ବିଦେଶ ଚାକିରି ଲୋଭ ଦେଖାଇ ୧୦ଲକ୍ଷ ଚଳୁ, ଧୂର୍ତ୍ତ ଅନ୍‌ସାରି ଗିରଫ

ବିଦେଶ ଚାକିରି ଲୋଭ ଦେଖାଇ ୧୦ଲକ୍ଷ ଚଳୁ, ଧୂର୍ତ୍ତ ଅନ୍‌ସାରି ଗିରଫ

ପୁରୁଣା ଭୁବନେଶ୍ୱର: ବିଦେଶରେ ଚାକିରି କରାଇଦେବା ବାହାନାରେ କିଛି ଯୁବକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ଚଳୁ କରିଦେଇଥିବା ଅଭିଯୋଗରେ ଆଜି ଏୟାର୍‌ଫିଲ୍‌ଡ ଥାନା ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଜଟଣୀ ଗଜପତିନଗରର ମହମ୍ମଦ ଅନ୍‌ସାରି(୪୨)। ସେ ଏୟାର୍‌ଫିଲଡ଼୍‌ ଥାନା ଅଧୀନ ସୁନ୍ଦରପଦା ନିକଟ ସୃଷ୍ଟି ପ୍ଲାଜା ବ୍ଲକ୍‌ ୨୦୩ରେ ରହୁଛି। ଜାମିନ ନାମଞ୍ଜୁର ହେବା ପରେ ତାକୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଅନ୍‌ସାରି ସୁନ୍ଦରପଦା ମାରୁତି ମଣ୍ଡପ ନିକଟରେ ଇସ୍‌ରତ ମ୍ୟାନେଜ୍‌ମେଣ୍ଟ ଏଣ୍ଡ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ସଂସ୍ଥା କରିଥିଲା। ୨୦୧୨ ମସିହାରୁ ସେ ଏହି ସଂସ୍ଥା ଜରିଆରେ ଲୋକଙ୍କୁ ବିଦେଶରେ ଚାକିରି କରାଇବା ବୋଲି କହି ଠକି ଚାଲିଥିଲା। ସିଙ୍ଗାପୁର, ଜର୍ମାନୀ, ଦୁବାଇ, ନାଇଜେରିଆ ଭଳି ବି‌ଦେଶରେ ଉଚ୍ଚ ଦରମାରେ ଚାକିରି କରାଇ ଦେବାକୁ କହି ଯୁବକମାନଙ୍କୁ ପ୍ରଲୋଭିତ କରୁଥିଲା। ତେ‌ବେ ବିଦେଶୀ କମ୍ପାନିରେ ନାମ ପଞ୍ଜୀକରଣ, ପାସ୍‌ପୋର୍ଟ, ଭିସା ଆଦି ବିଭିନ୍ନ ବାହାନା କରି ପ୍ରଥମେ ସେ ଯୁବକମାନଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲା। ଏସବୁ ବାବଦରେ ସେ ଜଣକ ପିଛା ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା। ତେବେ ଶେଷ ଅଭିଯୋଗ ଅନୁସାରେ, ୧୪ଜଣଙ୍କଠାରୁ ସେ ପାଖାପାଖି ୧୦ ଲକ୍ଷ ଟଙ୍କା ଠକି ନେଇଥିଲା। ବାରମ୍ବାର ଧାଇଁବା ପରେ ହତାଶ ହୋଇ ଜଗତସିଂହପୁର ତିର୍ତୋଲ ଅଞ୍ଚଳର ସମରେନ୍ଦୁ ରାଉତ ଏ ବାବଦରେ ଏୟାର୍‌ଫିଲଡ୍‌ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବା ଜାଣିବା ପରେ ଅନ୍‌ସାରି ଫୋନ୍‌ ଅଫ୍ କରି ଫେରାର୍ ହୋଇ ଯାଇଥିଲା। କିନ୍ତୁ ଥାନା ଅଧିକାରୀ ଫୋନ୍‌ ଟ୍ରାକ୍‌ କରି ଅନ୍‌ସାରିକୁ ଠାବ କରିବା ସହ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe