ମଠ, ମନ୍ଦିର ଓ ଆଶ୍ରମ ଖାଁ ଖାଁ : ପୂଜକ, ସେବାୟତ ପରିବାର ଅସହାୟ

Advertisment
ମଠ, ମନ୍ଦିର ଓ ଆଶ୍ରମ ଖାଁ ଖାଁ : ପୂଜକ, ସେବାୟତ ପରିବାର ଅସହାୟ

ବାଲିଅନ୍ତା : ଲକ୍‌ଡାଉନ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ, କଳକାରଖାନା ଏବଂ ବିଭିନ୍ନ କର୍ମସଂସ୍ଥାନରେ କାମ କରୁଥିବା ଲୋକମାନଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାଛଡ଼ା ବିଭିନ୍ନ ସେବା ତଥା ଦେବକାର୍ଯ୍ୟ ସଂପାଦନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଆହୁରି ଅନେକ ପରିବାର ସମଦଶା ଭୋଗୁଛନ୍ତି। ମଠ, ମନ୍ଦିରଗୁଡିକ ଭକ୍ତ ଶୂନ୍ୟ ଥିବାରୁ ପୂଜକ ତଥା ସେବକମାନଙ୍କ ଅବସ୍ଥା‌ ଶୋଚନୀୟ ହୋଇପଡ଼ିଛି। ହେଲେ ସେମାନଙ୍କ ଅସନ୍ତୋଷର ସ୍ବର ଏଯାଏ ପ୍ରଶାସନ ନିକଟରେ ପହଞ୍ଚି ପାରିନି।

ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦେବକାର୍ଯ୍ୟ ସଂପାଦନ କରୁଥିବା ପୂଜକ, ପୁରୋହିତ ଏବଂ ସେବାୟତ ପରିବାରବର୍ଗଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି। ସାରା ରାଜ୍ୟରେ ସମାନ ସ୍ଥିତି। ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ପରେ ଏବେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପରିସ୍ଥିତି ଜାରି ରହିଛି। ଏହା ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ବେଳେ ଯାହା ଯେପରି ନିଜକୁ ସମ୍ଭାଳି ନେଇଥିଲେ। ମାତ୍ର ଦ୍ବିତୀୟ ପର୍ଯ୍ୟାୟ କଟକଣା ସେମାନଙ୍କ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରୁଛି।

ଏହି କଟକଣା ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ମଠ, ମନ୍ଦିର, ଦେବାଳୟ ଓ ଆଶ୍ରମରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଛି। ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଦେବଦେବୀଙ୍କ ପୂଜାର୍ଚ୍ଚନାରୁ ସେବାୟତ ପରିବାରଙ୍କୁ ଯାହା କିଛି ଦାନ ଦକ୍ଷିଣା ମିଳୁଥିଲା, ସୁଖେଦୁଃଖେ ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଏବେ ଠାକୁରଙ୍କ ବିଧି ରକ୍ଷା ସିନା ହେଉଛି, ହେଲେ ମନ୍ଦିର ପରିସର ଖାଁ ଖାଁ ହୋଇଯାଇଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କର ଆଉ ଗହଳି ଚହଳି ଦେଖିବାକୁ ମିଳୁ ନାହିଁ। ‌
ଖାଲି ସେତିକି ନୁହେଁ ସଂସ୍କୃତି ଓ ପରଂପରା ଆଧାରିତ ବିଭିନ୍ନ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟ ଯଥା ବିବାହ, ବ୍ରତ, ଜନ୍ମଦିନ, ଏକୋଇଶିଆ, ଯଜ୍ଞ, ସତ୍ୟନାରାୟଣ ପୂଜା, ତ୍ରିନାଥ ମେଳା ଏବଂ ମହୋତ୍ସବ ଉପରେ ବି କରୋନାର ଛାଟ ଲାଗିଛି। ଫଳରେ ଶତାଧିକ ସେବାୟତ ବା ପୂଜକ ପରିବାର ହାତବାନ୍ଧି ବସିଛନ୍ତି। ସେମାନଙ୍କ ରୋଜଗାର ପୂରା ବନ୍ଦ ହୋଇଯାଇଛି। ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାରୁ ଏହିସବୁ ପରିବାର ବାଦ୍‌ ପଡ଼ିଛନ୍ତି। ଫଳରେ ଏହି ସବୁ ପରିବାର ପକ୍ଷେ ସମ୍ପ୍ରତି ଚଳିବା କଷ୍ଟକର ହୋଇପଡ଼ିଛି।

ସେମାନଙ୍କ ମଧ୍ୟରୁ କେତେଜଣ ସେବାୟତ ପରିବାର ଏବେ ଅସନ୍ତୋଷର ସ୍ବର ଉଠାଇଥିବା ସୂଚନା ମିଳିଛି। ଐତିହ୍ୟ ସଂପନ୍ନ ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ପୂଜକ ଶ୍ରୀଧର ଦାଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରିଥିବା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିବା ଲକ୍ଷ୍ମୀଧର ବେହେରା ହ୍ବାଟ୍ସଆପ୍‌ ବାର୍ତ୍ତା ଯୋଗେ ଜଣାଇଛନ୍ତି। ଏହିପରି ଅସହାୟ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe