ନିରଞ୍ଜନଙ୍କ ଠକେଇ ତାଲିକା ଲମ୍ବୁଛି, ଥାନାରେ ପହଞ୍ଚିଲା ଆହୁରି ୧୦ ଅଭିଯୋଗ

Advertisment

ଫୋନରେ ଆସିଲାଣି ୧୫ରୁ ଅଧିକ ଅଭିଯୋଗ

ଫୋନରେ ଆସିଲାଣି ୧୫ରୁ ଅଧିକ ଅଭିଯୋଗ

ରାଜଧାନୀରେ ଠକ ବିଲ୍ଡରଙ୍କ ଜାଲ

୪ ଥାନାରେ ମାମଲା ରୁଜୁ
ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ବର : ଜମି ଦେବା ନାଁରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ଗିରଫ ମା ତାରିଣୀ ଇଷ୍ଟକନ୍ ବିଲ୍ଡର୍ସର ଏମ୍‌ଡି ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ନିରଞ୍ଜନଙ୍କ ବିରୋଧରେ ୩ଟି ଥାନାରେ ୬ଟି ମାମଲାରେ ଥିବାବେଳେ ଆଜି ସହିଦନଗର ଥାନାରେ ଆହୁରି ୧୦ ଅଭିଯୋଗ ପହଞ୍ଚିଛି। ସେହିପରି ବାଲିଅନ୍ତା ଥାନାରେ ମଧ୍ୟ ଏକାଧିକ ଅଭିଯୋଗ ପହଞ୍ଚିଥିବା ବେଳେ ବିଭୁ ମିଶ୍ରଙ୍କ ଅଭିଯୋଗ ଆଧାରରେ ପୁଲିସ ଗୋଟିଏ ମାମଲା ରୁଜୁ କରିଛି। ଏହାଛଡ଼ା ନିରଞ୍ଜନ ଗିରଫ ହେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଫୋନ୍ ଯୋଗେ ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ପାହାଳ ଅଞ୍ଚଳରେ ଥିବା ଗୋଟିଏ ପ୍ରୋଜେକ୍ଟରେ ଏକ ମହଲା ଘର ଦେବା ପାଇଁ ନିରଞ୍ଜନ ବିଭୁଙ୍କ ଠାରୁ ୨ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ଏହି ଘରର ମୂଲ୍ୟ ୧୫ ଲକ୍ଷ ଟଙ୍କା ଥିଲା। କିନ୍ତୁ ବିଭୁ ଘର ପାଇ ନ ଥିଲେ କିମ୍ବା ଟଙ୍କା ଫେରସ୍ତ ମିଳି ନ ଥିଲା। ଏ ସମ୍ପର୍କରେ ସେ ନିରଞ୍ଜନଙ୍କୁ ପଚାରିବାରୁ ତାଙ୍କୁ ଧମକଚମକ ମିଳିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସେହିପରି ଜମି ବିକ୍ରି ନାଁରେ ଜଣେ ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନିରଞ୍ଜନଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଠକେଇ ଅଭିଯୋଗରେ ଆଉ ଏକ ମାମଲା ରୁଜୁ ହୋଇଛି। ଥାନାରେ ପହଞ୍ଚୁଥିବା ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି। ଯେଉଁମାନେ ଠକାମିର ଶିକାର ହୋଇଛନ୍ତି, ସେମାନଙ୍କୁ ଅଭିଯୋଗ କରିବା ପାଇଁ ପୁଲିସ ପରାମର୍ଶ ଦେଇଛି। ସହିଦନଗର ଥାନା ପୁଲିସ ଆସନ୍ତାକାଲି ନିରଞ୍ଜନଙ୍କୁ କୋର୍ଟଚାଲାଣ କରିବ। ଅଧିକ ପଚରାଉଚରା, କାଗଜପତ୍ର ଜବତ, ତଥ୍ୟ ପ୍ରମାଣ ସଂଗ୍ରହ ଲାଗି ନିରଞ୍ଜନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe