବାକୁ ଯାଉଛି ‘ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’। ଏହା ସହ ମଲ୍ଟିମିଡିଆ ଲେଜର୍ ସୋ’ ମଧ୍ୟ ହେବ। ଏଥିପାଇଁ ଆଜି ଏହାକୁ ପରୀକ୍ଷାମୂଳକ ଭାବେ ଚାଲୁ କରାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏବେ ପର୍ଯ୍ୟଟକମାନେ ମଲ୍ଟିମିଡିଆ ଲେଜର୍‌ ସୋ’ ଦେଖିବାକୁ ପାଇବେ। ଆଲୋକର ଖେଳ ସହ ମହାଦେବଙ୍କ ସ୍ତୁତି ଗାନ, ‌େଶ୍ଳାକରେ ପୁରୁଣା ଭୁବନେଶ୍ବର ପୂରା କମ୍ପି ଉଠିବ। ଶୈବ କ୍ଷେତ୍ରରେ ଶିବଙ୍କ ନାମ ଯେପରି ଗୁଞ୍ଜି ଉଠିବ ସେଥିପାଇଁ ପର୍ଯ୍ୟଟନ ବିଭାଗ ସବୁ ପ୍ରକାରର ବ୍ୟବସ୍ଥା କରିିଛି। ଖୁବ୍‌ଶୀଘ୍ର ବିନ୍ଦୁସାଗରରେ ଆଲୋକ ଓ ଶବ୍ଦର ସୋ’ ଆରମ୍ଭ ହେବାକୁ ଥିବା ବେଳେ ଏହାର ସ୍କ୍ରିପ୍ଟ ଆଜି ଚୂଡ଼ାନ୍ତ ହୋଇଛି। ଏବେ ଓଡ଼ିଆ ଓ ଇଂରାଜୀ‌ ଭାଷାରେ ଏହି ସୋ’ ଚଲାଇବାକୁ ଯୋଜନା ହେଉଥିଲେ ହେଁ ଏଥିରେ ଭବିଷ୍ୟତରେ ହିନ୍ଦୀ ଭାଷା ଯୋଡ଼ିବାକୁ ଯୋଜନା ଅଛି। ଏହି ଆଲୋକ ଓ ଶବ୍ଦର ସୋ’ ପାଇଁ କେଉଁ କଳାକାର ସ୍ବର ଦେବେ, କେତେ ମିନିଟର ସୋ’ ହେବ, କ’ଣ କ’ଣ ବିଷୟବସ୍ତୁ କେତେ ମିନିଟର ରହିବ ତାହା ଚୂଡ଼ାନ୍ତ କରିବାକୁ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ ହୋଇଛି। ଏହି କମିଟିକୁ ଖୁବ୍ ଶୀଘ୍ର ଏହାକୁ ଚୂଡ଼ାନ୍ତ କରିବାକୁ କୁହାଯାଇଛି। କମିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିନ୍ଦୁସାଗରରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ କରିବାକୁ ପ୍ରିମିୟର ୱାର୍ଲଡ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ସୋ’ର ଡମି ପ୍ରକଳ୍ପ ଆମକୁ ଦେବା ପରେ ଆମେ ଏହାକୁ ଚୂଡ଼ାନ୍ତ କରିବୁ। ଆସନ୍ତା ମାସକ ମଧ୍ୟରେ ଏହା ଚୂଡ଼ାନ୍ତ କରିବାକୁ ଆମେ ଯୋଜନା କରୁଛୁ।

publive-image

ଆଜି ସଂଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ପୂର୍ବତନ ପର୍ଯ୍ୟଟନ ନିର୍ଦେଶକ ଭାନୁଦାସ ଜାୱଲେ, ପି.କେ ପଣ୍ଡା, ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ ଓ ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଏହି ପରୀକ୍ଷାମୂଳକ ସୋ’ ହୋଇଥିଲା। ସୂଚନାଯୋଗ୍ୟ ଯେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟ ‌ଇଡ୍‌କୋକୁ ଦିଆଯାଇଥିବା ବେଳେ ଇଡ୍‌କୋ ପକ୍ଷରୁ ଡକାଯାଇଥିବା ଟେଣ୍ଡର ପ୍ରିମିୟର ୱାର୍ଲଡ ସଂସ୍ଥା ପାଇଥିଲା। ପ୍ରାୟ ୯କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ହୋଇଛି। ଏହି ପ୍ରକଳ୍ପର ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଏହି ସଂସ୍ଥାକୁ ଦିଆଯାଇଛି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ମଲ୍ଟିମିଡିଆ ଲେଜର୍ ସୋ’, ଆଲୋକ ଓ ଶବ୍ଦର ସୋ’ ସମେତ ପର୍ଯ୍ୟଯନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ମାର୍କେଟ୍ କମ୍ପ୍ଲେକ୍ସ, ନବନିର୍ମିତ ଯାତ୍ରୀ ନିବାସକୁ ଉଦ୍‌ଘାଟନ କରିବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe