ପୁଣି ମାତିଲେଣି ନିଶାଦିଆ ଲୁଟେରା : ଏବେ ଟାର୍ଗେଟରେ ବରମୁଣ୍ଡା ବସଷ୍ଟାଣ୍ଡ୍‌

Advertisment

ବସ୍‌ଯାତ୍ରୀଙ୍କଠୁ ଲୁଟିନେଲେ ୧୭ ହଜାର, ମୋବାଇଲ

ବସ୍‌ଯାତ୍ରୀଙ୍କଠୁ ଲୁଟିନେଲେ ୧୭ ହଜାର, ମୋବାଇଲ

ପୁଣି ମାତିଲେଣି ନିଶାଦିଆ ଲୁଟେରା : ଏବେ ଟାର୍ଗେଟରେ ବରମୁଣ୍ଡା ବସଷ୍ଟାଣ୍ଡ୍‌

ମାଡ଼ ମାରି ଫିଙ୍ଗିଦେଲେ, ୨୪ ଘଣ୍ଟା ପରେ ଉଦ୍ଧାର
ଦୁଇ ବର୍ଷରେ ଲୁଟ୍‌ର ଶିକାର ହେଲେଣି ଦୁଇ ଶହ

ଭୁବନେଶ୍ବର : ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେଣି ନିଶାଦିଆ ଲୁଟେରା। ଟାର୍ଗେଟରେ ରହିଛି ବରମୁଣ୍ଡା ବସଷ୍ଟାଣ୍ଡ। ଯାତ୍ରୀମାନଙ୍କ ସହ ବନ୍ଧୁତା କରି ଖାଦ୍ୟ, ପାନୀୟରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଛନ୍ତି। ଗତ କିଛିଦିନ ଧରି ଏଭଳି ଘଟଣା ବଢ଼ିବାରେ ଲାଗିଛି। ଅଭିଯୋଗ କମ୍‌ ହେଉଛି, ଲୁଟେରା ବି ପୁଲିସ ହାତରେ ଧରା ପଡ଼ୁନାହାନ୍ତି। ଗତ ଅକ୍ଟୋବରରେ ଦୁଇ ଜଣ ଧରା ପଡ଼ିଥିଲେ ମଧ୍ୟ ଆହୁରି ଅନେକ ଲୁଟେରା ଏବେ ବି ଫେରାର ଅଛନ୍ତି। ଏହା ପଛରେ ଏକ ବିଧିବଦ୍ଧ ରାକେଟ୍ କାମ କରୁଥିବା ଜଣାପଡ଼ିଛି। ପୂର୍ବରୁ ରେଳଯାତ୍ରୀମାନେ ସେମାନଙ୍କ ଟାର୍ଗେଟରେ ଥିଲେ। ମାତ୍ର କରୋନା କଟକଣା ଯୋଗୁଁ ରେଳ ଚଳାଚଳ କମି ଯାଇଥିବାରୁ ଏବେ ସେମାନେ ବରମୁଣ୍ଡାମୁହାଁ ହୋଇଛନ୍ତି। ଆଉ ସୁଯୋଗ ଦେଖି ନିରୀହ ବସ୍‌ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଛନ୍ତି।ଏବେ ମାସକୁ ୧୫ରୁ ୨୦ ଜଣ ଲୁଟର ଶିକାର ହେଉଛନ୍ତି। ଦୁଇ ବର୍ଷ ଭିତରେ ରାଜଧାନୀରେ ଏମିତି ପ୍ରାୟ ଦୁଇ ଶହ ଲୁଟ୍ ଘଟଣା ଘଟିଥିବା ଜଣାପଡ଼ିଛି।

publive-image Bhubaneswar Buzz

ଶନିବାର ରାତିରେ ରାୟଗଡ଼ା ଟିକିରିର ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ଯୁବକଙ୍କୁ ନିଶାଦେଇ ୧୭ ହଜାର ଟଙ୍କା ଓ ମୋବାଇଲ ଲୁଟିବା ପରେ ଲୁଟେରାମାନେ ତାଙ୍କୁ ବସଷ୍ଟାଣ୍ଡରେ ଫିଙ୍ଗି ଦେଇଛନ୍ତି। ଏପରିକି ମାଡ଼ ମାରି ତାଙ୍କ ମୁହଁ ଫଟାଇ ଦେଇଥିବା ଜଣାପଡ଼ିଛି। ଯୁବକ ଜଣକ ଆଜି ଘରେ ନ ପହଞ୍ଚିବାରୁ ଆଜି ରାତିରେ ତାଙ୍କ ଭାଇ ଖୋଜିଖୋଜି ପୁରୁଷୋତ୍ତମ ଭୁବନେଶ୍ବରରେ ପହଞ୍ଚି ଭାଇଙ୍କୁ ଉଦ୍ଧାର କରି ଖଣ୍ଡଗିରିର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଲୁଟ୍‌ର ଶିକାର ଯୁବକଙ୍କର ଏଯାଏ ନିଶା କଟି ନ ଥିବାରୁ ସେ ଭଲ ଭାବେ କଥା କହି ପାରୁନାହାନ୍ତି। ତେଣୁ ଏ ନେଇ ଥାନାରେ ଏଯାଏ ଅଭିଯୋଗ କରିପାରିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଗତକାଲି ରାତିରେ ରାୟଗଡ଼ା ଯିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଘରୋଇ ବସ୍‌ରେ ବସିଥିଲେ। ସେହି ସମୟରେ ତିନି ଜଣ ଯୁବକ ତାଙ୍କ ପାଖକୁ ଆସି ସେମାନେ ମଧ୍ୟ ରାୟଗଡ଼ା ଯାଉଥିବା କହିଥିଲେ। ଆଉ କଥାବାର୍ତ୍ତା କରି ତାଙ୍କ ସହ ବନ୍ଧୁତା କରି ନେଇଥିଲେ। ଏହାପରେ ସେମାନେ ନିକଟରେ ଥିବା ଏକ ହୋଟେଲକୁ ତାଙ୍କୁ ଖାଇବା ପାଇଁ ଡାକିଥିଲେ। ଖାଇବା ସମୟରେ କୌଶଳରେ ଖାଦ୍ୟରେ ନିଶା ମିଶାଇ ଦେଇଥିଲେ। ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ସେ ଅଚେତ ହୋଇ ପଡିଥିଲେ। ଏହାପରେ ତାଙ୍କ ପାଖରୁ ୧୭ ହଜରା ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଆଜି ସକାଳେ ସେ ଘରେ ନ ପହଞ୍ଚିବାରୁ ତାଙ୍କ ବଡ଼ ଭାଇ ପୁରୁଷୋତ୍ତମ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ତାଙ୍କ ସାଙ୍ଗ ରାଜଙ୍କୁ ଫୋନ୍ କରି ଜଣାଇଥିଲେ। ରାଜ ବରମୁଣ୍ଡା ବସଷ୍ଟାଣ୍ଡରେ ଖୋଜାଖୋଜି କରିବା ପରେ ଅଚେତ ଓ କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କୁ ପାଇଥିଲେ। ରାତିରେ ତାଙ୍କ ଭାଇ ପହଞ୍ଚିବା ପରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କର ସମ୍ପୂର୍ଣ୍ଣ ଚେତା ଆସିବା ପରେ ସେ ଥାନାରେ ଅଭିଯୋଗ କରିବେ ଏବଂ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି।

କେମିତି କରୁଛନ୍ତି ଲୁଟ୍?
ନିଶାଦିଆ ଲୁଟେରା ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ନିକଟରେ ଯାତ୍ରୀ ବେଶରେ ବୁଲନ୍ତି। ଲଙ୍ଗ୍‌ ରୁଟ୍ ବସ୍‌ରେ ଆସି ଓହ୍ଲାଉଥିବା ଯାତ୍ରୀ କିମ୍ବା ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଟାର୍ଗେଟ କରନ୍ତି ଲୁଟେରା। ଯାତ୍ରୀଙ୍କ ପାଖରେ କିଛି ସମୟ ବସିବା ପରେ କେଉଁ ଅଞ୍ଚଳରୁ ଆସିଛନ୍ତି ଓ କେଉଁ ଅଞ୍ଚଳକୁ ଯିବେ ବୋଲି ପଚାରନ୍ତି। ଲୁଟେରା ନିଜକୁ ଯାତ୍ରୀଙ୍କ ଅଞ୍ଚଳଠାରୁ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରେ ବୋଲି କହି ସେ ମଧ୍ୟ ସେହି ଅଞ୍ଚଳକୁ ଯାଉଥିବାର ବିଶ୍ବାସ ଜନ୍ମାନ୍ତି। ଏହାପରେ ସେମାନଙ୍କୁ ବିସ୍କୁଟ, କୋଲ୍‌ଡ ଡ୍ରିଙ୍କସ ପିଇବାକୁ ଦିଅନ୍ତି। ସେଥିରେ ନିଶା ବଟିକା ମିଶାଇଥାନ୍ତି। ଯାତ୍ରୀ ଏହାକୁ ଖାଇଲେ କିମ୍ବା ପିଇଲା ପରେ ଅଚେତ ହୋଇ ଯାଆନ୍ତି। ଆଉ ଲୁଟେରା ଯାତ୍ରୀଙ୍କୁ ଲୁଟି ଫେରାର ହୋଇ ଯାଆନ୍ତି। ଯେଉଁଠି ନିଶା ଦିଅନ୍ତି ସେଠାରେ ନ ଲୁଟି ଅନ୍ୟ ଏକ ନିକାଞ୍ଚନ ସ୍ଥାନକୁ ନେଇ ଲୁଟପାଟ କରିବା ପରେ ଅଚେତ ଅବସ୍ଥାରେ ଫିଙ୍ଗି ଦିଅନ୍ତି। ନିଶାଦିଆ ଲୁଟେରାମାନେ ମୁଖ୍ୟତଃ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଭଳି ଉପାନ୍ତ କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନିରୀହ ଲୋକଙ୍କୁ ଟାର୍ଗେଟ୍ କରନ୍ତି। ଆଉ ଏଭଳି ଇଲାକାରୁ ଆସିଥିବା ଅଳ୍ପଶିକ୍ଷିତ, ସରଳବିଶ୍ବାସୀ ଯାତ୍ରୀମାନେ ସହଜରେ ଲୁଟେରାଙ୍କ ଜାଲରେ ପଡ଼ିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe