ଭୁବନେଶ୍ୱର: ‘ଅପରେସନ୍ ସିନ୍ଦୁର’ର ସଫଳତା ପାଳନ ଅବସରରେ ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଦ୍ଘାଟନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁ ଛକଠାରୁ ଝାଡୁମଲ୍ଲୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସହିତ ପ୍ରାୟ ୨ କିଲୋମିଟର ଅଞ୍ଚଳ ତ୍ରିରଙ୍ଗା ଧରି ପଦଯାତ୍ରା କରିଥିଲେ।
ଶୋଭାଯାତ୍ରାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଅପରେସନ୍ ସିନ୍ଦୁର’ର ସଫଳତା ପରେ ଏହି ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ଯେତେବେଳେ ତ୍ରିରଙ୍ଗା ତଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେନାହିଁ। ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି, ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ। ସେନାବାହିନୀର ବୀର ଜବାନମାନେ ମା’ଓ ଭଉଣୀମାନଙ୍କର ସିନ୍ଦୁରର ମର୍ଯ୍ୟାଦା ରଖିଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ସଲାମ୍ କରୁଛି। ଅପରେସନ୍ ସିନ୍ଦୁର ସାରା ଦେଶକୁ ଆତଙ୍କବାଦ ବିରୋଧୀ ବାର୍ତ୍ତା ଦେଇଛି। ଏହା ମାଧ୍ୟମରେ ସାରା ବିଶ୍ୱକୁ ଭାରତ ଆତଙ୍କବାଦ ଗତିବିଧି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଶିଖାଇଛି। ଦେଶର ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ୍ ହୋଇଛନ୍ତି । ଶତ୍ରୁର ପ୍ରତ୍ୟେକ ଆହ୍ୱାନର ଉଚିତ ଜବାବ ଦେବାପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତ୍ରିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି।
ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ: ମୁଖ୍ୟମନ୍ତ୍ରୀ
ଏହି ଶୋଭାଯାତ୍ରାରେ ଏକାମ୍ର ବିଧାୟକ ବାବୁ ସିଂହ, ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ସ୍ଥାନୀୟ ସରପଞ୍ଚ କ୍ଷୀରୋଦ ପ୍ରଧାନ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ରବି ପାତ୍ର, ସ୍ଥାନୀୟ ନେତୃତ୍ୱ କ୍ଷୀରୋଦ ପ୍ରଧାନ, ଚନ୍ଦନ ମଲ୍ଲିକ, ପ୍ରକାଶ ସାହୁ, ଆଲୋକ ସାହୁ, ବିଭୂତି ପ୍ରଧାନ, ବିରଞ୍ଚି ମହାନ୍ତି, ହିମାଂଶୁ ଛୋଟରାୟ, ରାମଚନ୍ଦ୍ର ରଣସିଂହ, ଚିରଞ୍ଜୀବ ଗୋଚ୍ଛାୟତ, କୃଷ୍ଣଚନ୍ଦ୍ର ନାୟକ, ଅରୁଣ ପୁରୋହିତ, ସୁର୍ଯ୍ୟକାନ୍ତ ସାହୁ, ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର, କବି ସ୍ୱାଇଁଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।
Follow Us