ଲକ୍‌ଡାଉନ୍‌ରେ ମାତିଲେ ଚୋର : ୮ ଲକ୍ଷ ଟଙ୍କାର ଜିନିଷ ନେଇଗଲେ, ଗୋଟିଏ ରାତିରେ ୪ ଦୋକାନ ଓ ଜଣକ ଘରେ କଳାକନା ବୁଲାଇଲେ

ବେଆଇନ ବଟି ଆଦାୟ କରି ୨ ଗିରଫ

www.jagran.com

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ସହରସାରା ପୁଲିସ ଛାଉଣୀ। ରାସ୍ତାଘାଟରେ ଠା’କୁ ଠା’ ନାକାବନ୍ଦୀ। ସାଇକେଲ୍‌ ଠାରୁ ଟ୍ରକ୍‌ ପର୍ଯ୍ୟନ୍ତ ଯାଞ୍ଚ। ସହର ଶୂନ୍‌ଶାନ୍‌। ଏଭଳି ଏକ ସ୍ଥିତିରେ ମାତିଛନ୍ତି ଚୋର। ଗୋଟିଏ ରାତିରେ ୪ଟି ଦୋକାନ ଓ ଜଣଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ସହିଦନଗର ଥାନା ଅଞ୍ଚଳରେ ୫ଟି ଦୋକାନର ସଟର ତାଡ଼ି ୭ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ଯାଇଥିବା ବେଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଘରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇ ଯାଇଛନ୍ତି। ପୁଲିସର କଡ଼ା କଟକଣା ସତ୍ତ୍ବେ ଚୋରଙ୍କର ଏଭଳି ଉତ୍ପାତ ସହରବାସୀଙ୍କୁ ଆତଙ୍କିତ କରିଛି। ପାଟ୍ରୋଲିଂ ଅଭାବ, କୋଭିଡ୍‌ କଟକଣା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଗ୍ରହ ପ୍ରକାଶ ନ କରିବା ଚୋରମାନଙ୍କୁ ପ୍ରୋତ୍ସାହିତ କରୁଥିବା ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ସହିଦନଗର ଥାନା ବାଙ୍କୁଆଳ ପ୍ଲଟ ନଂ-୨୩୭୧ରେ ୫ଟି ଦୋକାନ ରହିଛି। ପ୍ରଥମ ଦୋକାନ ହେଉଛି ଲିଙ୍ଗିପୁରର ଗୋପବନ୍ଧୁ ସାହୁଙ୍କର। ପାଣିପାଇପ୍‌ ସହ ବାଥ୍‌ରୁମ୍‌ ଫିଟିଂ ଓ ଅନ୍ୟାନ୍ୟ ଜିନିଷ ରହିଛି। ଦୁର୍ବୃତ୍ତ ସଟର ତାଡ଼ି ସବୁ ନେଇ ଯାଇଛନ୍ତି। ଡ୍ରୟାରରେ ଥିବା କିଛି ନଗଦ ଟଙ୍କା ମଧ୍ୟ ନେଇ ଯାଇଛନ୍ତି। ଏଭଳି ମୋଟ ୫ ଲକ୍ଷ ଟଙ୍କାର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେହିଭଳି ବୃନ୍ଦାବନ ମହାରଣାଙ୍କ ଦୋକାନରୁ ନଗଦ ୩୦ ହଜାର ଟଙ୍କା ସହ ଲ୍ୟାପ୍‌ଟପ୍‌ ନେଇ ଯାଇଛନ୍ତି। ରଶ୍ମିରଞ୍ଜନ ସାହୁଙ୍କ ଦୋକାନରୁ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଛି। ସେହିଭଳି ମଙ୍ଗୁ ଲେଙ୍କାଙ୍କ ଦୋକାନରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ସମସ୍ତ ଚୋରି ଗୋଟିଏ ଢଙ୍ଗରେ ହୋଇଥିବାରୁ ଗୋଟିଏ ଗୋଷ୍ଠୀ ଚୋରି କରିଥିବା ଆଶଙ୍କା କରାଯାଉଛି। ଲକ୍‌ଡାଉନ୍‌ ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିବା ପରେ ଆଜି ସକାଳେ ସଟର ତଡ଼ା ଯାଇଥିବା ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। ପାଟ୍ରୋଲିଂ ହେଉନଥିବାରୁ ଏଭି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଗିରଫ ନ ହେଲେ ସେମାନେ ପୁଲିସ୍ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କହିଛନ୍ତି।

ସେହିଭଳି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ଚୋର ଉତ୍ପାତ କରିଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ କବାଟ ତାଡ଼ି ଚୋର ଘରେ କଳାକନା ବୁଲାଇ ଦେଇଛି। ଏଭଳି କାଣ୍ଡର ଶିକାର ହୋଇଥିବା ମହିଳା ହେଉଛନ୍ତି କଲ୍ୟାଣୀ ନାୟକ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ୩୦ ହଜାର ଟଙ୍କା ସହ ଲକ୍ଷେ ଟଙ୍କାର ସୁନା ଗହଣା ଚୋର ନେଇ ଯାଇଥିବା ସେ ଅଭିଯୋଗ‌ ପତ୍ରରେ ଲେଖିଛନ୍ତି।

ଅଭିଯୋଗ ମୁତାବକ, ସୌଭାଗ୍ୟ ନଗରର କଲ୍ୟାଣୀ ବରମୁଣ୍ଡ ପ୍ଲଟ୍ ନଂ ୧୩୪/୮ରେ ଭଡ଼ା ସୂତ୍ରରେ ରୁହନ୍ତି। ୭ ଦିନ ତଳେ ସେ ଘରେ ତାଲା ପକାଇ ସୌଭାଗ୍ୟନଗର ଯାଇଥିଲେ। ଆଜି ସକାଳେ ତାଙ୍କ ଘର କବାଟ ତଡ଼ା ଯାଇଥିବା ତାଙ୍କ ଘର ମାଲିକ ଫୋନ୍ କରି ଜଣାଇଥିଲେ। ସେ ତୁରନ୍ତ ପହଞ୍ଚି ଘରେ ଚୋରି ହୋଇଥିବା ଦେଖିଥିଲେ। ତାଙ୍କ ଘର ଗ୍ରିଲ୍ ଓ ମୁଖ୍ୟ କବାଟ ତାଡ଼ି ଚୋର ଦାମୀ ଟିଭି ସହ ଡ୍ର ଭିତରେ ଥିବା ୩୦ ହଜାର ଟଙ୍କା ଓ ସୁନା ଚୋରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe