ଅସହ୍ୟ ହେଲାଣି ବିଜୁଳି କଷ୍ଟ

Advertisment

ବିସ୍ଫୋରକ ରୂପ ନେଲା ପୁଞ୍ଜିଭୂତ ଅସନ୍ତୋଷ

ବିସ୍ଫୋରକ ରୂପ ନେଲା ପୁଞ୍ଜିଭୂତ ଅସନ୍ତୋଷ

ଅସହ୍ୟ ହେଲାଣି ବିଜୁଳି କଷ୍ଟ

Electrical Engineering Portal

ଖଣ୍ଡଗିରି: ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଲୋକଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବରମୁଣ୍ଡା ଅଞ୍ଚଳର ପାଖାପାଖି ୫ ଶହରୁ ଉପଭୋକ୍ତା ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇ ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କ ରୋଷ ଦେଖି କର୍ମଚାରୀମାନେ ଭୟରେ ଅଫିସ୍‌ ଛାଡ଼ି ପଳାଇଥିଲେ। ତେବେ ଖବର ପାଇ ରାତି ପ୍ରାୟ ସାଢ଼େ ୧ଟାରେ ସ୍ଥାନୀୟ କର୍ପୋରେଟର୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା। ତେବେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ହେବା ବେଳକୁ ଭୋର୍‌ ୪ଟା ପାଖାପାଖି ହୋଇଯାଇଥିଲା।

ବରମୁଣ୍ଡା ବିଦ୍ୟୁତ୍‌ ଅଫିସ୍‌ ଆଗରେ ପ୍ରବଳ ଉତ୍ତେଜନା
ଲୋକଙ୍କ ରୋଷ ଦେଖି ଅଫିସ୍‌ ଛାଡ଼ି ପଳାଇଲେ କର୍ମଚାରୀ
‌ଭରତପୁର, ଖଣ୍ଡଗିରି, ଜିଏ କଲୋନିରେ ବି ବଢ଼ୁଛି ଯନ୍ତ୍ରଣା

ସୂଚନାଯୋଗ୍ୟ, ପାଖାପାଖି ୧୫ ଦିନ ହେବ ଭୁବନେଶ୍ବରରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଘରେ-ବାହାରେ କେଉଁଠି ବି ଶାନ୍ତିରେ ଟିକିଏ ବସି ହେଉନି। ଫ୍ୟାନ୍‌ ଆଗରୁ ମୁହଁ କାଢ଼ିଲେ ଦେହରୁ ଗମଗମ ଝାଳ ନିଗିଡ଼ି ପଡ଼ୁଛି। ଏଭଳି ସ୍ଥିତିରେ ଗତ ରାତି ପ୍ରାୟ ସାଢ଼େ ୧୦ଟାରେ ବରମୁଣ୍ଡାର ବହୁ ଅଞ୍ଚଳରୁ ବିଜୁଳି କଟି ଯାଇଥିଲା। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ବିଦ୍ୟୁତ୍‌ ନ ଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସ୍ଥାନୀୟ ବିଦ୍ୟୁତ୍‌ ଅଫିସ୍‌ ଓ କଷ୍ଟମର୍‌ କେୟାର୍‌କୁ ବାରମ୍ବାର ଯୋଗାଯୋଗ କରିବାରୁ କିଛି ଲାଭ ନ ହେବାରୁ ଲୋକେ ପଦାକୁ ବାହାରି ଆସିଥିଲେ। ରାତି ପ୍ରାୟ ୧୨ଟା ବେଳକୁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଗହଳି ବଢ଼ିଥିଲା। ପାଖାପାଖି ୫ଶହ ଲୋକ କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ, ହୋ-ହଲ୍ଲା କରିଥିଲେ। ତେବେ ସେ ସମୟ‌ରେ ଅଫିସ୍‌ ନିୟନ୍ତ୍ରଣ କକ୍ଷରେ ତାଲା ଝୁଲୁଥିବାରୁ ଲୋକଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ଲୋକେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରି ଚେତାବନୀ ଦେଇଥିଲେ। ବିଜୁଳି ନ ଆସିବା ପର୍ଯ୍ୟନ୍ତ କାହାକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ।

ଏ ସଂପର୍କରେ ବରମୁଣ୍ଡା ଏସ୍‌ଡିଓ କହିଛନ୍ତି, ସାଢ଼େ ୧୦ଟା କି ସାଢ଼େ ୧୧ଟା ନୁହେଁ, ଜମ୍ଫର ଛିଡ଼ିଯିବାରୁ ରାତି ସାଢ଼େ ୧ଟାରୁ ବିଜୁଳି ଚାଲି ଯାଇଥିଲା। ଆବଶ୍ୟକ ମରାମତି କରାଯାଇ ୪୫ମିନିଟ୍ ମଧ୍ୟରେ ବିଜୁଳି ଯୋଗାଣ ସ୍ବାଭାବିକ କରାଯାଇଥିଲା। ଏଥିଯୋଗୁଁ ୭ ହଜାର ଗ୍ରାହକ ପ୍ରଭାବିତ ହୋଇଥିଲେ। ସେଥିରୁ ମଧ୍ୟ ୩ ହଜାର ଗ୍ରାହକଙ୍କୁ ୧୫ମିନିଟ୍‌ ମଧ୍ୟରେ ବିଜୁଳି ଯୋଗାଇ ଦିଆଯାଇଥିଲା। ବାକିମାନଙ୍କୁ ବିଜୁଳି ଯୋଗାଣ ସାମାନ୍ୟ ବିଳମ୍ବ ହୋଇଥିଲା।

‌ଲୋକଙ୍କ କହିବା କଥା, କେବଳ ଗତରାତି ନୁହେଁ, ଦୁଇ ମାସ ହେଲା ବରମୁଣ୍ଡା ବିଜୁଳି କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାରମ୍ବାର ବିଜୁଳି କାଟ ହେବା, ଲୋ-ଭୋଲଟେଜ୍‌, ପାୱାର ଟ୍ରିପ୍‌ ଆଦି ନିତିଦିନିଆ ସମସ୍ୟା ହୋଇଗଲାଣି। ବିଦ୍ୟୁତ୍‌ ବିଲ୍‌ ବାବଦକୁ ମାସକୁ ପୁଳାପୁଳା ଟଙ୍କା ଦେବା ପରେ ବି ଏଭଳି ବିପର୍ଯ୍ୟସ୍ତ ସେବା ଦିଗରେ ଆଦୌ ଧ୍ୟାନ ଦିଆଯାଉନାହିଁ। ଖାଲି ବରମୁଣ୍ଡା ନୁହେଁ, ଭରତପୁର, ଖଣ୍ଡଗିରି, ଶ୍ୟାମପୁର, ପଣ୍ଡାକୁଦିଆ, ଗିରୀଶବିହାର, ଜିଏ କଲୋନି ସମେତ ବିଭିନ୍ନ ସ୍ଥାନରେ ଦୈନିକ ହାରାହାରି ୨ରୁ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ସେବା ବାଧାପ୍ରାପ୍ତ ହେଉଛି। ଖରା ଦିନରେ କଳିଙ୍ଗବିହାର ଭଳି କିଛି ସ୍ଥାନରେ କ୍ଷମତା ଅଧିକ ବିଜୁଳି ବ୍ୟବହାର ଯୋଗୁଁ ପାୱାର ଟ୍ରିପ୍‌ ବଢ଼ିଛି। ଏହାସହ କେବୁଲ କଟିଯିବା, ଟ୍ରାନ୍ସଫର୍ମର୍‌ ପୋଡ଼ିଯିବା ବିଜୁଳି ବିଭ୍ରାଟର ଅନ୍ୟତମ କାରଣ ବୋଲି ଜଣାପଡ଼ିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏଭଳି ଅବସ୍ଥା ହୋଇଛି। ସାଧାରଣତଃ ଟ୍ରାନ୍ସଫର୍ମର୍‌ରେ ଥରେ ତେଲ ପକାଇବା ପରେ ତାହା ୨ବର୍ଷ ପର୍ଯ୍ୟନ୍ତ ଚାଲିପାରେ। ତେଣୁ ଶୀତ ଦିନରେ ତେଲ ପକାଇବା କାର୍ଯ୍ୟ କରାଯାଏ। କିନ୍ତୁ ଠିକ୍‌ ସମୟରେ ତେଲ ପକାଯାଉ ନଥିବାରୁ ଟ୍ରାନ୍ସଫର୍ମର୍‌ ପୋଡ଼ିଯିବା ଭଳି ଘଟଣା ଘଟୁଛି। କେବୁଲ କଟିଯାଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଭରତପୁର ଅଞ୍ଚଳରେ ରକ୍ଷଣାବେକ୍ଷଣ ପାଇଁ ଯେତିକି କର୍ମଚାରୀ ଅଛନ୍ତି, ସେହି ତୁଳନାରେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ବିଲ୍‌ ସଂଗ୍ରହ ଭଳି ରକ୍ଷଣାବେକ୍ଷଣ ଗୁରୁତ୍ବ ଦିଆନଯିବା ଗ୍ରାହକଙ୍କୁ ବେଶି ବାଧୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe