ଭୁବନେଶ୍ବର: ବାୟୁ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣ ପରିବେଶର ଗୁଣାତ୍ମକ ଅବକ୍ଷୟ ଘଟାଉଥିବା ବେଳେ ଜୀବଜଗତ ବିପର୍ଯ୍ୟୟର କାରଣ ହେଉଛି। ଲେନ୍ସେଟ୍ କମିସନ୍ ରିପୋର୍ଟ ମୁତାବକ, ବିଶ୍ବରେ ପ୍ରତିବର୍ଷ ପ୍ରାୟ ୯ ନିୟୁତ ଲୋକ ପ୍ରଦୂଷଣ କାରଣରୁ ବିଭିନ୍ନ ରୋଗରେ ମୃତ୍ୟୁବରଣ କରୁଛନ୍ତି। କେବଳ ଭାରତରେ ୨୦୧୫ ମସିହାରେ ଏହି କାରଣରୁ ୨.୫୧ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ଦ୍ବାରା ପ୍ରତ୍ୟେକ ବର୍ଷ ବିଶ୍ବରେ ୭ ନିୟୁତ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଷ୍ଟ୍ରୋକ୍, ଫୁସ୍ଫୁସ୍ କର୍କଟ, ଶ୍ବାସକ୍ରିୟାଜନିତ ରୋଗରେ ଘଟୁଥିବା ମୃତ୍ୟୁର ୧ ତୃତୀୟାଂଶ ଏବଂ ହୃତପିଣ୍ଡ ଜନିତ ରୋଗରେ ହେଉଥିବା ମୃତ୍ୟୁର ୧ ଚତୁର୍ଥାଂଶ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି। ଏହି ନକରାତ୍ମକ ପରିସ୍ଥିତିରେ ମାନବ ସମାଜ ପାଇଁ ଶ୍ରେଷ୍ଠ ବିକଳ୍ପ ହେଉଛି ସହନୀୟ ବିକାଶ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ। ଓଡ଼ିଶା ପରିବେଶ ସମିତି ଆନୁକୂଲ୍ୟରେ ପ୍ରଦୂଷଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ଏପରି ମତ ରଖିଛନ୍ତି। ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବମ୍ବେ ଆଇଆଇଟିର ପୂର୍ବତନ ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ ବିଶ୍ବର ସାଂପ୍ରତିକ ପ୍ରଦୂଷଣ ଦୃଶ୍ୟପଟ୍ଟ ଏବଂ ପ୍ରତିକାର ସମ୍ବନ୍ଧରେ କହିଥିଲେ। ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ଆଲୋଚ୍ୟ ବିଷୟ ଉପରେ ବିବରଣୀ ରଖିଥିଲେ। ପୂର୍ବତନ ପିସିସିଏଫ୍ ବିଜୟ କେତନ ପଟ୍ଟନାୟକ ପ୍ରଦୂଷଣ ଜନିତ ସମସ୍ୟାର ଭୟାବହତା ଉପରେ ଆଲୋକପାତ କରିଥିଲେ। ରେଖା ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଦୂଷଣ ନେଉଛି ୯ ନିୟୁତ ଜୀବନ
Advertisment
Follow Us