ଅସହ୍ୟ ହେଲାଣି ବିଜୁଳି କଷ୍ଟ: ଆଜି ବି କନ୍ଦେଇଲା

Advertisment
ଅସହ୍ୟ ହେଲାଣି ବିଜୁଳି କଷ୍ଟ: ଆଜି ବି କନ୍ଦେଇଲା

Citizen Matters, Beng

ଭୁବନେଶ୍ବର: ରାତି ଗୋଟାଏରେ ଯାଇ ଭୋର୍‌ ୪ଟାରେ ଆସିଥିଲା। ପୁଣି ସକାଳ ୯ଟାରୁ ଗଲା ଯେ ଆସୁଆସୁ ଦିନ ୧୨ଟା ଡେଇଁଗଲା। ରାତିସାରା ବଞ୍ଚଣା ବୁଲେଇ ବୁଲେଇ ହାତ ଯେତିକି ଘୋଳାବିନ୍ଧା ହୋଇଥିଲା, ଦିନରେ ବିଦ୍ୟୁତ୍‌ କାଟ ଯୋଗୁଁ ପାଣି ମଟର ନ ଚାଲିବା, ନିତ୍ୟକର୍ମ କରିନପାରିବା, ରୋଷେଇ ହୋଇ ନପାରିବା ଭଳି କଷ୍ଟ ତା’ଠାରୁ ବଳେଇଗଲା। ବିଜୁଳି ବିଭ୍ରାଟ ପାଇଁ ପୁରୁଣା ଭୁବନେଶ୍ବର ଲୋକ ଏମିତି ଦହଗଞ୍ଜ ହୋଇଛନ୍ତି। ମାଉସୀ ମା’ ଛକରୁ ଆରମ୍ଭ କରି ବଢ଼େଇବାଙ୍କ, ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରୁ ଆରମ୍ଭ କରି ସାମନ୍ତରାପୁର ପର୍ଯ୍ୟନ୍ତ ଶହଶହ ଲୋକ ଏମିତି ଯନ୍ତ୍ରଣା ଭୋଗିଛନ୍ତି।

ସେହିପରି ପୂର୍ବାହ୍ନ ୧୦ଟାରୁ ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ବିଡିଏ କଲୋନି ଆଦି ପ୍ରମୁଖ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟାବସାୟିକ ପ୍ରତିଷ୍ଠାନ ଓ ବଡ଼ବଡ଼ ହସ୍‌ପିଟାଲ୍‌ରୁ ବିଜୁଳି ଚାଲିଗଲା। ଅନେକ ଜରୁରି କାମ ବାଧାପ୍ରାପ୍ତ ହେଲା। ପାଖାପାଖି ୪୫ ମିନିଟ୍‌ ପରେ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପିତ ହୋଇଥିଲା। ‘ହାର୍ଟ ଅଫ୍‌ ଦ ଟାଉନ୍‌’ କୁହାଯାଉଥିବା ସତ୍ୟନଗର ଅଞ୍ଚଳରେ ବି ସକାଳ ସାଢ଼େ ୯ଟାରୁ ୪୫ମିନିଟ୍‌ ଧରି ବିଦ୍ୟୁତ୍‌ ନଥିଲା। ସବୁଠାରୁ ବଳି ଯାଇଥିଲା ୟୁନିଟ୍‌-୩ ଓ ୟୁନିଟ୍‌-୪ ଅଞ୍ଚଳବାସୀଙ୍କ ଦୁଃଖ। ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଅନ୍ଧାର ରହିଥିଲା।

publive-image Thomasnet

ଅପରାହ୍‌ଣ ସାଢ଼େ ୪ଟା ବେଳକୁ, ବର୍ଷା-ପବନ ନ ହେଉଣୁ ଚକେଇସିହାଣୀ, ଭିଏସ୍‌ଏସ୍‌ନଗର, ରସୁଲଗଡ଼, ପଳାସୁଣି, ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର ପ୍ରଭୃତି ଅଞ୍ଚଳରୁ ଲାଇନ୍‌ ଗଲା ଯେ ରାତି ୮ଟା ଯାଏ ଆସିନଥିଲା। ପ୍ରାୟ ୪ ଘଣ୍ଟା ଧରି ହଜାର ହଜାର ଲୋକ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ। ବିଭିନ୍ନ ବିଦ୍ୟୁତ ଅଫିସ୍‌ରେ ଲୋକମାନେ ପହଞ୍ଚି ଭିଡ଼ ଜମାଇଥିଲେ।

ଆଜି ଦିନ ସାରା ରାଜଧାନୀର ଏଭଳି ବିଭିନ୍ନ ଅଞ୍ଚଳରେ ଦଫା ଦଫାରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଗତ ଦୁଇ ଦିନ ଧରି ଏହାକୁ ନେଇ ତନାଘନା ଚାଲିବା ସହ ବିଭିନ୍ନ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଜାଗାରେ ବିଦ୍ୟୁତ ସେବାରେ କାମ କରୁଥିବା କର୍ମଚାରୀ ଆକ୍ରୋଶର ଶିକାର ହୋଇଛନ୍ତି। କାର୍ଯ୍ୟାଳୟ ଭଙ୍ଗାରୁଜାର ମଧ୍ୟ ଖବର ରହିଛି। ବିଦ୍ୟୁତ ଉପଭୋକ୍ତା ମହାସଂଘ ଏହି ପ୍ରସଙ୍ଗରେ ‘ଯୁଦ୍ଧଂ ଦେହି’ ଡାକରା ଦେଇଛି। ଟ୍ବିଟର ଜରିଆର ଶହ ଶହ ଉପଭୋକ୍ତା ଅସନ୍ତୋଷ ଜାହିର କରିଛନ୍ତି। ତଥାପି ବିଜୁଳି ସଂଯୋଗ ନିୟମିତ ହୋଇପାରିନାହିଁ। ଗତକାଲି ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସିଇଓ ଅରବିନ୍ଦ ସିଂ ସବୁ ଠିକ୍‌ ହୋଇଯାଇଥିବା କହିଥିଲେ ମଧ୍ୟ ଅନେକ ଜାଗାରେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ରହିଥିଲା। ଆଉ ଆଜି ବି ଲୋକେ ଦହଗଞ୍ଜ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe