ନନ୍ଦନକାନନରେ ବିଶ୍ବ ହାତୀ ଦିବସ: ମନ ମୋହିଲା ଲିସା, ଅଭିମାନ କଲା ବାସନ୍ତୀ

Advertisment
ନନ୍ଦନକାନନରେ ବିଶ୍ବ ହାତୀ ଦିବସ: ମନ ମୋହିଲା ଲିସା, ଅଭିମାନ କଲା ବାସନ୍ତୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପାଳିତ ହୋଇଯାଇଛି ବିଶ୍ବ ହାତୀ ଦିବସ। ଏହି ଅବସରରେ ନନ୍ଦନକାନନର ହାତୀ ସଫାରିରେ ବ୍ୟାପକ ଆୟୋଜନ କରାଯାଇଥିଲା। ହାତୀମାନଙ୍କୁ ସୁସ୍ବାଦୁ ଫଳ ଖାଇବାକୁ ଦିଆଯାଇଥିବା ବେଳେ ସେଓ, ତରଭୁଜ, କଦଳୀ, ଆଖୁ ଓ ମକା ସଜେଇ ରଖାଯାଇଥିଲା। ହାତୀ ସଫାରି ଶାଳରେ ଅପେକ୍ଷା କରି ରହିଥିଲେ ମାହୁନ୍ତଙ୍କ ସହିତ ବୟସ୍କା ମାଈ ହାତୀ ବାସନ୍ତୀ(୫୮), ହୀରା(୨୬) ଓ ଦେଢ଼ ବର୍ଷର ଅଭି, ଏକ ବର୍ଷର ଆଶା,ଏଗାର ମାସର କୁନି ମାଈ ହାତୀ ଲିସା। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ତଥା ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ହାତୀମାନଙ୍କୁ ଶାଳରୁ ଅଣାଯାଇଥିଲା। ଆସିବା ବେଳେ କୁନି ହାତୀ ଲିସା ନଖରାମି କରି ତଳେ ଗଡ଼ିପଡ଼ି ଖସଡ଼ି ଯିବାର ଦୃଶ୍ୟ ଅତିଥିମାନଙ୍କ ମନ ମୋହିଥିଲା। ତା’ ପିଲାଳିଆମି ଦେଖି ସମସ୍ତେ ଆନନ୍ଦିତ ହୋଇଥିଲେ। ମୁଖ୍ୟ ଅତିଥି ପ୍ରଥମେ ହୀରାକୁ ସେଓ ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥି‌ଲେ। ପରେ ବାସନ୍ତୀକୁ ନଡ଼ିଆ ଦେବାରୁ ସେ ଖାଇ ନଥିଲା। ନଡ଼ିଆ ନଖାଇବାରୁ ତାକୁ କଦଳୀ ଫେଣା ଦିଆଯାଇଥିଲେ ହେଁ ତାକୁ ମଧ୍ୟ ଗ୍ରହଣ କରି ନଥିଲା। ବୋଧ ହୁଏ ସେ ପରିବାରର ମୁଖିଆ ହୋଇ ଥିବାରୁ ତାକୁ ଆଗ ନଦେଇ ହୀରାକୁ ଦିଆଗଲା ବୋଲି ସେ ମାନମାରି ଏପରି କରିଥିବା ମାହୁନ୍ତ କହିଥିଲେ। ହେଲେ ମାହୁନ୍ତ କିଛି ବୁଝାଇବାରୁ ବାସନ୍ତୀ ଫଳ ଖାଇଥିଲା। ପରେ ପିସିସିଏଫ୍ ସବୁଠୁ କୁନି ହାତୀ ଲିସାକୁ ସେଓ ଦେବାରୁ ସେ କୁନି ଶୁଣ୍ଢରେ ଧରି ନପାରିବାରୁ ତଳକୁ ଖସି ପଡ଼ିଥିଲା। ସେଓଟିକୁ ସେ ଖେଳଣା ଭାବି ତଳେ ଗଡ଼ାଇ ଖେଳିବାକୁ ଚାହିଥିଲା। ଏହାପରେ ତାକୁ କାଚ ବୋତଲରେ ଭର୍ତ୍ତି କରାଯାଇଥିବା ଫଳ ରସ ପିଆ ଯାଇଥିଲା। ଏତିକିବେଳେ ଆନନ୍ଦରେ ବାସନ୍ତୀ ଓ ହୀରା ଅନନ୍ଦରେ ଶୁଣ୍ଢ ଟେକି ଅଭିବାଦନ ଜଣାଇଥିଲେ।

ଏହାପରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି, ନନ୍ଦନକାନନର ଅଧିକାରୀ ଓ କର୍ମଚାରୀଗଣ ହାତୀମାନଙ୍କୁ ଫଳ ଖୁଆଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ହାତୀ ମାହୁନ୍ତମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ ପୁରସ୍କୃତ କରିଥିଲେ। ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ନନ୍ଦନକାନନ ପରିସରର ଫାଉଣ୍ଟେନ୍‌ ଛକରେ ଆୟୋଜନ କରାଯାଇଥିବା ସେଲ୍‌ଫି ପଏଣ୍ଟ, ଦସ୍ତଖତ ଅଭିଯାନ, କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହାତୀ ସୁରକ୍ଷାର ବର୍ତ୍ତା ଲେଖି ଦସ୍ତଖତ କରିବା ପରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅବସରରେ ତିନିଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିବା ପ୍ରଶ୍ନୋତ୍ତର ପ୍ରତିଯୋଗିତାର କୃତକାର୍ଯ୍ୟ ହୋଇଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ପିସିସିଏଫ୍ ଶ୍ରୀ ବିଶ୍ବାଳ କହିଥିଲେ, ଓଡ଼ିଶାର ଜଙ୍ଗଲରେ ବର୍ତ୍ତମାନ ଦୁଇ ହଜାର ହାତୀ ଅଛନ୍ତି। ଆମ ଜଙ୍ଗଲର ହାତୀ ସଂଖ୍ୟା ଭାରତ ବର୍ଷର ୨୦ ପ୍ରତିଶତ। ସାରା ବିଶ୍ବରେ ହାତୀ ବଂଶ ଲୋପ ପାଇବାର ଆଶଙ୍କା ଦେଖା ଦେଇଥିବା ବେଳେ ଆମର ହାତୀ ସଂଖ୍ୟା ତିଷ୍ଠି ରହିବା କାରଣ ହେଲା ହାତୀ ଆମ ସଂସ୍କୃତି ସହିତ ଜଡ଼ିତ। ଆମେ ହାତୀକୁ ପୂଜା କରିବା, ଅତୀତରେ ଗାଁଦାଣ୍ଡରେ ହାତୀ ଆସୁଥିବା ବେଳେ ଖାଇବାକୁ ଦେବା ହାତୀ ପ୍ରତି ଆମର ଶ୍ରଦ୍ଧାଭାବକୁ ପ୍ରତିପାଦିତ କରୁଛି। ଅନ୍ୟମାନଙ୍କ ମଧ୍ୟରେ ନନ୍ଦନକାନନର ଉପନିର୍ଦ୍ଦେଶକ ସନତ କୁମାର ଏନ୍, ନନ୍ଦନକାନନ ଅଭୟାରଣ୍ୟ ପରିଚାଳନା ବିଭାଗ ଏସିଏଫ୍ ରଶ୍ମି ରଞ୍ଜନ ସ୍ବାଇଁ, ଜନ୍ତୁ ବିଭାଗ ଏସିଏଫ୍ ନୂତନ କୁମାର ହେମ୍ବ୍ରମ, ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫ୍ ସୁଦୀପ୍ତ ଓ ସୁରକ୍ଷା ବିଭାଗ ଏସିଏଫ୍ ଆଶିଷ କୁମାର ପାଇକରାୟଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ନନ୍ଦନକାନନ ଶିକ୍ଷା ବିଭାଗ ଅଧିକାରୀ ମିଲନ କୁମାର ପଣ୍ଡା ଓ ସହଶିକ୍ଷା ଅଧିକାରୀ ରୁକ୍‌ସାନା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe