ଲୋନ୍ ଆପ୍‌ରେ ଠକେଇ ଘଟଣା: ମାଷ୍ଟରମାଇଣ୍ଡ୍‌ ଥିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ନିରବ ଗୁପ୍ତା

Advertisment
ଲୋନ୍ ଆପ୍‌ରେ ଠକେଇ ଘଟଣା: ମାଷ୍ଟରମାଇଣ୍ଡ୍‌ ଥିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ନିରବ ଗୁପ୍ତା

ଭୁବନେଶ୍ବର: ଚର୍ଚ୍ଚିତ ଲୋନ୍ ଆପ୍ ଠକେଇ ଘଟଣାରେ ଇଓଡବ୍ଲୁ ଯେତେ ଛାନ୍‌ଭିନ୍ କରୁଛି, ସେତେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଚାଇନା ଠକଙ୍କ ସହିତ ମିଶି ଭାରତରେ ଲକ୍ଷାଧିକ ଲୋକଙ୍କୁ ଲୁଟିବା ପଛରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ହାତ ଥିବା ଇଓଡବ୍ଲୁ ସୂଚନା ଦେଇଛି। ସେ ହେଉଛନ୍ତି ନୂଆଦିଲ୍ଲୀ ପଶ୍ଚିମ ବିହାର ଗୁର୍‌ଗାଓଁସ୍ଥିତ ହୁଡ଼ାର ନିରବ ଗୁପ୍ତା ଓରଫ ରମଣ। ନିରବଙ୍କୁ ଗୁର୍‌ଗାଓଁରୁ ଗିରଫ କରିବା ପରେ ଇଓଡବ୍ଲୁ ତାଙ୍କୁ ତିସ୍‌ହଜାରି କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରାଇଥିଲା। ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟକୁ ଅଣାଯାଉଥିବା ଇଓଡବ୍ଲୁ ସୂଚନା ଦେଇଛି।

ଇଓଡବ୍ଲୁ ନିକଟରେ ଏମ୍‌ଏସ୍ ଗୁଡ୍ ଷ୍ଟାର୍ଟ ବିଜିନେସ୍‌ର ନିର୍ଦ୍ଦେଶକ ନୀତିନ ମଲିକଙ୍କୁ ଗିରଫ କରିଥିଲା। ଏହାପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ନିରବଙ୍କ ବାବଦରେ ନୀତିନ ଇଓଡବ୍ଲୁକୁ ସୂଚନା ଦେଇଥିଲେ। ନିରବ ଚାଇନା ଠକଙ୍କ ସହିତ ମିଶି ଭାରତରେ ପ୍ରଥମେ ୧୦ରୁ ଅଧିକ ସଂସ୍ଥା ଖୋଲିଥିଲା। ନାମକୁ ମାତ୍ର ଖୋଲିଥିବା ଏହି ସଂସ୍ଥାର ଆକାଉଣ୍ଟ୍‌କୁ ବେଆଇନ୍ ଲୋନ୍ ଆପ୍‌ରେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରାଯାଉଥିଲା। ଅଯାଚିତ ଭାବେ ଲୋକଙ୍କୁ ଋଣ ଦେବା ପରେ ଟଙ୍କା ଆଦାୟ କରିବା ପାଇଁ ଲୋକଙ୍କୁ ଏହି ସଂସ୍ଥାର ଆକାଉଣ୍ଟ୍ ନମ୍ବର ପଠାଯାଉଥିଲା। ପ୍ରତି ସଂସ୍ଥାର ଏକାଧିକ ଆକାଉଣ୍ଟ୍‌କୁ ଟଙ୍କା ସ୍ଥାନାନ୍ତର କରିବା ପରେ ଚାଇନା ପଠାଯାଉଥିଲା। ଆଉ ଏଥି ପାଇଁ ଚାଇନା ଠକ ନିରବଙ୍କୁ ୩୦ଲକ୍ଷ ଟଙ୍କା ଦେଇଥିଲେ। ଅଲ୍ଲୀ ପେ କ୍ୟୁଆର୍ କୋଡ୍ ମାଧ୍ୟମରେ ସବୁ ଟଙ୍କା ନେଣଦେଣ ଚାଲିଥିଲା।

ଗୁର୍‌ଗାଓଁରୁ ଗିରଫ କଲା ଇଓଡବ୍ଲୁ

ଚାଇନା ଠକଙ୍କ ପାଖରୁ ୩୦ଲକ୍ଷ ଟଙ୍କା ନେଇଥିଲେ

ବଡ଼ କଥା ହେଉଛି, ନିରବ ନିଜେ ଏହି ସଂସ୍ଥା ତିଆରି କରିଥିଲେ ହେଁ ଜାଲିଆତି କରି ସାଧାରଣ ଲୋକଙ୍କୁ ବଳି ପକାଉଥିଲେ। ଚାକିରି କରିବାକୁ ଆସିଥିବା ଲୋକଙ୍କୁ ସଂସ୍ଥାର ନିର୍ଦ୍ଦେଶକ କରି ଠକେଇର ନକ୍ସା ପ୍ରସ୍ତୁତ କରୁଥିବା ତଦନ୍ତରେ ଜଣାପଡ଼ିଛି। ଇଓଡବ୍ଲୁ ନିରବଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଲାପଟପ୍, ୨ଟି ମୋବାଇଲ୍, ୧୧ଟି ସନ୍ଦିଗ୍ଧ ସଂସ୍ଥାର ସିଲ୍ ଓ ଦଲିଲ୍, ୫ଟି ଡିଜିଟାଲ୍ ସିଗ୍‌ନେଚର ସାର୍ଟିଫିକେଟ୍ ଟୋକେନ୍, ୪ଟି ଚେକବୁକ୍ ଆଦି ଜବତ କରାଯାଇଛି। ନିରବ ନିୟମିତ ବ୍ୟବଧାନରେ ଚୀନରେ ଥିବା ଠକଙ୍କ ସହିତ ଯୋଗାଯୋଗରେ ଥିବା ଇଓଡବ୍ଲୁ ସୂଚନା ଦେଇଛି। ଏହା ସହିତ ବିଭିନ୍ନ ଲ’ ଏନଫୋର୍ସମେଣ୍ଟ ଏଜେନ୍ସିର ଵାଣ୍ଟେଡ୍ ତାଲିକାରେ ନିରବଙ୍କ ନାଁ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe