ମନମୋହୁଛି ଲିଙ୍ଗରାଜଙ୍କ ମିନିଏଚର୍‌ ଆର୍ଟ

Advertisment
ମନମୋହୁଛି ଲିଙ୍ଗରାଜଙ୍କ ମିନିଏଚର୍‌ ଆର୍ଟ

ପୁରୁଣା ଭୁବନେଶ୍ବର: ପେସାରେ ଶ୍ରୀଲିଙ୍ଗରାଜ ଓ ଶ୍ରୀଅନନ୍ତ ବାସୁଦେବଙ୍କ ସେବାୟତ। ଅବଢ଼ା ବ୍ୟବସାୟୀ। କିନ୍ତୁ ନିଶା ଚିତ୍ରାଙ୍କନ। କ୍ଷୁଦ୍ର ବସ୍ତୁ ଉପରେ ସୂକ୍ଷ୍ମ ତୂଳୀ ଚାଳନା କରି ନିଖୁଣ ଚିତ୍ର ଆଙ୍କିବା ହେଉଛି ତାଙ୍କର ବଡ଼ ନିଶା। ଚାଉଳ, ଗହମ ଭଳି ଦାନାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ଆଙ୍କି ସେ ସମସ୍ତଙ୍କୁ ବିସ୍ମିତ କରିପାରିବା ଭଳି ଦକ୍ଷତାର ଅଧିକାରୀ। ଗତ କରୋନା ସଂକଟ କାଳରେ ସେ ଏଭଳି କଳାକୃତି କରି ଦେଶବିଦେଶରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏଥିପାଇଁ ବେଶ୍ ପରିଚିତି ଲାଭ କରିଥିବା କଳାକାର ହେଉଛନ୍ତି ଶ୍ରୀଲିଙ୍ଗରାଜଙ୍କ ସୁଆର ସେବକ ଲିଙ୍ଗରାଜ ମହାସୁଆର।

ଲିଙ୍ଗରାଜଙ୍କ କହିବା କଥା ପୂର୍ବରୁ ଚିତ୍ରାଙ୍କନ ପ୍ରତି ତାଙ୍କର ପ୍ରବଳ ମୋହ ଥିଲା। ମାତ୍ର ଏତେ କ୍ଷୁଦ୍ର ପଦାର୍ଥ ଉପରେ ତୂଳୀ ଚଳାଇବା ତାଙ୍କ ପାଇଁ ନୂଆ ଥିଲା। କରୋନା ସଂକଟ ସମୟରେ ସେ ଘରେ ବସି ବସି ଏଥିରେ ମନନିବେଶ କରିଥିଲେ। ଛୋଟ ପଥର ଖଣ୍ଡ(ଗୋଡ଼ି), ପିସ୍ତା ବାଦାମ, କାଜୁ, ଚୀନାବାଦାମ, ଚାମଚ, କଏନ୍, ଦିଆସିଲି କାଠି, ଆଇସ୍‌କ୍ରିମ୍‌ କାଠି, ଚାଉଳ, ଶଙ୍ଖ, ତେଜପତ୍ର, ଔଷଧ ବଟିକାରେ ସେ ଚିତ୍ର ଆଙ୍କିବାକୁ ଲାଗିଲେ। ଏଭଳି କ୍ଷୁଦ୍ର ବସ୍ତୁ ଉପରେ ବିଭିନ୍ନ ଦେବଦେବୀଙ୍କ ଚିତ୍ର ସହ ପଟ୍ଟଚିତ୍ର ମଧ୍ୟ ଆଙ୍କିପାରୁଛନ୍ତି। ଏହାକୁ ମିନିଏଚର୍‌ ଆର୍ଟ ବୋଲି କୁହାଯାଉଛି। ଏହି ମିନିଏଚର ଆର୍ଟ ସହ ସେ ଏବେ ପୂର୍ବ ଭଳି ପଟ୍ଟଚିତ୍ର, ଆବ୍‌ଷ୍ଟ୍ରାକ୍ଟ, ମଧୁବନି, ଫାଇନ୍ ଆର୍ଟ ମଧ୍ୟ କରୁଛନ୍ତି। ପେନ୍ ଓ ପେନସିଲ୍ ଉଜ୍ଜାଲା, କଫି ଆଦିରେ ସୁନ୍ଦର ସୁନ୍ଦର ଆର୍ଟ ତିଆରି କରୁଛନ୍ତି। ଏସବୁକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତାଙ୍କର କିଛି ପ୍ରଶଂସକ ଏସବୁକୁ କିଣିବାକୁ ଆଗ୍ରହ କରୁଥିବା ସେ କହିଛନ୍ତି। ତେଣୁ ଆଗାମୀ ଦିନରେ ଏହାକୁ ନେଇ ଏକ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି ଲିଙ୍ଗରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe