ହବିଷ୍ୟାଳିଙ୍କୁ ମିଳିବ ବରାଦି ଅବଢ଼ା, ୧ରୁ ଲିଙ୍ଗରାଜଙ୍କ ରାଈ ଦାମୋଦର ବେଶ

Advertisment
ଗଠନ ହେଲା ସବ୍‌କମିଟି: ଲାଗିବ ମହାପ୍ରସାଦ ଦର ତାଲିକା

Quora

ପୁରୁଣା ଭୁବନେଶ୍ୱର: ନଭେମ୍ବର ପହିଲାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାଈ ଦାମୋଦର ବେଶରେ ଦର୍ଶନ ଦେବେ। ସେହିଦିନରୁ ମହା କାର୍ତ୍ତିକ ମାସ ଆରମ୍ଭ ହେଉଥିବାରୁ ମାସ ତମାମ ଶ୍ରୀ ଜିଉଙ୍କୁ ଦାମୋଦର ବେଶ କରାଯିବ। ପରମ୍ପରା ଅନୁସାରେ ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ସୁନ୍ଦର ବେଶ କରାଯିବ। ତେବେ ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ହବିଷ୍ୟାଳିମାନଙ୍କୁ ଦେଖିବାକୁ ମିଳିବ ନାହିଁ। କରୋନା କଟକଣା ପାଇଁ ସେମାନେ ଘରେ ରହି ବ୍ରତ ପାଳନ କରିବେ। ସେମାନଙ୍କ ପାଇଁ ବରାଦରେ ଅବଢ଼ା ଓ ହବିଷ ଡାଲ୍‌ମା ମିଳିବ।

କୁମାର ପୂର୍ଣ୍ଣିମା ପର ଦିନଠାରୁ ହବିଷ୍ୟାଳିମାନେ ବ୍ରତ ଆରମ୍ଭ କରିବା ବିଧି ରହିଛି। ପ୍ରତିବର୍ଷ ଏକାମ୍ର କ୍ଷେତ୍ରକୁ ପ୍ରାୟ ୬୦ରୁ ଅଧିକ ହବିଷ୍ୟାଳି ଆସି ଦୁଦ୍‌ୱାଲା ଧର୍ମଶାଳାରେ ରୁହନ୍ତି। ସେମାନେ ପ୍ରତିଦିନ ସକାଳେ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରନ୍ତି। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଠାକୁରଙ୍କ ଚିତ୍ର ଆଙ୍କନ୍ତି। ଭୋର୍‌ ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଏହା ପରେ ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଇବାପରେ ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରନ୍ତି। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ କରନ୍ତି। ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବ ଦେବୀଙ୍କ ନିକଟରେ ସଞ୍ଜସଳିତା ଦେଇ ଆଳତି କରନ୍ତି। ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ପ୍ରସାଦ ସେବନ କରନ୍ତି। ତେବେ ଚଳିତ ବର୍ଷ କରୋନା ଦାଉ ସାଜିଛି। ମନ୍ଦିର ଖୋଲିବ ନାହିଁ ଓ ବୟସ୍କ ଲୋକମାନେ ଘରୁ ବାହାରିବେ ନାହିଁ। ତେଣୁ ଏକାମ୍ର କ୍ଷେତ୍ରକୁ ହବିଷ୍ୟାଳିମାନେ ଆସିବେ ନାହିଁ। କିନ୍ତୁ ହବିଷ୍ୟାଳିମାନଙ୍କ ପାଇଁ ଅବଢ଼ା ଓ ହବିଷ ଡାଲ୍‌ମା ମିଳିବ। ବାସୁଦେବ ମନ୍ଦିରରେ ସୁଆର ସେବାୟତଙ୍କ ପ୍ରସ୍ତୁତ ଅବଢ଼ା ଓ ହବିଷ ଡାଲ୍‌ମା ବିକ୍ରି ହେବ। ହବିଷ୍ୟାଳିଙ୍କ ସମ୍ପର୍କୀୟମାନେ ବାସୁଦେବ ମନ୍ଦିରରୁ ଏହି ପ୍ରସାଦ କିଣି ନେଇପାରିବେ ବୋଲି ସୂଚନା ମିଳିଛି। କେବଳ ବରାଦ ଦେଇଥିବା ହବିଷ୍ୟାଳିମାନଙ୍କ ପାଇଁ ଅବଢ଼ା ମିଳିବ ବୋଲି ସେବାୟତମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe