ନାକେଦମ୍ କଲେଣି ଲୁଟେରା

Advertisment

କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ

କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ

ନାକେଦମ୍ କଲେଣି ଲୁଟେରା

ସମୀକ୍ଷା ବୈଠକ ପରେ ରଣନୀତି ପ୍ରସ୍ତୁତ
ନିୟୋଜିତ ହେବେ ୭୨ ଯୁବ କନେଷ୍ଟବଳ

ଭୁବନେଶ୍ବର : ରାଜଧାନୀରେ ନାକେଦମ୍ କଲେଣି ଲୁଟେରା। କମିସନରେଟ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଲୁଟ୍, ଛିନତାଇ କରି ଚାଲିଛନ୍ତି। କିନ୍ତୁ ଲୁଟେରାଙ୍କୁ ଧରିବାରେ ଫେଲ୍ ମାରିଛି ପୁଲିସ। ଏଇ ନିକଟରେ ଖଣ୍ଡଗିରି ଡୁମୁଡୁମାରେ ମହିଳା ରିନୁ ଡାକୁଆ ଲୁଟେରାଙ୍କ ସହ ଲଢ଼ି କାବୁ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ରିନୁଙ୍କ ପାଇଁ ପୁଲିସ ଲୁଟେରାଙ୍କୁ ଗିରଫ କରି ପାରିଥିଲା। ହେଲେ ଏମିତି ଅନେକ ମାମଲାରେ ଲୁଟେରା ଧରା ପଡୁନାହାନ୍ତି। ଏଥିପାଇଁ ବିଭିନ୍ନ ଆଡ଼ୁ ସମା‌ଲୋଚିତ ହେବା ପରେ କମିସନରେଟ ପୁଲିସ ଲୁଟେରାଙ୍କୁ ସାବାଡ଼ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଦୁଇ ଦିନ ଧରି ଏ ନେଇ ଘନଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ଡିସିପି, ଜୋନ୍ ଏସିପି ଓ ଥାନାଧିକାରୀମାନେ ମାନସମନ୍ଥନ କରି ଶେଷରେ ଲୁଟେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଏବେ ମାସକୁ ପ୍ରାୟ ୫୦ଟି ଲୁଟ ଓ ଛିନ୍‌ତରଥ ଅଭିଯୋଗ ଥାନାକୁ ଆସୁଛି। ଲୁଟେରାମାନଙ୍କର ଅପରାଧର ତରିକା ମଧ୍ୟ ଭିନ୍ନ ରହୁଛି। ବିଭିନ୍ନ ଜାଗା ବୁଲୁଛନ୍ତି। ଯେଉଁଠି ସୁଯୋଗ ପାଉଛନ୍ତି ସେଠାରେ ଲୁଟି ଫେରାର ହୋଇ ଯାଉଛନ୍ତି। ରାଜଧାନୀ ଆଖପାଖ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡରୁ ଆସି ଲୁଟ୍ କରି ପୁଣି ନିଜ ଅଞ୍ଚଳକୁ ପଳାଉଛନ୍ତି। କୌଣସି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍ ନ ଥିବାରୁ ପୁଲିସ ପାଇଁ ‌ସେମାନଙ୍କୁ ଧରିବା କଷ୍ଟକର ହୋଇଛି। ଲୁଟ୍ ମାମଲା କ୍ରମଶଃ ବଢ଼ିବଢ଼ି ଚାଲିଥିବାବେ​ଳେ ଏହାର ମୁକାବିଲା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏବେ ନୂଆ ରଣନୀତି ଅନୁଯାୟୀ ଲୁଟେରାମାନଙ୍କ ମୁକାବିଲା ପାଇଁ ୭୨ ଜଣ ଯୁବ କନଷ୍ଟେବଳଙ୍କୁ ନିୟୋଜିତ କରାଯିବ। ସେମାନେ ଛକ ଛକ ବୁଲି ଲୁଟେରାଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ। ଏହା ସହିତ ପାଟ୍ରୋଲିଂ ମଧ୍ୟ କରିବେ। ଯେମିତି ଲୁଟେରାଙ୍କୁ ସହଜରେ ଧରା ଯାଇପାରିବ। ସେହିପରି ତଦନ୍ତକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ତ୍ବରିତ ତଦନ୍ତ କରାଗଲେ ଲୁଟେରାଙ୍କୁ ଦଣ୍ଡବିଧାନ ମଧ୍ୟ ହୋଇପାରିବ। ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ନିୟମିତ ସମୀକ୍ଷା କରାଯାଉଛି। ଲୁଟେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ବ ଦିଆଯାଉଛି।

publive-image DNA India

କିଛି ଚର୍ଚ୍ଚିତ ଲୁଟ୍ ଘଟଣା
ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ପ୍ରାଚୀ ଏନକ୍ଲେଭରେ ମହିଳା ଶକୁନ୍ତଳା ଦାସ ଫୁଲ ତୋଳୁଥିବା ବେଳେ ମାରଣାସ୍ତ୍ରରେ ହାଣି ଲୁଟ୍
ଏୟାରପୋର୍ଟ ଛକରେ ମୋବାଇଲ ଲୁଟ୍ ବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ଯୁବକ, ଅନ୍ୟ ଜଣେ ଫେରାର
ଖଣ୍ଡଗିରି ଡୁମୁଡୁମାନଗର ଅଟୋଷ୍ଟାଣ୍ଡ ନିକଟରେ ମୋବାଇଲ ଲୁଟୁଥିବା ଦୁଇ ଲୁଟେରାଙ୍କୁ ମହିଳା ରିନୁ ଡାକୁଆ ଲୁଟେରାଙ୍କୁ କାବୁ କରିଥିଲେ।
ଖାରବେଳନଗର ଥାନା ଶ୍ରୀୟା ଛକ ନିକଟରୁ ମହିଳାଙ୍କ କାର୍‌ କାଚ ଭାଙ୍ଗି ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍।
ଖଣ୍ଡଗିରି ପାତ୍ରପଡ଼ା ଅଞ୍ଚଳରେ ମଧ୍ୟ କାର୍‌ କାଚ ଭାଙ୍ଗି ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍।

କାର୍‌ କାଚ ଭାଙ୍ଗି ଲୁଟ୍ ପଛରେ ଗୁଜରାଟ ଗ୍ୟାଙ୍ଗ!
ରାଜଧାନୀରେ କାର କାଚ ଭାଙ୍ଗି ଲୁଟ୍ ପଛରେ ଗୁଜରାଟ ଅପରାଧୀଙ୍କ ଗ୍ୟାଙ୍ଗର ହାତ ରହିଥିବା ଅନୁମାନ କରାଯାଉଛି। ଗୁଜରାଟର ଏହି ଗ୍ୟାଙ୍ଗ ପ୍ରତିବର୍ଷ ଦେଶର ବିଭିନ୍ନ ସହରକୁ ଯାଇଥାନ୍ତି। ସେଠାରେ କିଛିଦିନ ଲୁଟପାଟ୍ କରିବା ପରେ ଫେରାର ହୋଇ ଯାଆନ୍ତି। ଏହି ଗ୍ୟାଙ୍ଗ କୌଣସି ଗାଡ଼ି ବ୍ୟବହାର କରନ୍ତି ନାହିଁ। ଟ୍ରେନରେ ଆସି ପହଞ୍ଚିବା ପରେ ଅଟୋରେ ବିଭିନ୍ନ ଅଞ୍ଚଳକୁ ଯାଇ ଥାଆନ୍ତି। କିଏ କାର୍‌ ନେଇ ବ୍ୟାଙ୍କକୁ ଯାଉଛି, ବ୍ୟାଙ୍କରୁ ଟଙ୍କା ଆଣି କାର୍‌ରେ ରଖୁଛି, କୌଣସି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କାର୍‌ ରଖି ଦୀର୍ଘ ସମୟ ଧରି ଯାଉଛି, କାର୍‌ରେ ଲାପଟପ୍, କ୍ୟାମେରା ଭଳି କେଉଁ ଦାମୀ ସାମଗ୍ରୀ ରହୁଛି ତାହା ଉପରେ ନଜର ରଖନ୍ତି ଏହି ଲୁଟେରା। ସାଙ୍ଗରେ ମାର୍ତୁଲ(ହାମର) କିମ୍ବା ଲୁହା ରଡ୍ ଧରି ବୁଲନ୍ତି। ଟିକେ ସୁଯୋଗ ପାଇଲେ କାର୍‌ କାଚ ଭାଙ୍ଗି ଲୁଟି ନିଅନ୍ତି। ଏମାନଙ୍କ ଗ୍ୟାଙ୍ଗରେ ପ୍ରାୟ ୨୦ ସଦସ୍ୟ ଅଛନ୍ତି। କିଛିଦିନ ଲୁଟ୍ କଲା ପରେ ଏମାନେ ସହରରୁ ଫେରାର ହୋଇ ଯାଆନ୍ତି।

ମାନବ ସମ୍ବଳ ବଡ଼ ଚ୍ୟାଲେଞ୍ଜ, ଚିନ୍ତାର କାରଣ ସାଜିଛି ବସ୍ତି
ଦିନକୁ ଦିନ ରାଜଧାନୀର କାୟା ବଢି ବଢି ଚାଲିଛି। କିନ୍ତୁ ସେହି ଅନୁସାରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢୁ ନାହିଁ। ଲୁଟେରା ଓ ଅପରାଧୀମାନେ ରାଜଧାନୀ ଆଖପାଖ ଜିଲ୍ଲାରୁ ଆସି ଅପରାଧ ଘଟାଇବା ପରେ ପୁଣି ଫେରି ଯାଉଛନ୍ତି। ଖାଲି ସେତିକି ନୁହେଁ; ଅନ୍ତଃରାଜ୍ୟ ଅପରାଧୀମାନେ ଅନେକ ସମୟରେ ଭୁବନେଶ୍ବର ଆସି ଅପରାଧ ଘଟାଉଛନ୍ତି। ବସ୍ତିରେ ଅପରାଧୀମାନେ ଲୁଚି ରହୁଛନ୍ତି। ସେମାନଙ୍କୁ ମଧ୍ୟ ସହଜରେ ଠାବ କରିବା କଷ୍ଟକର ହେଉଛି। ମାନବ ସମ୍ବଳ ଅଭାବ ଯୋଗୁ ପାଟ୍ରୋଲିଂ ମଧ୍ୟ ହୋଇ ପାରୁନାହିଁ। ଯାହା ଫଳରେ ଅପରାଧ ବଢୁଛି। ଅଧିକ ପୁଲିସ ନିୟୋଜିତ ହେଲେ ଅପରାଧ ରୋକା ଯାଇ ପାରିବ ବୋଲି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe