ରାଜଧାନୀରେ ଲୁଟେରାରାଜ୍‌: ୨୪ ଘଣ୍ଟା‌ରେ ୪ ଲୁଟ୍‌, କମିସନରେଟ୍‌ ପୁଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ୍‌

Advertisment
ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍‌

ଭୁବନେଶ୍ବର : ରାଜଧାନୀରେ ଗତ ୨୪ ଘଣ୍ଟା ଭିତରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ବିଭିନ୍ନ ସ୍ଥାନରେ ଲୁଟପାଟ୍ ଘଟାଇ କମିସନରେଟ୍‌ ପୁଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ୍‌। ସତେ ଯେମିତି ଲୁଟେରାଙ୍କ ଆଗରେ ଅସହାୟ ପାଲଟି ଯାଇଛି ପୁଲିସ। ଫରେଷ୍ଟ ପାର୍କ ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଲୁଟ୍ ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୪ଟି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଆଉ କେଉଁଠି ଘଟିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଚାରି ଚାରଟି ଲୁଟ୍‌ ଘଟିଥିଲେ ମଧ୍ୟ ପୁଲିସ ସାମାନ୍ୟତମ ସୁରାକ୍ ପାଇପାରିନାହିଁ। ତେଣୁ ରାଜଧାନୀ ଏବେ ଲୁଟେରାଙ୍କ ସହର ପାଲଟି ଯାଇଛି ବୋଲି ଚର୍ଚ୍ଚା ହେଉଛି।

ଫରେଷ୍ଟ ପାର୍କ ନିକଟରୁ ଛଡ଼ାଇ ନେଲେ ୩୫ ହଜାର
ଗଙ୍ଗନଗର ଅଞ୍ଚଳରେ ରହୁଥିବା ଜ୍ୟୋତି ପ୍ରକାଶ ମହାରଣା ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟାରେ ଫରେଷ୍ଟ ପାର୍କ ଗେଟ୍ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ୩୫ ହଜାର ଟଙ୍କା ଉଠାଇଥିଲେ। ଗାଡ଼ି ପାଖକୁ ଆସିବା ସମୟରେ ଦୁଇ ଜଣ ଲୁଟେରା ଏକ ସ୍କୁଟିରେ ଆସି ତାଙ୍କ ଠାରୁ ଟଙ୍କା ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିଲେ। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।

publive-image Navbharat Times

ନାକାଗେଟ୍ ନିକଟରୁ ନେଇଗଲେ ସୁନାଚେନ୍
ନାକାଗେଟ୍ ନିକଟରେ ଜଣେ ମହିଳା ସ୍ବାମୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଦୁଇ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଛନ୍ତି। ଏ ନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଦୀପକ ମହାରଣା ଏକ ସ୍କୁଟିରେ ତାଙ୍କ ପତ୍ନୀଙ୍କ ସହ ନନ୍ଦନକାନନକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ନାକାଗେଟ୍ ନିକଟରେ ଦୁଇ ଦୁର୍ବୃତ୍ତ ଏକ କଳା ନୀ​ଳ ରଙ୍ଗର ପଲସର ବାଇକରେ ଆସି ଦୀପକଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଲୁଟି କଳିଙ୍ଗ ଷ୍ଟୁଡିଓ ଅଭିମୁଖେ ପଳାଇଥିଲେ। ସେହି ପଲ୍‌ସରରେ ଝାଡ଼ଖଣ୍ଡ ନମ୍ବର ଲାଗିଥିବା ଜଣାପଡ଼ିଛି।

ମାଛ ବେପାରୀଙ୍କଠାରୁ ୪୫ ହଜାର ଲୁଟ୍‌
ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ କଳ୍ପନା-ରାଜମହଲ ଛକ ରାସ୍ତାରେ ଜଣେ ମାଛ ବେପାରୀଙ୍କ ବେକରେ ଭୁଜାଲି ଲଗାଇ ଦୁର୍ବୃତ୍ତମାନେ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ବାଲିଅନ୍ତାର ଅରୁଣ ବେହେରା। ମିଳିଥିବା ସୂଚନା ଅନୁସାରେ, ଅରୁଣ ତାଙ୍କ ଭାଇଙ୍କ ସହ ସ୍କୁଟିରେ ରାଜମହଲ ଅଭିମୁଖେ ଆସୁଥିଲେ। ୪ ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ତାଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ନେଇ ଯାଇଥିଲେ। ଏପରିକି ସ୍କୁଟି ମଧ୍ୟ ନେଇ ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଶିଶୁଭବନ ଛକରୁ ସ୍କୁଟି ଉଦ୍ଧାର କରିଥିଲା। ଗାଡ଼ି ଡିକିରେ ଦେଢ଼ ହଜାର ଟଙ୍କା ଥିଲା। ଯାହାକୁ ଲୁଟେରା ଦେଖି ପାରିନଥିଲେ। କିନ୍ତୁ ଲୁଟେରାଙ୍କର ପତ୍ତା ମିଳିପାରି ନାହିଁ।

ଚଳନ୍ତା ସ୍କୁଟିରୁ ମହିଳାଙ୍କ ସୁନାଚେନ୍ ଝାମ୍ପିନେଲେ
ଭୁବନେଶ୍ବର-ପୁରୀ ରାସ୍ତାର ଗ୍ୟାରେଜ୍ ଛକ ନିକଟରେ ଚଳନ୍ତା ସ୍କୁଟିରୁ ଜଣେ ମହିଳାଙ୍କର ସୁନାଚେନ୍ ଲୁଟି ନେଇଛନ୍ତି ଦୁଇ ଲୁଟେରା। ଲୁଟେରାଙ୍କ ଶିକାର ହୋଇଛନ୍ତି ନୂଆଗାଁ ବିଜୟବିହାର ଲେନ୍-୨ ଅଞ୍ଚଳର ଶୈବାଳିନୀ ପରିଡ଼ା। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ, ଶୈବାଳିନୀ ତାଙ୍କର ଜଣେ ସହକର୍ମୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଏକ କଳା ରଙ୍ଗର ପଲ୍‌ସର ବାଇକ୍‌ରେ ଦୁଇ ଲୁଟେରା ଆସି ତାଙ୍କ ସୁନାଚେନ୍ ଛିଡ଼ାଇ ଲିଙ୍ଗରାଜ ମନ୍ଦିର ରାସ୍ତାରେ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe