କଟକଣା ଭିତରେ ରାଜଧାନୀରେ ବିବାହ : ୩୦୪ ବରକନ୍ୟା ଲକ୍‌ଡାଉନ୍‌

କଟକଣା ଭିତରେ ରାଜଧାନୀରେ ବିବାହ : ୩୦୪ ବରକନ୍ୟା ଲକ୍‌ଡାଉନ୍‌

ଭୁବନେଶ୍ୱର : ବିବାହ ପାଇଁ କେତେ କ’ଣ ପ୍ରସ୍ତୁତ କରିଥିଲେ। ବାଜା ବାଜିବ। ବାଣ ଫୁଟିବ। ରେଷଣୀ ହେବ। ଏମିତି କେତେ କ’ଣ। କିଏ ଘୋଡ଼ା ଗାଡ଼ି ପାଇଁ ବଇନା ଦେଇଥିଲା ତ ଆଉ କିଏ ତାରକା ହୋଟେଲ ବୁକିଂ କରିଥିଲେ। ଆଉ କେତେଜଣ ତ ଖାଦ୍ୟ ମେନୁର ଲମ୍ବା ତାଲିକା ପ୍ରସ୍ତୁତ କରି ରୋଷେୟାଙ୍କୁ ଧରାଇ ଦେଇ‌ଥିଲେ। ବିବାହ ପରେ ବିଦେଶରେ ହନିମୁନ୍‌ କରିବାକୁ କେତେଜଣ ବର କନ୍ୟା ଚାହିଁ ରହିଥିଲେ। ତେବେ ମହାମାରୀ କରୋନା ସେମାନଙ୍କ ସବୁ ସ୍ବପ୍ନ ବିଗାଡ଼ି ଦେଲା। ବର କନ୍ୟାଙ୍କ ଆଗୁଆ ଯୋଜନା ପଣ୍ଡ ‌ହୋଇଗଲା। ବରଯାତ୍ରୀ କି ତାରକା ହୋଟେଲ ଦୂରେ ଥାଉ, ମନ୍ଦିରରେ ବାହା ହେବା ପାଇଁ ବି ଅନୁମତି ମିଳିଲା ନାହିଁ। ଯେଉଁଥିପାଇଁ ନିଜ ଘରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କଲେ। କରୋନା କଟକଣା ଭିତରେ ରାଜଧାନୀରେ ଏମିତି ବିବାହ କରିଛନ୍ତି ୩୦୪ ବରକନ୍ୟା।

କରୋନା ସଂକ୍ରମଣ ରୋକିବା ଲାଗି ମାର୍ଚ୍ଚ ୨୨ରୁ ଆରମ୍ଭ ହେଲା ଲକ୍‌ଡାଉନ୍‌। ଉତ୍ସବ, ମହୋତ୍ସବ, ବିବାହ, ବ୍ରତଘର ଆଦି ଉପରେ କଟକଣା ଲାଗିଲା। ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିଲା ନାହିଁ। ଯେଉଁଥିପାଇଁ ଲୋକେ ବହୁତ ହଇରାଣ ହେଲେ। ଭୁବନେଶ୍ବର ସହରରେ ବିବାହ, ବ୍ରତଘର ପ୍ରାୟତଃ ବନ୍ଦ ହୋଇଗଲା। ସ୍ଥିତି ସୁଧୁରିଲେ ବିବାହ ହେବା ଲାଗି କିଏ ଦିନ ଗଡ଼ାଇଲେ ତ ଆଉ କିଏ ବାତିଲ୍‌ କରିଦେଲେ। ଆଉ କେତେଜଣ ବିଳମ୍ବ ନ କରି ଲକ୍‌ଡାଉନ୍‌-୧ରେ ବିବାହ ବନ୍ଧନରେ ଆବନ୍ଧ ହୋଇଗଲେ। ଲକ୍‌ଡାଉନ୍‌-୨ରେ କଟକଣା ଆହୁରି ବଢ଼ିବାରୁ ବିବାହ କରିବାକୁ ଯୋଜନା କରିଥିବା ଲୋକେ ଚିନ୍ତାରେ ପଡ଼ିଥିଲେ। ସ୍ଥିତିକୁ ଦେଖି ଯୋଜନା କଲେ ମେ’ ମାସରେ ବିବାହ କରିବେ। ଏଭଳି କଟକଣା ଭିତରେ ଲକ୍‌ଡାଉନ୍‌-୧ ଓ ୨ରେ ୫୨ ଜଣ ବର କନ୍ୟା ବିବାହ କଲେ।

publive-image

ମେ’ ଆରମ୍ଭରୁ ଲାଗୁ ହେଲା ଲକ୍‌ଡାଉନ୍‌-୩। ଏଥିରେ ବିବାହ ଉତ୍ସବ ଲାଗି ଥିବା ନିୟମରେ କିଛିଟା କୋହଳ କରାଗଲା। ଉଭୟ ପରିବାରର ୫୦ଜଣ ଲୋକଙ୍କୁ ନେଇ ବିବାହ କରିହେବ ବୋଲି ପ୍ରଶାସନ ଅନୁମତି ଦେଲା। ପରିଣାମ ସ୍ବରୂପ ଭୁବନେଶ୍ବର ସହରରେ ବିବାହ ସଂଖ୍ୟା ବଢ଼ିଥିଲା। କେବଳ ମେ’ ମାସରେ ୮୦ରୁ ଅଧିକ ଜଣ ବିବାହ କରିଥିଲେ। କରୋନା କଟକଣାରେ ସାମାନ୍ୟ କୋହଳ ହେବା ପରେ ତଥା ଅନ୍‌ଲକ୍‌-୧(ଜୁନ୍‌) ଓ ଅନ୍‌ଲାକ୍‌-୨(ଜୁଲାଇ)ରେ ଲୋକଙ୍କ ଚଳପ୍ରଚଳ ଲାଗି ଅନୁମତି ମିଳିଲା। ଗାଡ଼ି ମଟର ଚାଲିଲା। ଭୁବନେଶ୍ବର ସହରକୁ ବାହାର ଜିଲ୍ଲାର ଲୋକେ ଆସିଲେ। ଏଠାରୁ ମଧ୍ୟ ଅନ୍ୟ ଜିଲ୍ଲାକୁ ଗଲେ। ପରିଣାମ ସ୍ବରୂପ ଭୁବନେଶ୍ବରରେ ବିବାହ ସଂଖ୍ୟା ବଢ଼ିଲା। ଜୁଲାଇ ୧୫ରେ ବିବାହ ଋତୁ ଶେଷ ହେଉଥିବାରୁ ଏହି ଦିନ କଟକଣା ଭିତରେ ଅନେକ ବର କନ୍ୟା ବିବାହ କରିଥି‌ଲେ। ଏମିତି ଭାବେ ଗତ ତିନି ମାସ ମଧ୍ୟରେ ରାଜଧାନୀରେ ୩୦୪ଟି ବିବାହ ସମ୍ପନ୍ନ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ହୋଟେଲ, କଲ୍ୟାଣ ମଣ୍ଡପ, ମନ୍ଦିର ଆଦି ସ୍ଥାନରେ ବିବାହ ଲାଗି ଅନୁମତି ମିଳି ନ ଥିବାରୁ ୯୦ ପ୍ରତିଶତ ବିବାହ ନିଜ ନିଜ ଘରେ ସମ୍ପନ୍ନ ହୋଇଛି। କିଛି ବିବାହ ଲୁଚାଛପାରେ ମନ୍ଦିରରେ ବି ହୋଇ‌ଥିଲେ ମଧ୍ୟ ପ୍ରଶାସନ ଏହାର ଟେର୍‌ ପାଇନି। ଏହି ଲକ୍‌ଡାଉନ୍‌ ସମୟରେ କିଛି ହୋଟେଲ ଭିତରେ ବି ବିବାହ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe