୬ ଦେଶକୁ ଲମ୍ବିଛି ଲୋନ-ଆପ୍‌ର ଚେର

Advertisment

ଆଉ ୩ ଚୀନ୍‌ ଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର୍‌, ଇଣ୍ଟରପୋଲ୍‌ର ସହାୟତା ନେବ ଇଓଡବ୍ଲୁ

ଆଉ ୩ ଚୀନ୍‌ ଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର୍‌, ଇଣ୍ଟରପୋଲ୍‌ର ସହାୟତା ନେବ ଇଓଡବ୍ଲୁ

୬ ଦେଶକୁ ଲମ୍ବିଛି ଲୋନ-ଆପ୍‌ର ଚେର

ଭୁବନେଶ୍ବର: ଲୋନ୍‌-ଆପ୍‌ ଜରିଆରେ ଭାରତରୁ କୋଟି କୋଟି ଟଙ୍କା ଠକେଇ ଘଟଣାରେ ଆଉ ୩ ଚୀନ୍‌ ଠକଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ସେମାନେ ହେଲେ, ଜିଆଙ୍ଗ୍‌ସୁର ଶେନ୍ ଜେନ୍‌ହୁଆ ଓରଫ୍ ଟୋନି ଓ କ୍ବାନ୍ ହୋଙ୍ଗ୍‌ଵି ଓରଫ୍ ପଲ୍, ସିଚୁଆନ୍‌ର ୟାଙ୍ଗ୍ ହାଇୟିଙ୍ଗ୍ ଓରଫ୍‌ ଡୋରିସ୍‌। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତିନ୍‌ ମଲିକ ଦିଲ୍ଲୀରୁ ଗିରଫ ହେବା ପରେ ଇଓଡବ୍ଲୁ ତାକୁ ଘନଘନ ଜେରା କରି ଏହି ୩ ଜଣଙ୍କ ନାଁ ହାତେଇଛି। ଏହା ପୂର୍ବରୁ ଚୀନ୍‌ ଠକ ଲିୟୁ ୟିର ନାଁ ପଦାକୁ ଆସିଥିଲା।

ତେଣୁ ଏହି ୪ ଚୀନ୍‌ ଠକଙ୍କୁ ଧରିବା ପାଇଁ ଇଓଡବ୍ଲୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍‌(ବିଓଆଇ)ର ସହାୟତା ଲୋଡ଼ିଛି। ପୂର୍ବରୁ ବିଓଆଇ ଲିୟୁ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି କରିଥିବା ବେଳେ ଆଜି ବାକି ୩ ଜଣଙ୍କ ବିରୋଧ‌ରେ ଜାରି କରିଛି। ଦେଶର ସମସ୍ତ ବିମାନବନ୍ଦର, ବନ୍ଦର ଓ ପ୍ରମୁଖ ରେଳ‌ଷ୍ଟେସନ୍‌ଗୁଡ଼ିକୁ ଏମାନଙ୍କର ଫଟୋ ସହ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ଅପରପକ୍ଷେ ଏହି ୪ ଠକଙ୍କୁ ଧରିବା ପାଇଁ ଇଓଡବ୍ଲୁ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାଯାଇଛି। ଏହି ଠକମାନେ ଭାରତ ସମେତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଓ ବାଂଲାଦେଶ ଭଳି ୬ଟି ଦେଶରେ ସକ୍ରିୟ ଥିବାରୁ ସଂପୃକ୍ତ ଦେଶଗୁଡ଼ିକର ଲ’ ଏନଫୋର୍ସମେଣ୍ଟ ଏଜେନ୍ସିକୁ ଅଭିଯୁକ୍ତଙ୍କ କାରନାମା ବାବଦରେ ଅବଗତ କରାଯିବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଗୁଡଷ୍ଟାର୍ଡ ବିଜିନେସ୍‌ର ନିର୍ଦ୍ଦେଶକ ନୀତିନକୁ ଇଓଡବ୍ଲୁ ଦିଲ୍ଲୀରୁ ଗିରଫ କରିଥିଲା। ସେ କ୍ରେଡିଟ୍‌ ଗୋଲ୍ଡ୍ ଲୋନ୍‌-ଆପ୍‌ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଲୁଟିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ନୀତିନ ଦ୍ବାରା ଏହି ଚୀନ୍‌ ଠକମାନେ ଭାରତରେ କାୟା ବିସ୍ତାର କରିବାରେ ସକ୍ଷମ ହୋଇଥିଲେ। ବନ୍ଦ ହେବା ଭଳି ଅବସ୍ଥାକୁ ଆସିଥିବା ଅନେକ ବେନାମୀ ତଥା ସଂଦିଗ୍ଧ କମ୍ପାନି ନାଁରେ ୧୦ରୁ ଊର୍ଧ୍ବ ଲୋନ୍-ଆପ୍ ତିଆରି କରାଯାଇଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ସେହି ଆପ୍‌ଗୁଡ଼ିକର ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଭାରତରେ ନୀତିନ୍‌ ଏହି ଠକେଇର ମଙ୍ଗ ଧରିଥିବାରୁ ଚୀନ୍‌ ଠକଙ୍କ ପାଖରୁ ମାସକୁ ପ୍ରାୟ କୋଟିଏରୁ ଊର୍ଧ୍ବ ଟଙ୍କା ଦରମା ଆକାରରେ ନେଉଥିଲା।

ନୀତିନ ଅଧୀନରେ କିଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଫିନ୍‌ଟେକ୍ କମ୍ପାନି, କଲ୍ ସେଣ୍ଟର୍‌ ଓ ରିକଭରି ଏଜେଣ୍ଟ୍‌ ଆଦି କାମ କରୁଥିଲେ। ସେମାନଙ୍କ ଜରିଆରେ ନୀତିନ ସାଧାରଣ ଲୋକଙ୍କୁ ପ୍ରଥମେ ଋଣ ଦେଉଥିଲା। ସେହି ପ୍ରକ୍ରିୟାରେ ସେ ଲୋକଙ୍କ ବିସ୍ତୃତ ବିବରଣୀ ସଂଗ୍ରହ କରି ବିଭିନ୍ନ ଉପାୟରେ ସେମାନଙ୍କୁ ମାନସିକ ନିର୍ଯାତନା ଦେଉଥିଲା। ଅଶ୍ଳୀଳ ମେସେଜ୍ ପଠାଇ ହଇରାଣ କରିବା, ଫଟୋକୁ ବିକୃତ କରି ସଂପର୍କୀୟଙ୍କୁ ପଠାଇବା, ଭୟ ଦେଖାଇ ଲୋକଙ୍କଠାରୁ ଅଧିକ ସୁଧ ଆଦାୟ କରିବା ଭଳି ବେଆଇନ କାମ କରାଯାଉଥିଲା ବୋଲି ଇଓଡବ୍ଲୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe