ସାହିତ୍ୟ ଏକ ସାଧନା, ଲେଖକ ସନ୍ନ୍ୟାସୀ: ରମାକାନ୍ତ

Advertisment

୫ମ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

୫ମ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

ସାହିତ୍ୟ ଏକ ସାଧନା, ଲେଖକ ସନ୍ନ୍ୟାସୀ: ରମାକାନ୍ତ

ଭୁବନେଶ୍ବର: ସାହିତ୍ୟ ଏକ ସାଧନା ଓ ଲେଖକ ଜଣେ ସନ୍ନ୍ୟାସୀ। ସାହିତ୍ୟ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ଯାଇ ଜଣେ ଭଲ ଲେଖକ ହୋଇପାରିବ। ସାହିତ୍ୟର କୃପା ନ ହେବା ପର୍ଯ୍ୟନ୍ତ ଜଣେ ଧାଡ଼ିଟିଏ ବି ସଫଳ ବାକ୍ୟ ଲେଖି ପାରିବ ନାହିଁ। ବର୍ତ୍ତମାନ ସମୟରେ ଲେଖକମାନଙ୍କୁ ବହୁ ସମ୍ମାନ ଓ ସ୍ୱୀକୃତି ମିଳୁଛି। କିନ୍ତୁ ସାହିତ୍ୟକୁ ଉଚିତ ଗୁରୁତ୍ୱ ଦିଆଯାଉନାହିଁ। ଜୟଦେବ ଭବନରେ ୫ମ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମା‌ରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ ଆଜି ଏହା କହିଛନ୍ତି। ସଂସ୍ଥାର ପ୍ରଶଂସା କରି ସେ କହିଲେ, ଯୁବ ଲେଖକଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ପାଣ୍ଡୁଲିପି ପ୍ରକାଶ କରି ପେନ୍ ଇନ୍ ବୁକ୍ସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

କଥାଶିଳ୍ପୀ ଡ. ସରୋଜିନୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ଅଧିକାଂଶ ଲେଖକଙ୍କ ଶ୍ରେଷ୍ଠ କୃତି ଯୁବାବସ୍ଥାରେ ଆସିଥାଏ। ସାମାଜିକ ବିଲକ୍ଷଣକୁ ଆମେ ସମସ୍ତେ ଅନୁଭବ କରୁ, କିନ୍ତୁ କେବଳ ଯୁବକ ବିପ୍ଳବ କରିପାରେ। ପୁରସ୍କାର ମିଳୁ ବା ମିଳୁ, ଯାହା ନୂଆ କଥା ଆସୁଛି ଯାହା ହୃଦୟକୁ ଅଥୟ କରୁଛି ଯୁବକମାନେ ତାହା ଲେଖନ୍ତୁ ବୋଲି ସେ କହିଥିଲେ। କଥାକାର ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।
ଏହି ଅବସରରେ ୧୦ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା।

ସେମାନେ ହେଲେ, ଉପନ୍ୟାସ ପାଇଁ ଡ. ଭାରତ ଭୂଷଣ ରଥ ଓ ତାପସ ରଂଜନ ରାଉତ, କବିତା ସଂକଳନ ପାଇଁ ସମୀର କୁମାର କଳସ, ଦୀପିକା ଦାଶ, ପ୍ରଶାନ୍ତ ଦାଶ, ଶ୍ରୀମା ଶତପଥୀ, ଶବନମ୍‌ ଆଦେନୀ ଓ ଡା. ପ୍ରିୟଦର୍ଶୀ ପ୍ରହରାଜ ଏବଂ ଗଳ୍ପ ସଂକଳନ ପାଇଁ ରଜତ ମିଶ୍ର ଓ ବିମଳ ରାଉଳଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୪ର୍ଥ ସଂସ୍କରଣରେ ପୁରସ୍କୃତ ପାଣ୍ଡୁଲିପି ସବୁ ପୁସ୍ତକ ଆକାରରେ ଉନ୍ମୋଚିତ ହୋଇଥିଲା। ବ୍ୟଙ୍ଗକବି ଡ. କୁଳାଙ୍ଗାର ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe