ବାହାରେ ତାଲା, ଭିତରେ ଭୋଜିଭାତ

Advertisment

ଜୟଦେବ ପୀଠରୁ ଭୋଜି ସାମଗ୍ରୀ ଓ ଉପକରଣ ଜବତ

ଜୟଦେବ ପୀଠରୁ ଭୋଜି ସାମଗ୍ରୀ ଓ ଉପକରଣ ଜବତ

ବାହାରେ ତାଲା, ଭିତରେ ଭୋଜିଭାତ

?????????????

ବାଲିଅନ୍ତା: ସ୍ଥାନୀୟ ଜୟଦେବ ପୀଠରେ ଭୋଜିଭାତ ଆୟୋଜନ ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ। କିନ୍ତୁ ସ୍ଥାନୀୟ ଲୋକମାନେ ଲୁଚାଛପାରେ ବେଆଇନଭାବେ ଏଠାରେ ଭୋଜିଭାତର ଆସର ଜମାଉଛନ୍ତି। ବାହାରେ ତାଲା ଝୁଲୁଥିଲେ ବି ଭିତରେ ବିଭିନ୍ନ କୁଞ୍ଜ ପାଳଟିଛି ଭୋଜିର ଆସରସ୍ଥଳ। ତେବେ ଏହି ଲୁଚାଛପା ଭୋଜି ଆସର ଆଜି ଧରା ପଡ଼ିଯାଇଛି। ଦୁଇ ମଦ୍ୟପ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ କଥା ଥାନାରେ ପହଞ୍ଚିଥିଲା। ପୁଲିସ ଚଢ଼ଉ ପୂର୍ବରୁ ଉଭୟ ପକ୍ଷ ଛତ୍ରଭଙ୍ଗ ଦେବା ପରେ ପୁଲିସ ଭୋଜି ସାମଗ୍ରୀ ଓ ଉପକରଣ ସବୁ ଜବତ କରିଛି। ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଭୋଜି ଚାଲିଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ ଦୁଇ ଗାଁର ଯୁବକମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ହୋଇଥିଲା। ମଦ ନିଶାରେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଗୋଷ୍ଠୀର ଯୁବତୀମାନଙ୍କୁ କମେଣ୍ଟ ମାରିବାରୁ ଏହି ଗଣ୍ଡଗୋଳ ଘଟିଥିଲା। ତେବେ ବଡ଼ କଥା ହେଉଛି ପ୍ରଥମେ ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଉଦ୍ୟମ କରିଥିଲେ। ‌ବେଆଇନ ଭୋଜିଭାତ କଥାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ତେଣୁ ବାଧ୍ୟ ହୋଇ ବାଲିଅନ୍ତା ଥାନା ପୁଲିସକୁ ଡକାଇଥିଲେ। ପୁଲିସ ଆସୁଥିବା ଖବର ପାଇ ଉଭୟ ଗୋଷ୍ଠୀର ଯୁବକମାନେ ପଳାଇଥିଲେ। ପୁଲିସ ଘଟଣାସ୍ଥଳରୁ ଭୋଜିଭାତରେ ବ୍ୟବହୃତ ସମସ୍ତ ଉପକରଣ ଓ ସାଉଣ୍ଡ ବକ୍ସ ଆଦି ଜବତ କରିଥିଲା। କରୋନା କଟକଣା ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦ ମାସ ହେଲା ଏହି ପୀଠ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ମୁଖ୍ୟ ଫାଟକରେ ତାଲା ଝୁଲୁଛି। ମାତ୍ର କିଛି ସ୍ଥାନୀୟ ଅସାମାଜିକ ଯୁବକମାନେ ପୀଠର ପଛପଟୁ ବେଆଇନ ଭାବେ ପଶି ଭୋଜିଭାତର ଆସର ଜମାଉଛନ୍ତି। ଏବେ କିଛି ଦିନ ହେଲା ଏଠାରେ ପ୍ରତିଦିନ ଶତାଧିକ ଲୋକ ଭୋଜିଭାତ କରୁଥିବା ଅଭିଯୋଗ ହେଉଛି। ସଂରକ୍ଷିତ ପିଣ୍ଡିରେ ଭୋଜି ଚାଲିଥିବାବେଳେ ୬ଟି କୁଞ୍ଜରେ ମଧ୍ୟ ଭୋଜିଭାତ ଚାଲିଛି। ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏଠାରେ ଲୁଚାଚୋରାରେ ଭୋଜିଭାତ ଚାଲିଛି। ଅଥଚ ସବୁ ଦେଖି ସେମାନେ ନ ଦେଖିବାର ଅଭିନୟ କରୁଛନ୍ତି। ସୂଚନାଯୋଗ୍ୟ ହୀରାପୁର ଚଉଷଠୀ ଯୋଗିନୀ ପୀଠ ଗେଷ୍ଟ ହାଉସରେ ମଧ୍ୟ ବେଆଇନ ଭାବେ ଭୋଜିଭାତ ଚାଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe