ପାହାଚ ହେବନି, ଲିଙ୍ଗରାଜ ମନ୍ଦିର ଆଗରେ ରାସ୍ତା ହେବ

Advertisment
ଏକାମ୍ର ଯୋଜନା ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସମସ୍ତ ଜମି ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ ହେବ, ଜମିଦାତାଙ୍କ ନାମ ଫଳ‌କରେ ରହିବ

ପୁରୁଣା ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଆଗରେ ରାସ୍ତା ହେବ, ପାହାଚ ରହିବ ନାହିଁ। ଚାହାଣି ମଣ୍ଡପରୁ ମନ୍ଦିର ସିଂହଦ୍ବାର, ହାଟ ଛକରୁ ସିଂହଦ୍ବାର ଓ ମନ୍ଦିର ସିଂହଦ୍ବାର ସମ୍ମୁଖ ରାସ୍ତା ସ୍ଲୋପିଂ ରହିବ। ଏହାଦ୍ବାରା ଗାଡ଼ିମଟର ବି ସୁବିଧାରେ ଯା’ ଆସ କରିପାରିବ। ମନ୍ଦିର ସମ୍ମୁଖ ରାସ୍ତାକୁ ଖୋଳି ପାହାଚ ନିର୍ମାଣ କଲେ ପରମ୍ପରା ଭଙ୍ଗ ହେବ ବୋଲି କିଛି ସେବାୟତ କିଛି ଦିନ ତଳେ ଅଭିଯୋଗ କରିଥିଲେ। ଏ ସଂପର୍କିତ ଖବର ପ୍ରକାଶ ପରେ ଆଜି ପ୍ରାଶାସନିକ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଖ୍ୟାନ କେନ୍ଦ୍ର ଥିବା ସ୍ଥାନ ଓ ଥାନା ଚାରିପଟରୁ ମାଟି ୩ ଫୁଟ୍‌ ତଡ଼ା ଯିବା ପରେ ପ୍ରଶାସନର ଗଢ଼ିବା, ଭାଙ୍ଗିବା କାମ ଦେଖି ସାଧାରଣ ଲୋକେ ଚିନ୍ତାରେ ପଡ଼ିଥିଲେ। ମନ୍ଦିର ସିଂହଦ୍ବାର ନିକଟରେ ଚାହାଣି ମଣ୍ଡପ ପର୍ଯ୍ୟନ୍ତ ଓ ସିଂହଦ୍ବାରରୁ ହାଟ ସାହି ଛକ ପର୍ଯ୍ୟନ୍ତ ରାସ୍ତା ଖୋଳା ଯିବା ପାଇଁ ସରକାରଙ୍କ ଯୋଜନା ରହିଥିଲା। ମନ୍ଦିରକୁ ଯିବା ପାଇଁ ଚାହାଣି ମଣ୍ଡପ, ସିଂହଦ୍ବାର ଓ ହାଟ ସାହି ଛକଠାରେ ପାହାଚ କରାଯିବା ପ୍ରଶାସନର ଲକ୍ଷ୍ୟ ଥିଲା। କିନ୍ତୁ ଦଶହରା ଭସା‌ଣରେ ବିଭିନ୍ନ ଦେବୀଙ୍କୁ ମନ୍ଦିର ସିଂହଦ୍ବାର ନିକଟରେ ପୂଜା କରାଯାଏ। ସେହିପରି ବିବାହ ସମୟରେ ବରଗାଡ଼ି ମନ୍ଦିର ସିଂହଦ୍ବାର ନିକଟରେ ଅଟକି ଠାକୁରଙ୍କୁ ବର ଚାଉଳ ଓ ଗୁଆ ସମର୍ପଣ କରି ପାଦୂକ ପାଇବା ସହ ଶୁଭ ମନାସି ବିବାହ ପାଇଁ ଯାଇଥାଏ। ବ୍ରତଘର ବେଳେ ମନ୍ଦିର ସମ୍ମୁଖରେ ସିଂହଦ୍ବାରଠାରେ ବ୍ରହ୍ମଚାରୀମାନଙ୍କ ଏକ କର୍ମ କରାଯାଏ। ସେହିପରି ସିଂହଦ୍ବାର ନିକଟରେ ଅଧିକ ପାହାଚ କଲେ ଆପଟିଆ ଠାକୁରଙ୍କୁ ନେବାକୁ ସମସ୍ୟା ଦେଖା ଦେଇଥାନ୍ତା। ଏହାଦ୍ବାରା ପରମ୍ପରା ଭଙ୍ଗ ହେବାର ଆଶଙ୍କା ରହିଥିଲା। ଏ ସଂପର୍କିତ ଏକ ରିପୋର୍ଟ ଗତ ୧୨ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା। ଆଜି ଏ ନେଇ ମନ୍ଦିର କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାହାଚ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଏମ୍‌ସି, ବିଡିଏ, କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ପର୍ଯ୍ୟଟନ ବିଭାଗ, ଓବିସିସିର ବିଭିନ୍ନ ଅଧିକାରୀ ସମେତ ତିନି ନିଯୋଗ ସମ୍ପାଦକ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe