ଦୀପମାଳାରେ ଝଲମଲ ଏକାମ୍ରକ୍ଷେତ୍ର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

Advertisment

ହୁଳହୁଳି ହରିବୋଲରେ ଉଛୁଳିଲା ଗଗନପବନ

ହୁଳହୁଳି ହରିବୋଲରେ ଉଛୁଳିଲା ଗଗନପବନ

ଦୀପମାଳାରେ ଝଲମଲ ଏକାମ୍ରକ୍ଷେତ୍ର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

ଭୁବନେଶ୍ବର: ଉତ୍କଣ୍ଠାର ଅନ୍ତ ଘଟିଲା। ରାତି ୧୦ଟା ୪ ମିନିଟ୍‌ରେ ମନ୍ଦିରରୁ ବାହାରିଲା ମହାଦୀପ, ବେଢ଼ା ପରିକ୍ରମାକରି ୧୦.୧୨ରେ ତାହାକୁ ଧାରଣ କରି ସମର୍ଥା ସେବାୟତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଉପରକୁ ଚଢ଼ିଲେ। ଯୋଗେନ୍ଦ୍ର ସମର୍ଥା ଗୋଟିଏ ହାତରେ ମହାଦୀପ ଧରି ଅତ୍ୟନ୍ତ ଦୁଃସାହସିକତାର ସହ ମନ୍ଦିର ଚୂଡ଼ାକୁ ଅଗ୍ରସର ହେଲେ। ‌ମହାଦୀପ ଯେତିକି ଯେତିକି ମନ୍ଦିର ଉପରକୁ ଉଠୁଥିଲା, ହୁଳହୁଳି ଓ ହରିବୋଲ ସହ ‘ଓଁ ନମଃ ଶିବାୟ’, ‘ହର୍‌ ହର୍‌ ମହାଦେବ’ ଓ ‘ଜୟ ପ୍ରଭୁ ଲିଙ୍ଗରାଜଙ୍କର ଜୟ’ ଧ୍ବନି ଗଗନପବନକୁ ସେତିକି ଅଧିକ ପ୍ରକମ୍ପିତ କରୁଥିଲା। ଉପରକୁ ଦୁଇହାତ ଟେକି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ଶ୍ରଦ୍ଧାଳୁ ନାଚି ଉଠୁଥିଲେ ଭକ୍ତିରେ। ଶେଷରେ ରାତି ୧୦ଟା ୧୫ ମିନିଟରେ ମନ୍ଦିରଚୂଡ଼ାରେ ସ୍ଥାପନ ହୋଇଥିଲା ମହାଦୀପ। ସେ ଅପୂର୍ବ ଦିବ୍ୟଦୃଶ୍ୟକୁ ଦେଖି ଭକ୍ତଙ୍କ ଆଖିରୁ ଝରି ପଡ଼ୁଥିଲା ଆନନ୍ଦାଶ୍ରୁ।

ଆଜି ପବିତ୍ର ମହାଶିବରାତ୍ରି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗୁରୁବାର ରାତି ପାଖାପାଖି ଗୋଟାଏରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଭୋର୍‌ ୩ଟାରେ ଖୋଲିଥିଲା ମନ୍ଦିର। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଭୋର୍‌ ପ୍ରାୟ ୩ଟା ୪୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଭକ୍ତମାନେ ଗର୍ଭଗୃହକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ୧୧ଟାରେ ଛାମୁ ପରିଷ୍କାର କରାଯାଇ ମାଘସ୍ନାନ ଓ ପ୍ରଭୁଙ୍କ ବେଶ କରାଯାଇଥିଲା। ଦିନ ୧୨ଟା ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଠାକୁରାଣୀ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସକାଳଧୂପରେ ସବୁଦିନ ପରି ଆରିସା, ଖେଚୁଡ଼ି, ହଂସକେଳି, ସେଦୁଅ ଭଳି ନାନା ଭୋଗ ଲଗାଯାଇଥିଲା। ପାଖାପାଖି ୩ଟା ୪୦ରେ ଭୋଗ ମଣ୍ଡପ କରାଯାଇଥିଲା। ୪ଟା ପରେ ପୁଣି ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସାହାଣମେଲା ଦର୍ଶନ ପରେ ଛାମୁ ପରିଷ୍କାର କରାଯାଇ ପୁନର୍ବାର ପ୍ରଭୁଙ୍କ ବେଶ କରାଯାଇଥିଲା। ଏଥିସହ ପ୍ରଭୁଙ୍କ ଦ୍ବିପ୍ରହର ଧୂନ ଓ ଭୁବନେଶ୍ବରୀଙ୍କ ଦ୍ବିପ୍ରହର ଧୂପ କରାଯାଇଥିଲା।

ଏହାପରେ ନିର୍ଦ୍ଧାରିତ ନୀତି ଅନୁସାରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି, ମାଜଣା ଓ ବେଶ, ଯାତ୍ରାପୂଜା, ସନ୍ଧ୍ୟାଧୂପ ଓ ତୀର୍ଥଜଳ ଆନୟନ ପରେ ମହାଦୀପ ଉଠିବା ପ୍ରସ୍ତୁତି ହୋଇଥିଲା। ମହାଦୀପ ଉଠିବା ପରେ ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ ଖୋଲା ଯାଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ସହ ମନ୍ଦିର ଭିତର ସମେତ ମନ୍ଦିର ବାହାରେ ଦେବୀପାଦହରା ପୁଷ୍କରିଣୀ ନିକଟ, ନୂଆ ଲିଙ୍ଗରାଜ ମାର୍କେଟ, ଲିଙ୍ଗରାଜ ହାଟ, ବିଏମ୍‌ସି ଡାକ୍ତରଖାନା ଛାତ, ବଡ଼ ମଠ, ଗଙ୍ଗାଯମୁନା ପଡ଼ିଆ ଓ ବହୁ ଘରର ଛାତ ଉପରେ ରହି ଅରୁଆ ଚାଉଳ, ଫୁଲ ଉପରେ ଅଖଣ୍ଡ ଦୀପ ଜାଳିଥିଲେ। ସମଗ୍ର ଏକାମ୍ରକ୍ଷେତ୍ର ଦୀପରେ ଝଲମଲ ହେବା ସହିତ ଯେମିତି ଶିବସ୍ତୁତିରେ ମଧ୍ୟ ତଲ୍ଲୀନ ହୋଇ ଯାଇଥିଲା। ଆଜି ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ମନ୍ଦିର ପ୍ରଶାସନ ଓ ବଡ଼ୁ, ବ୍ରାହ୍ମଣ, ପୂଜାପଣ୍ଡା ଓ ସମର୍ଥା ସମସ୍ତ ନିଯୋଗମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ସମସ୍ତ ନୀତି ସୁରୁଖୁରୁରେ ହୋଇଥିଲା। ‌

ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ଓ ଗାଡ଼ି ପାର୍କିଂ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ୯୩ ସେକ୍ସନ ଫୋର୍ସ ସହ ୧୨୫ ଜଣ ପୋଲିସ ଅଧିକାରୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଥିଲେ। ୨ଟି ପୁଲିସ କଣ୍ଟ୍ରୋଲ ରୁମ୍‌ରୁ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଏଥିସହ ୧୨ଟି ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିଲା। ୨୦ରୁ ଅଧିକ ସ୍ବେଚ୍ଛାସେବୀ ସଙ୍ଗଠନ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଓ ସର୍ବତ ଦେବାସହ ଶୃଙ୍ଖଳିତ ଦର୍ଶନରେ ସହଯୋଗ କରିଥିଲେ। ତେବେ ମନ୍ଦିର ନୀତି ସୁରୁଖୁରୁରେ ‌ହୋଇଥିଲେ ହେଁ ଦୁର୍ଭାଗ୍ୟଜନକ ଭାବେ ଦର୍ଶନ ବେଳେ ହୋଇଥିବା ଚଳାଚକଟା ଏ ସଫଳତାକୁ ଆଂଶିକ କଳଙ୍କିତ କରି ଦେଇଥିଲା।

publive-image

ବି‌ମୋହିତ କଲା ଭଜନସନ୍ଧ୍ୟା
ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାସ୍କୃତିକ ପ୍ରକାଶନୀ ପକ୍ଷରୁ ୨୪ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭୋର ୪ଟାରୁ କ୍ରମଅନୁଯାୟୀ ଶଙ୍ଖଧ୍ୱନି, ବେଦପାଠ, ଶିବ ଶହସ୍ରନାମ, ଭାଗବତ ଓ ଗୀତାପାଠ, ହରିହର ଭଜନ, ରାମଚରିତ ମାନସ ପାରାୟଣ ଓ ପ୍ରବଚନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ କୁନି ପ୍ରବଚକ ବାବା କେଶବ ଦାସ ଦ୍ବିତୀକୃଷ୍ଣଙ୍କ ହରିହର କଥା ଦର୍ଶକଙ୍କୁ ଖୁବ୍‌ ବିମୋହିତ କରିଥିଲା।

ଏହାପରେ ମୁମ୍ୱାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ହେମନ୍ତ ବ୍ରିଜବାସୀ, ହୋସିୟାର ସିଂହ, ବର୍ଦ୍ଧନ ସିଂହ, ଚେତନ ବ୍ରିଜବାସୀ, ପୁନମ୍ ଭାଟିଆ, ଲୋପିତା ମିଶ୍ର ତଥା ଗାୟିକା ଅନୁରାଧା ପଡ଼ୱାଲ ଓ ତାଙ୍କ ଦଳ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା ଗାୟକ ଗାୟିକା ମଧ୍ୟ ଭଜନ ପରିବେଷଣ କରିଥିଲେ। ଏହାକୁ ଦର୍ଶକ ଓ ଶ୍ରୋତାମାନେ ବିଳମ୍ବିତ ରାତିଯାଏ ଉପଭୋଗ କରିଥିଲେ।
ପ୍ରାରମ୍ଭରେ ଆଜି ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ଅତିଥିମାନଙ୍କ ଦ୍ବାରା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ରତିକାନ୍ତ ମହାସୁଆର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ଲିଙ୍ଗରାଜ ସାହୁ, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ଓ  ବିଶ୍ୱନାଥ ମହାପାତ୍ର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe