ନାଟକରେ ଭବିଷ୍ୟତପିଢ଼ିଙ୍କ ପ୍ରତି ଦାୟିତ୍ବବୋଧ ରହୁ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ନାଟ୍ୟ ଆଲୋଚନାଚକ୍ର

ନାଟକରେ ଭବିଷ୍ୟତପିଢ଼ିଙ୍କ ପ୍ରତି ଦାୟିତ୍ବବୋଧ ରହୁ

ଭୁବନେଶ୍ବର: ନାଟକରେ ସାହିତ୍ୟ ମୂଲ୍ୟବୋଧ, କର୍ତ୍ତବ୍ୟବୋଧ ଓ ଭବିଷ୍ୟତପିଢ଼ିଙ୍କ ପ୍ରତି ଦାୟିତ୍ବବୋଧ ରହିବା ଦରକାର। ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଏହି ସବୁ ଦିଗରେ ଧ୍ୟାନ ଦେଉଥିଲେ, ଯାହାର ପ୍ରତିଫଳନ ‘ମୂଲିଆ’, ‘ଘରସଂସାର’, ‘ହିନ୍ଦୁ ଯୌଥ ପରିବାର’ ପରି ନାଟକ। ନାଟ୍ୟକାର ସ୍ବର୍ଗତ ରାମଚନ୍ଦ୍ର ମିଶ୍ର ଓ କମଳ ଲୋଚନ ମହାନ୍ତିଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟ୍ୟ ଆଲୋଚନାଚକ୍ରରେ ଆଲୋଚକ ଭାବେ ଯୋଗଦେଇ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ ଏହା କହିଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ସଭାପତି ଅରୁଣା ମହାନ୍ତି ସଭାପତିତ୍ବ କରିଥିଲେ। ନାଟ୍ୟକାର କମଳ ଲୋଚନଙ୍କ ସଂପର୍କରେ ଆଲୋଚନା କରି ନାଟ୍ୟକାର ବିଜୟ କୁମାର ଶତପଥୀ କହିଥିଲେ, ନାଟକ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ, ସମାଜକୁ ବାର୍ତ୍ତା ଦେବା ସହ ଲୋକଙ୍କୁ ସଚେତନ କରିଥାଏ।

ନାଟ୍ୟକାର ଧୀର ମଲ୍ଲିକ କହିଥିଲେ, ନାଟକ ଏକ ସୃଜନଶୀଳ କଳା। ଯେକୌଣସି ସୃଜନଶୀଳ କଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହେଉଛି ସାର୍ବଜନୀନ ହିତସାଧନ। ଏ ବିଷୟରେ ନାଟ୍ୟବିତ୍ ଏବଂ ବୃଦ୍ଧିଜୀବୀଙ୍କ ମତ ପ୍ରଣିଧାନଯୋଗ୍ୟ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଆଲୋଚନାଚକ୍ରରେ ଯୋଗଦେଇ ମନୋଜ ପଟ୍ଟନାୟକ କହିଥିଲେ, ସବୁ ଦିଗକୁ ନେଇ ନାଟକ କରାଯାଏ। ଆଗରୁ ବଳିଷ୍ଠ କାହାଣୀ ଓ ବଳିଷ୍ଠ ଅଭିନେତାଙ୍କୁ ନେଇ ନାଟକ ପ୍ରସ୍ତୁତ କରାଯାଉଥିଲା, ତେଣୁ ନାଟକ ଲୋକପ୍ରିୟ ହୋଉଥିଲା। ପୂର୍ବ ପରି ଆମେ ନାଟକ କରିବାର ଧାରାକୁ ଅନୁସରଣ କଲେ ଲୋକପ୍ରିୟ ହୋଇପାରିବ। ଦେବାନନ୍ଦ ନାୟକ କହିଥିଲେ, ରାମଚନ୍ଦ୍ର ମିଶ୍ରଙ୍କ ନାଟକ ‘ମୂଲିଆ’ ଅତି ଲୋକପ୍ରିୟ ହୋଇପାରିଥିଲା। ସେଥିରେ ବାସ୍ତବ ଚିତ୍ରକୁ ଉପସ୍ଥାପନ କରାଯାଇଥିଲା। ନାଟ୍ୟକାର ଅଭିନ୍ନ ରାଉତରାୟ କହିଥିଲେ, ସ୍ବର୍ଗତ କମଳ ଲୋଚନ ସମାଜର ସଂସ୍କାରକୁ ନେଇ ଆଗରୁ ନାଟକ ପ୍ରସ୍ତୁତ କରିବା ସହ ସଂସ୍କାର ମୂଳକ ଏବଂ ସାମାଜିକ ନାଟକ ପ୍ରସ୍ତୁତ କରୁଥିଲେ। କାର୍ଯ୍ୟକ୍ରମକୁ ଏକାଡେମିର ସଚିବ ପ୍ରବୋଧ ରଥ ପରିଚାଳନା କରିଥିବା ବେଳେ ଉପସଭାପତି ମନ୍ମଥ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe