ଟ୍ରାଫିକ୍‌ ଛକରେ ‘ବାମ ପାର୍ଶ୍ବ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ’: ଖାଲି କଥାରେ...

Advertisment

କଟକଣା ମାନୁନାହାନ୍ତି ଲୋକେ

କଟକଣା ମାନୁନାହାନ୍ତି ଲୋକେ

ଟ୍ରାଫିକ୍‌ ଛକରେ ‘ବାମ ପାର୍ଶ୍ବ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ’: ଖାଲି କଥାରେ...

ଭୁବନେଶ୍ୱର: ଟ୍ରାଫିକ୍‌ ଛକରେ ବାମ ପାର୍ଶ୍ବ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ୍ବୁଲାନ୍‌ସକୁ ରାସ୍ତା ଛାଡ଼ିବାକୁ ଟ୍ରାଫିକ୍‌ ଛକର ବାମ ପାର୍ଶ୍ବକୁ ଅବରୋଧମୁକ୍ତ ରଖିବାକୁ ଏଭଳି ନିୟମ କରାଯାଇଛି। ଆମ୍ବୁଲାନ୍‌ସକୁ ରାସ୍ତା ଛାଡ଼ିବା ସହ ଛକରେ ଅଯଥା ଭିଡ଼ ନ କରିବାକୁ ଟ୍ରାଫିକ୍ ପୁଲିସ ଏହି ପଦକ୍ଷେପ ନେଉଛି। ମାତ୍ର ବର୍ଷବର୍ଷ ଧରି ରାଜଧାନୀରେ ଏହି ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ। ଟ୍ରାଫିକ୍ ପୁଲିସର ସବୁ କଡ଼ା ଚେତାବନୀକୁ ଲୋକେ ଫୁ’ କରି ଉଡ଼ାଇବାରେ ଲାଗିଛନ୍ତି। ଟ୍ରାଫିକ୍‌ ପୁଲିସର ଲୋକଦେଖାଣିଆ ତଥା ନିଷ୍ଠାହୀନ ପଦକ୍ଷେପକୁ ଲୋକେ ବୁଝି ସାରିଥିବାରୁ କଟକଣା ମାନୁନାହାନ୍ତି। ତେଣୁ ପୁଲିସ କମିସନର୍‌, ଡେପୁଟି କମିସନର ଓ ଟ୍ରାଫିକ୍‌ ଡିସିପି ବଦଳୁଛନ୍ତି ସିନା ଟ୍ରାଫିକ୍‌ ପରିଚାଳନାରେ କୌଣସି ଆଖିଦୃଶିଆ ସୁଧାର ଦେଖିବାକୁ ମିଳୁ ନାହିଁ। ଟ୍ରାଫିକ୍ ପୁଲିସର କାର୍ଯ୍ୟାନୁଷ୍ଠାନ ଚେତାବନୀ ଖାଲି କଥାରେ ରହିଯାଉଛି ବୋଲି ବାରମ୍ବାର ପ୍ରମାଣିତ ହେଉଛି।

publive-image

ପୂର୍ବତନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମୟରେ ଏହି ଅବ୍ୟବସ୍ଥାକୁ ସୁଧାରିବାକୁ ବଡ଼ ଉଦ୍ୟମ କରାଯାଇଥିଲା। ତତ୍କାଳୀନ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଟ୍ରାଫିକ୍‌ ପୁଲିସ କର୍ମଚାରୀମାନେ ବହୁ ଛକରେ ରହି ଗାଡ଼ି ଚାଳକମାନଙ୍କୁ ସଚେତନ କରାଇଥିଲା। କିଛି ଦିନ ସଚେତନତା କାର୍ଯ୍ୟକ୍ରମ ଚାଲିବା ପରେ ଜରିମାନା ଆଦାୟ ଆରମ୍ଭ ହୋଇଥିଲା। ଏମିତିକି ଟ୍ରାଫିକ୍‌ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରୁ ନିୟମ ଉଲ୍ଲଂଘନକାରୀ ତଥା ଅମାନିଆଙ୍କୁ ଚିହ୍ନଟ କରି ଚାଲାଣ କଟାଗଲା। କିଛି ଦିନ ଏମିତି ଚାଲିବାରୁ ଟ୍ରାଫିକ୍‌ ଛକ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା। ମାତ୍ର ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ସିପି ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେବା ପରେ ପୁଣି ପୂର୍ବାବସ୍ଥା ଫେରି ଆସିଲା। ଗାଡ଼ି ଚାଳକମାନେ ଟ୍ରାଫିକ ଛକରେ ବାମ ପାର୍ଶ୍ବକୁ ଅବରୋଧ କଲେ। ଏହା ଭିତରେ ଆଇପିଏସ୍‌ ସୌମ୍ୟା ମିଶ୍ରା ଟ୍ରାଫିକ୍ ଡିସିପି ଭାବେ ଯୋଗ ଦେଲେ। ମାତ୍ର କମ୍ ଦିନ ପରେ ସେ ବି ବଦଳି ହୋଇଗଲେ। ତେଣୁ ଟ୍ରାଫିକ୍ କର୍ମଚାରୀମାନେ ଆଉ ସେ ଦିଗରେ ନିଘା ରଖିଲେ ନାହିଁ। ତେଣୁ ପୂର୍ବଭଳି ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁଭବନ ଛକ, ମାଷ୍ଟରକ୍ୟାଣ୍ଟିନ୍‌ ଛକ, ନାଲ୍‌କୋ ଛକ, ପାୱାର ହାଉସ୍‌ ଛକ ଆଦିରେ ଗାଡ଼ିଚାଳକମାନେ ବାମ ପାର୍ଶ୍ବ ଅବରୋଧ କରି ରଖିଲେ।

publive-image

ଏବେ ଆଇପିଏସ୍‌ ଏସ୍‌.ସୁଶ୍ରୀ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ଭାବେ ଦାୟିତ୍ବ ନେଇଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ସେ ପୁଣି ପୁରୁଣା କଟକଣାକୁ ଦୋହରାଇଥିଲେ। ନିଜେ ବହୁ ଛକକୁ ଯାଇ ଗାଡ଼ି ଚାଳକମାନଙ୍କୁ ସଚେତନ କରାଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମ କରିବାର ଦୁଇ ତିନି ଦିନ ପରେ ସେ କୋଭିଡ୍‌ ସଂକ୍ରମିତ ହେଲେ ଓ ସଙ୍ଗରୋଧରେ ରହିଲେ। ଫଳରେ ପୁଣି ପୁରୁଣା ରୋଗ ବ୍ୟାପିଛି। ଏବେ ଏହା ଉପରେ କେହି ନଜର ଦେଉନାହାନ୍ତି। ସିସିଟିଭି ଲାଗିଛି। ଟ୍ରାଫିକ୍‌ ଛକରେ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି। ‘ବାମ ପାର୍ଶ୍ବ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ହେବ’ ବୋଲି ତୁହାକୁ ତୁହା ଘୋଷଣା ହେଉଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଗାଡ଼ି ଚାଳକମାନଙ୍କ ପୁରୁଣା ଅଭ୍ୟାସ ଯୋଗୁଁ ଟ୍ରାଫିକ୍ ଛକର ବାମ ପାର୍ଶ୍ବ ଅବରୋଧ ହୋଇ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe