ବାଟ ବରଣି ବେଳେ ମଣ୍ଡପରୁ ଲୁଟ୍‌: ଉପହାର ଗହଣା ଓ ଟଙ୍କା ନେଇ ଛୁ’, ସିସିଟିଭିରେ ୨ ଧୂର୍ତ୍ତ

Advertisment
ବାଟ ବରଣି ବେଳେ ମଣ୍ଡପରୁ ଲୁଟ୍‌: ଉପହାର ଗହଣା ଓ ଟଙ୍କା ନେଇ ଛୁ’, ସିସିଟିଭିରେ ୨ ଧୂର୍ତ୍ତ

ଭୁବନେଶ୍ବର : ରାଜଧାନୀରେ ଠକ ଓ ଲୁଟେରାଙ୍କ ରାଜ୍‌ ଚାଲିଛି। ଦିନକୁ ଦିନ ନୂଆ ନୂଆ ପ୍ରକାରର ଠକେଇ ଓ ଅଭିନବ ଲୁଟ୍‌ ରାଜଧାନୀବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ କିଛି ନା କିଛି ନୂଆ ଧରଣର ଲୁଟ୍‌ ଓ ଠକେଇ ମାମଲା ଘଟୁଛି। ଏବେ ଏକ କଲ୍ୟାଣ ମଣ୍ଡପରୁ ହୋଇଥିବା ଅଭିନବ ଲୁଟ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବାହାଘର ବ୍ୟସ୍ତତା ଭିତରେ ଧୂର୍ତ୍ତ ଲୁଟେରା ଓ ତା’ର ଜଣେ ନାବାଳକ ସାଥୀ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କନ୍ୟାକୁ ଉପହାରରେ ମିଳିଥିବା ଗହଣାଗାଣ୍ଠି ଓ ଟଙ୍କା ନେଇ ପାର୍ ହୋଇଯାଇଛନ୍ତି। ବ୍ୟାଗ୍‌ରେ ନଗଦ ଆକାରରେ ଲକ୍ଷାଧିକ ଟଙ୍କା ଓ ବହୁ ପରିମାଣର ସୁନା ଗହଣା ଥିଲା ବୋଲି ଅଭିଯୋଗ ହୋଇଛି। ଲୁଟେରାର କାରନାମା ସିସି କ୍ୟାମେରାରେ କଏଦ ହୋଇଥିଲେ ବି ପୁଲିସ ତାକୁ ଠାବ କରିପାରିନାହିଁ। ଘଟଣାଟି ଘଟିଛି ଗତ ୨୩ ତାରିଖରେ ସହିଦନଗର ଥାନା କେଶୁରାସ୍ଥିତ ପଲ୍ଲବୀ ମଣ୍ଡପରେ। ସତ୍ୟନାରାୟଣ ମହାରଣାଙ୍କ ଝିଅ ବିବାହ ଦିନ ଲୁଟେରା ଏମିତି କାଣ୍ଡ କରି ଛୁ’ ମାରିଛି।

publive-image

ସିସିଟିଭି ଫୁଟେଜ୍ ଚିତ୍ର ଯାହା ବଖାଣୁଛି
ଚୋରି ହୋଇଥିବା ଜଣାପଡ଼ିବା ପରେ ମଣ୍ଡପର ସିସିଟିଭି ଫୁଟେଜ୍‌ ସଂଗ୍ରହ କରାଯାଇଥିଲା। ସେଥିରୁ ଚୋରର କାରନାମା ସ୍ପଷ୍ଟ ହୋଇଥିଲା। ବରଯାତ୍ରୀ ଆସିବାର ପ୍ରାୟ ଘଣ୍ଟାକ ପୂର୍ବରୁ ଲୁଟେରା ଏକ କାର୍‌‌ରେ ଆସି ମଣ୍ଡପ ନିକଟ ଅଟକିଥିଲା। ତା ସହିତ ଏକ ନାବାଳକ ଥିଲା। ବେଶ ପୋଷାକରୁ ଦୁଇ ଜଣଯାକ ବରଯାତ୍ରୀ ବା କନ୍ୟାପକ୍ଷର ଲୋକଙ୍କ ଭଳି ଦେଖାଯାଉଥିଲେ। ଦୁଇଜଣଯାକ ନିମନ୍ତ୍ରିତ ଅତିଥି ବୋଲି ସେମାନଙ୍କ ଠାଣିରୁ ସ୍ପଷ୍ଟ ବାରି ହେଉଥିଲା। ତେବେ ମୁଖ୍ୟ ଲୁଟେରା କାର୍ ନିକଟରେ ଠିଆ ହୋଇଥିବା ବେଳେ ନାବାଳକଟି ବାରମ୍ବାର ମଣ୍ଡପ ଭିତରକୁ ଯାଇ ପୁଣି ଫେରି ଆସୁଥିଲା। କନ୍ୟା ବସିଥିବା ମଣ୍ଡପ ନିକଟରେ ଉପହାର ବ୍ୟାଗ୍‌ କେଉଁଠି ରହୁଛି, କିଏ ଧରିଛି, ସେସବୁ ନଜର କରୁଥିଲା ଓ ବାହାରକୁ ଆସି ତା ବସ୍‌କୁ ଜଣାଉଥିଲା। ତା’ଠାରୁ ସବୁ ଶୁଣିବା ପରେ ବସ୍‌ ତାକୁ କିଛି ବୁଝାଉଥିଲା। ଏହା ଭିତରେ ବରଯାତ୍ରୀ ମଣ୍ଡପ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ବର ଓ ବରଯାତ୍ରୀକୁ ସ୍ବାଗତ କରିବାକୁ କନ୍ୟାପକ୍ଷର ପ୍ରାୟ ସମସ୍ତେ ମୁଖ୍ୟ ଫାଟକ ନିକଟକୁ ଚାଲି ଆସିଥିଲେ। ଏମିତିକି କନ୍ୟା ପାଖରେ ଥିବା ସାଙ୍ଗସାଥୀମା‌ନେ ବି ବାଟ ବରଣି ଦେଖିବାକୁ ଫାଟକ ପାଖକୁ ଚାଲିଆସିଥିଲେ। ଫାଟକ ନିକଟରେ ଭିଡ଼ ହୋଇଯାଇଥିଲା। କିଛି ବରଯାତ୍ରୀ ଭିତରକୁ ପଶି ଖାଇବାରେ ଲାଗିଯାଇଥିଲେ। ଏହି ସମୟରେ କନ୍ୟା ବି ନିଜ ମଣ୍ଡପ ଛାଡ଼ି ପାଖ ରୁମ୍‌କୁ ଚାଲିଯାଇଥିଲେ। ତେଣୁ ଉପହାର ରଖାଯାଇଥିବା ବ୍ୟାଗ୍‌ ଉପରେ କାହାର ନଜର ନଥିଲା। ଏହି ମଉକାରେ ନାବାଳକ ଲୁଟେରା ଉକ୍ତ ବ୍ୟାଗ୍‌ ଧରି ବାହାରକୁ ଚାଲିଆସିଥିଲା। ନାବାଳକଟି ବ୍ୟାଗ୍‌ ଧରି ବାହାରକୁ ଯାଉଥିବା ବହୁ ଲୋକ ଦେଖୁଥିଲେ ବି ସେଇଟି କନ୍ୟାକୁ ମିଳିଥିବା ଉପହାର ଭର୍ତ୍ତି ବ୍ୟାଗ୍‌ ବୋଲି କେହି ଅନୁମାନ କରିପାରିନଥିଲେ। ତେଣୁ ନାବାଳକ ବଡ଼ ଆରାମରେ କାର୍ ପାଖକୁ ଆସିଯାଇଥିଲା ଓ ସେଠାରୁ ସେମାନେ କାର୍‌ ଚଳାଇ ଛୁ’ ମାରିଥିଲେ।

publive-image

ସେମାନଙ୍କ ଲୁଟ୍‌ ତରିକାରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ଏଭଳି କାଣ୍ଡ ନୂଆ କରିନାହାନ୍ତି। ଦୁଇଜଣଯାକ ପେସାଦାର। ନାବାଳକଟି ବେଶ୍ ତାଲିମପ୍ରାପ୍ତ। ମାଷ୍ଟରମାଇଣ୍ଡ ବାହାରରେ ରହି ଅପରେସନ୍ ଚଳାଉଥିଲେ ବି ଭିତରେ ମିସନ୍ ଫଳବତୀ କରାଇବା କାମଟି ଥିଲା ନାବାଳକର। ତେଣୁ ବରଯାତ୍ରୀ ଆସିବା ପୂର୍ବରୁ ସେ ମଣ୍ଡପ ନିକଟରେ ରହି କିଏ ଉପହାର ସବୁ ରଖୁଛି ଓ ବ୍ୟାଗ୍‌ କେଉଁଠି ରହୁଛି, ସେସବୁ ଦେଖି ବସ୍‌କୁ ଜଣାଉଥିଲା। ସେମାନଙ୍କ ଟାର୍ଗେଟ୍‌ ଥିଲା ବର ବାଟ ବରଣି ସମୟ। କାରଣ ସେତିକିବେଳେ ବରକୁ ଦେଖିବାକୁ ସମସ୍ତେ ମଣ୍ଡପ ଫାଟକ ନିକଟରେ ଏକାଠି ହୋଇଯାଆନ୍ତି ଓ କନ୍ୟା ବସୁଥିବା ମଣ୍ଡପ ବି ଖାଲି ହୋଇଯାଏ। ସମସ୍ତେ ବର ଓ ବରଯାତ୍ରୀଙ୍କ ଚର୍ଚ୍ଚାରେ ବ୍ୟସ୍ତ ରହିବା ଯୋଗୁଁ ଲୁଟେରାକୁ ହାତ ସଫେଇ କରିବାକୁ ମଉକା ମିଳିଯାଏ। ପଲ୍ଲବୀ ମଣ୍ଡପରେ ଠିକ୍‌ ସେୟା ହିଁ ଘଟିଛି। ଏହି ଲୁଟେରା ଯୋଡ଼ି ବେଶ୍ ସଫଳତାର ମିସନ୍ କାର୍ଯ୍ୟକାରୀ କରିଥିବାରୁ ସେମାନେ ପେସାଦାର ବୋଲି କୁହାଯାଉଛି। ଏମାନେ ଅଣଓଡ଼ିଆ ଲୁଟେରା ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe