‘ବରମୁଣ୍ଡା ହାଉସିଂବୋର୍ଡ କଲୋନି ବାସିନ୍ଦାଙ୍କୁ ଜମିପଟ୍ଟା ଦିଅ’

Advertisment

୪୦ ବର୍ଷ ହେଲାଣି ମାଲିକାନା ନାହିଁ, ବିଜେପିର ବିକ୍ଷୋଭ

୪୦ ବର୍ଷ ହେଲାଣି ମାଲିକାନା ନାହିଁ, ବିଜେପିର ବିକ୍ଷୋଭ

‘ବରମୁଣ୍ଡା ହାଉସିଂବୋର୍ଡ କଲୋନି ବାସିନ୍ଦାଙ୍କୁ ଜମିପଟ୍ଟା ଦିଅ’

ଭୁବନେଶ୍ୱର : ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ବାସିନ୍ଦା ନିଜ ଜମିର ମାଲିକ ହେଲେ ବି ମାଲିକାନା ନାହିଁ। ୪୦ ବର୍ଷ ହେଲା ସେମାନେ ଏହି ଅଧିକାର ପାଇଁ ଲଢ଼େଇ କରୁଛନ୍ତି। କିନ୍ତୁ କେହି ଶୁଣିବାକୁ ନାହାନ୍ତି। ସେମାନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ନ କଲେ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ। ଆଜି ବିଜେପିର ଏକାମ୍ର ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦସ୍ତଖତ ଅଭିଯାନ କରାଯାଇଛି।

ଅଭିଯୋଗ ମୁତାବକ, ସରକାରଙ୍କୁ ବିଶ୍ୱାସ କରି ଭୁବନେଶ୍ୱରରେ ଜାଗା ଖଣ୍ଡେ କିଣି ବରମୁଣ୍ଡା ହାଉସିଂବୋର୍ଡ କଲୋନିର ୧୧୩୦ ପରିବାର ଦହଗଞ୍ଜ ହେଉଛନ୍ତି। ୧୯୭୭-୭୮ ମସିହାରେ ହାଉସିଂବୋର୍ଡ କଲୋନି ପାଇଁ ଯୋଜନା ହୋଇଥିବା ବେଳେ ୧୯୮୦ ମସିହାରେ ଲୋକେ ସରକାରଙ୍କ ଠାରୁ ଜାଗା କିଣି ଘର କରିଥିଲେ। ୧୯୮୪ ମସିହା ବେଳକୁ ଏଠାରେ କଲୋନି ଗଢ଼ି ଉଠିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମି ପଟ୍ଟା ଦିଆଯାଉନାହିଁ। ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି କଲୋନି ନିର୍ମାଣ ହୋଇଥିବାରୁ କିସମ ପରିବର୍ତ୍ତନ କରି ସରକାର ପଟ୍ଟା ଦେଇ ପାରୁ ନାହାନ୍ତି। ଫଳରେ ପାଉତି କାଟିବାଠାରୁ ଆରମ୍ଭ କରି ଜାଗା କିଣାବିକା ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୪୦ ବର୍ଷ ଭିତରେ କଲୋନି ବାସିନ୍ଦା ହାଉସିଂବୋର୍ଡରୁ ଆରମ୍ଭ କରି ଜଙ୍ଗଲ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ଦ୍ବାରସ୍ଥ ହୋଇ ଆସୁଥିଲେ ମଧ୍ୟ କିଛି ଫଳ ମିଳିନି। ସେହିପରି ଅଞ୍ଚଳବାସୀ ନାନା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଡ୍ରେନ୍‌ ନାହିଁ। ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ସଂଯୋଗ ନ ଥିବାରୁ ମଳ ନିଷ୍କାସିତ ହୋଇ ପାରୁନାହିଁ। ଲୋକେ ପ୍ରତି ମାସରେ ହଜାର ହଜାର ଟଙ୍କା ଦେଇ ଟାଙ୍କି ସଫା କରୁଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଉତ୍ତମ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, କମ୍ୟୁନିଟି ସେଣ୍ଟର୍, ଖେଳ ପଡ଼ିଆ, ଏସବୁ କିଛି ନାହିଁ। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଏହା ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଖଣ୍ଡଗିରି ମଣ୍ଡଳ ସଭାପତି ତଥା ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବୟଂସେବକ ରାୟ, ସୁରେଶ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ରୁଦ୍ରପ୍ରତାପ ପଣ୍ଡା ,ସ୍ମିତା ରାୟ, ଶାନ୍ତନୁ ଦାଶ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ବାସିନ୍ଦା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe