Caravan Magazine
ଭୁବନେଶ୍ବର: ଅନ୍ତଃରାଜ୍ୟ ଠକ ମଣିକନ୍ଦନ ଓ ଭିକୁ ବିଷୋୟୀ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି ବ୍ୟୁରୋ ଅଫ୍ ଇମିଗ୍ରେସନ୍(ବିଓଆଇ)। କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଅନୁରୋଧକ୍ରମେ ବିଓଆଇ ଏହି ପଦକ୍ଷେପ ନେଇଛି। ଦେଶର ବିଭିନ୍ନ ବିମାନବନ୍ଦର, ବନ୍ଦର, ଚେକପୋଷ୍ଟ୍ରେ ଲ’ ଏନଫୋର୍ସମେଣ୍ଟ ଏଜେନ୍ସିକୁ ସତର୍କ କରାଯାଇଛି। ଠକଦ୍ବୟ ମାଲେସିଆର କୌଣସି ଅଜ୍ଞାତ ସ୍ଥାନରେ ଲୁଚିଥିବା ସନ୍ଦେହ କରାଯାଉଛି। ଇଓଡବ୍ଲୁ ଏସ୍ପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସୂଚନା ଅନୁସାରେ, ଗଂଜାମ ଭଂଜନଗରର ଭିକୁ ବିଷୋୟୀ ଓ ଚେନ୍ନାଇର ମଣିକନ୍ଦନ କିନ୍ନି ଇନ୍ଫୋଟେକ୍ ପ୍ରା.ଲି.ର ନିର୍ଦ୍ଦେଶକ। ଉଭୟ ଭଂଜନଗରରେ କିନ୍ନି ଇନ୍ଫୋଟେକ୍ କାର୍ଯ୍ୟାଳୟ ଖୋଲି ଯୁବକଯୁବତୀଙ୍କୁ ଚାକିରି ଦେଉଥିଲେ।
ଟେଣ୍ଡର୍ ମାଧ୍ୟମରେ ଯୁବଗୋଷ୍ଠୀଙ୍କଠାରୁ ଟଙ୍କା ଆଣୁଥିଲେ। କାମ କରିବା ପରେ ସେମାନଙ୍କୁ ଲାଭର କିଛି ପ୍ରତିଶତ ଟଙ୍କା ଦେଉଥିଲେ ଏବଂ ନିଜେ କିଛି ଟଙ୍କା ରଖୁଥିଲେ। ଏହି କ୍ରମରେ ଦୁଇ ଅଭିଯୁକ୍ତ ଭିକୁ ଓ ମଣିକନ୍ଦନ କାମ ଦେବା ଆଳରେ ଶତାଧିକ ଲୋକଙ୍କ ପାଖରୁ କୋଟିଏରୁ ଅଧିକ ଟଙ୍କା ଟେଣ୍ଡର୍ ପକାଇବା ପାଇଁ ନେଇଥିଲେ। ମାତ୍ର କାମ ନ ଦେଇ ସଂସ୍ଥା ବନ୍ଦ କରି ଚମ୍ପଟ୍ ମାରିଥିଲେ। ଏନେଇ ପ୍ରଥମେ ସ୍ଥାନୀୟ ଭଂଜନଗର ଥାନା ଏବଂ ପରେ ଇଓଡବ୍ଲୁରେ ମାମଲା ରୁଜୁ ହୋଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ଭିକୁ ଓ ମଣିକନ୍ଦନ ଗିରଫ ହେବା ଭୟରେ ରାଜ୍ୟ ଛାଡ଼ି ଚମ୍ପଟ୍ ମାରିଥିଲେ।
Follow Us